୭ ଦଫା ଦାବିରେ ରାଜ୍ୟ ଗୃହରକ୍ଷୀ ସଂଘର ବିକ୍ଷୋଭ

ଦାବି ପୂରଣ ନ ହେବା ଯାଏ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ

ଭୁବନେଶ୍ୱର : ୭ ଦଫା ଦାବି ନେଇ ଆଜି ଗୃହରକ୍ଷୀ ସଂଘ ଆନ୍ଦୋନଳକୁ ଓହ୍ଲାଇଛି। ଗୃହରକ୍ଷୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରି କାର୍ଯ୍ୟ ବନ୍ଦ କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଗୃହରକ୍ଷୀ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସଂଘ ସଭାପତି ଉପେନ୍ଦ୍ର ମହାପାତ୍ର ଓ ସମ୍ପାଦକ ନିରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଗୃହରକ୍ଷୀମାନେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ, ମହଙ୍ଗା ଭତ୍ତା ସହିତ ଦୈନିକ ଭତ୍ତା ବୃଦ୍ଧି କରିବା, କାର୍ଯ୍ୟରତ ଗୃହରକ୍ଷୀମାନଙ୍କ ନାମରେ ରୁଜୁ ହୋଇଥିବା ମିଥ୍ୟା ମକଦ୍ଦମାକୁ ପ୍ରତ୍ୟାହାର କରି ସେମାନଙ୍କୁ ତୁରନ୍ତ ନିଯୁକ୍ତି ଦେବା, ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହ ଚାକିରିର ସର୍ତ୍ତାବଳୀ ପ୍ରଣୟନ କରିବା, ୧୭୬୭୫ ଗୃହରକ୍ଷୀମାନଙ୍କ ସାମଜିକ ସୁରକ୍ଷା ପାଇଁ ବ୍ୟକ୍ତିଗତ ବୀମା, ପାରିବାରିକ ସ୍ୱାସ୍ଥ୍ୟବୀମା, ଭବିଷ୍ୟତ ସୁରକ୍ଷା ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା, ଅସ୍ତ୍ର ପ୍ରଶିକ୍ଷଣ ନେଇଥିବା ଗୃହରକ୍ଷୀମାନଙ୍କୁ ସେହି କାର୍ଯ୍ୟରେ ନିୟୋଜିତ କରି ପୁଲିସଙ୍କ ଭଳି ସମାନ ସୁବିଧା ଯୋଗାଇଦେବା, ହକ୍‌ ପାଇଁ ଆତ୍ମାହୁତି ଦେଇଥିବା ଗୃହରକ୍ଷୀମାନଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ଓ ସେମାନଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷିତ ହେବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବା ଆଦି ଦାବିକୁ ନେଇ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ସନ୍ଧ୍ୟାରେ ସଂଘର ପାଞ୍ଚଜଣିଆ ପ୍ରତିନିଧିଦଳ ଗୃହ ବିଭାଗ ସଚିବଙ୍କୁ ଭେଟି ଦାବିପତ୍ର ଦେବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏନେଇ ଆଲୋଚନା କରାଯିବ ବୋଲି ସଚିବ ପ୍ରତିଶ୍ରୁତି ଦେଇଥିଲେ। ତେବେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବା ଏବଂ ଗୃହରକ୍ଷୀମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର