ଭୁବନେଶ୍ୱର: ଆରମ୍ଭ ହୋଇଛି ପବିତ୍ର ରମ୍‌ଜାନ୍‌ ମାସ। ଏହି ସମୟରେ ମୁସଲ୍‌ମାନ ସମ୍ପ୍ରଦାୟର ବ୍ୟକ୍ତିମାନେ ସକାଳୁ ସନ୍ଧ୍ୟା ଯାଏଁ ଉପବାସରେ ରହି କଠୋର ବ୍ରତ ପାଳନ କରୁଛନ୍ତି। ଏହି ସମୟରେ କିଛି ସ୍ୱତନ୍ତ୍ର ଖାଦ୍ୟ ପଦାର୍ଥ, ପୋଷାକ, ଅତର, ଟୋପି ଆଦି ସହିତ ଏକ ସ୍ୱତନ୍ତ୍ର ଦାନ୍ତକାଠିର ବିଶେଷ ଚାହିଦା ରହିଥାଏ। ଏହି ପଦାର୍ଥଗୁଡ଼ିକୁ ନେଇ ରାଜଧାନୀର ବିଭିନ୍ନ ମସ୍‌ଜିଦ୍‌ ନିକଟରେ ଅସ୍ଥାୟୀ ବଜାର ବି ଖୋଲିଗଲାଣି। ନମାଜ ପଢ଼ିବା ପୂର୍ବରୁ କେବଳ ଏହି ଦାନ୍ତକାଠିଗୁଡ଼ିକରେ ଦାନ୍ତସଫା କଲେ ସତୁରି ପ୍ରତିଶତ ପୁଣ୍ୟ ମିଳିଥାଏ ବୋଲି ମୁସଲମାନମାନେ ବିଶ୍ୱାସ କରନ୍ତି। ଏହି ଦାନ୍ତକାଠି କେଵଡ଼ା, ପିଲୁଗଛର ଚେରରୁ ପ୍ରସ୍ତୁତ ହୋଇଥାଏ। ଏହି ଦାନ୍ତକାଠିଗୁଡ଼ିକୁ ରମଜାନ୍‌ ଆରମ୍ଭ ହେବାର ମାସେ ପୂର୍ବରୁ ହାଇଦ୍ରାବାଦ, ଉତ୍ତରପ୍ରଦେଶ, କୋଲକାତା ଆଦି ସ୍ଥାନରୁ ମଗାଯାଏ ବୋଲି ୟୁନିଟ୍‌ ୪ ମସଜିଦ୍‌ ନିକଟସ୍ଥ ବ୍ୟବସାୟୀ ସେଖ୍‌ ନୌସାଦ୍‌ ଅଲ୍ଲୀ କହିଛନ୍ତି। ଏହି ଦାନ୍ତକାଠି ଉପବାସ ସମୟରେ ପାଟିକୁ ସୁଗନ୍ଧିତ ରଖିବା ସହିତ କଫ ଓ ହୃଦ୍‌ରୋଗ ଆଦି ଦୂର କରିବାରେ ସହାୟକ ହୁଏ ବୋଲି ବିଶ୍ୱାସ ରହିଛି। ଆକାର ଅନୁସାରେ ଏଗୁଡ଼ିକର ଦାମ୍‌ ୩୦ରୁ ୪୦ଟଙ୍କା ରହିଛି। ବର୍ଷକରେ ଏହି ରମଜାନ ସମୟରେ ଏହି କାଠି ଆସେ ବୋଲି ବ୍ୟବସାୟୀମାନେ କହିଛନ୍ତି।

Advertisment

ସେହିପରି ଖଜୁରୀ, ଅମୃତଭଣ୍ଡା, ତରଭୁଜ, ଫାଲୁଦା, ଲଚ୍ଛା ମଧ୍ୟ ବହୁତ ଚାହିଦା ବଢ଼ିଛି। ପ୍ରକାର ଓ ପରିମାଣ ଅନୁସାରେ ଖଜୁରିର ମୂଲ୍ୟ କେଜି ପ୍ରତି ୧୪୦ଟଙ୍କାରୁ ଆରମ୍ଭ ହୋଇ ୧୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଗୁଡ଼ିକ ମୁଖ୍ୟତଃ କଶ୍ମୀର, କୋଲକାତା, ଇଣ୍ଡୋନେସିଆ, ଆରବ ଆଦି ସ୍ଥାନରୁ ଆସୁଛି। ସେହିପରି ବିଭିନ୍ନ ରଙ୍ଗର ଲଚ୍ଛା କେଜି ପ୍ରତି ୧୫୦ରୁ ୪୦୦ ପର୍ଯ୍ୟନ୍ତ ରହିଛି। ଅନ୍ୟ ଏକ ଆକର୍ଷଣ ସାଜିଛି ଲଚ୍ଛା, ଡ୍ରାଏ ଫ୍ରୁଟସ୍‌, ଖଜୁରି ଆଦି ଥିବା ସ୍ୱତନ୍ତ୍ର ଗିଫ୍ଟ ବକ୍ସ। ଏହାର ଦାମ୍‌ ହାରାହାରି ୩୫୦ଟଙ୍କା ରହିଛି।
ରମ୍‌ଜାନ୍‌ ମାସରେ ରାଜଧାନୀର ମସଜିଦ୍‌ଗୁଡ଼ିକରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି। ସତ୍ୟନଗର ସ୍ଥିତ ମସଜିଦ୍‌ର ମହାପ୍ରବନ୍ଧକ ସଏଦ୍‌ ଫଜଲ୍‌-ଏ-ଇଲାହୀଙ୍କ କହିବା ଅନୁଯାୟୀ, ମସଜିଦ୍‌କୁ ପ୍ରତିଦିନ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଆଗମନ ହେଉଛି। ରାଜଧାନୀର ୨୦ରୁ ୨୨ କିଲୋମିଟର ଦୂରରେ ରହୁଥିବା ଲୋକ ମଧ୍ୟ ଏଠାକୁ ଆସୁଛନ୍ତି। ଦିନ ସାରା ଉପବାସ ପରେ ଇଫ୍‌ତାର୍‌ରେ ସମସ୍ତେ ଏକାଠି ମିଶି ବିଭିନ୍ନ ପ୍ରକାର ଫଳ ଯଥା, ଖଜୁରି, ତରଭୁଜ, ମିଠା ସରବତ ସହିତ ବିଭିନ୍ନ ଖାଦ୍ୟ ପଦାର୍ଥ ଖାଇ ରୋଜା ଖୋଲୁଛନ୍ତି।
ସେହିପରି ୟୁନିଟ୍‌ ୪ ସ୍ଥିତ ଜାମା ମସଜିଦ୍‌ର ମୁବାରକ ଅହମ୍ମଦଙ୍କ କହିବା ଅନୁଯାୟୀ, ଏଠାରେ ମଧ୍ୟ ପ୍ରତିଦିନ ୨୦୦ରୁ ୨୫୦ ଲୋକଙ୍କ ଜନ ସମାଗମ ହେଉଛି। ଶ୍ରଦ୍ଧାଳୁଙ୍କ ଭିତରେ ଭାରି ଉତ୍ସାହ ରହିଛି।