ପୁନଃନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷାକୁ ବିରୋଧ

ଡିଜିପିଙ୍କୁ ଆବେଦନ କଲା ଗୃହରକ୍ଷୀ ସଂଘ

ଖଣ୍ଡଗିରି: କାର୍ଯ୍ୟରତ ଗୃହରକ୍ଷୀମାନଙ୍କ ପୁନଃନିଯୁକ୍ତି ପାଇଁ ପୁଣି ଥରେ ଶାରୀରିକ ପରୀକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ରାଜ୍ୟ ଗୃହରକ୍ଷୀ ମହାସଂଘ। ଏଭଳି ନୂଆ ଆଇନ୍‌ ଉଭୟ ଗୃହରକ୍ଷୀ ଆଇନ ୧୯୬୧ ଓ ଉଚ୍ଚ ନ୍ୟାୟାଳୟଙ୍କ ପୂର୍ବ ନିର୍ଦେଶକୁ ବିରୋଧ କରୁଛି ବୋଲି ମହାସଂଘ ଅଭିଯୋଗ କରିଛି। ତେଣୁ ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ମହାସଂଘ ଗୃହରକ୍ଷୀ ମହାନିର୍ଦେଶକଙ୍କୁ ଆବେଦନ କରିଛି।

ଉଲ୍ଲେଖଯୋଗ୍ୟ ଯେ ଗୃହରକ୍ଷୀମାନଙ୍କ ପୁନଃନିଯୁକ୍ତି ପାଇଁ ସେମାନଙ୍କୁ ପୁଣି ଥରେ ଶାରୀରିକ ଓ ମାନସିକ ପରୀକ୍ଷା ଦେବାକୁ ପଡ଼ିବ ବୋଲି ଚଳିତ ବର୍ଷ ଏପ୍ରିଲ୍‌ ୪ ତାରିଖରେ ମହାନିର୍ଦେଶକ ନିର୍ଦେଶାନାମା ଜାରି କରିଛନ୍ତି। କିନ୍ତୁ ଗୃହରକ୍ଷୀ ମହାସଂଘର ଅଭିଯୋଗ ଯେ ପୂର୍ବରୁ ୨୦୧୪/୧୫ରେ ଏଭଳି ନିର୍ଦେଶାନାମା ଜାରି କରାଯାଇଥିଲା ଓ ଏହା ବିରୋଧରେ ମହାସଂଘ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାର ଶୁଣାଣି କରି ୨୦୧୫ ନଭେମ୍ବରରେ ଉଚ୍ଚ ନ୍ୟାୟାଳୟ ମହାସଂଘ ସମକ୍ଷରେ ରାୟ ଶୁଣାଇଥିଲେ ଓ ପୁନଃନିଯୁକ୍ତି ପାଇଁ ଆଉ ଶାରୀରିକ ଓ ମାନସିକ ପରୀକ୍ଷା ଆବଶ୍ୟକ ନୁହେଁ ବୋଲି ନିର୍ଦେଶ ଦେଇଥିଲେ। ତେଣୁ ଏବେ ମହାନିର୍ଦେଶକ ଜାରି କରିଥିବା ନିର୍ଦେଶନାମା କାର୍ଯ୍ୟରତ ଗୃହରକ୍ଷୀଙ୍କ ପେଟପାଟଣା ଉପରେ ମାଡ଼ ସଦୃଶ ହୋଇଥିବା ବେଳେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶର ଅବମାନନା ଅଟେ। ମହାସଂଘର ଆଇନଜୀବୀ ଜ୍ଞାନେନ୍ଦ୍ର ତ୍ରିପାଠୀଙ୍କ ଜରିଆରେ ମହାସଂଘ ଗୃହରକ୍ଷୀ ମହାନିର୍ଦେଶକଙ୍କୁ ଏହି ନୂଆ ବ୍ୟବସ୍ଥାର ପୁନର୍ବିଚାର ପାଇଁ ଆବେଦନ କରିଛି ବୋଲି ସଭାପତି ଉପେନ୍ଦ୍ର ମହାପାତ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର