ଗୃହ ପୃଥକବାସଙ୍କୁ ଅବହେଳା : ଘରେ ଚିକିତ୍ସିତଙ୍କ ସଂଖ୍ୟା ବଢ଼ୁଛି

୨୮.୬୩% ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି

ଗୁରୁତରଙ୍କୁ ବିଏମ୍‌ସି ସେବା ଯୋଗାଇପାରୁନି
ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି ବିଏମ୍‌ସି ଆଣିଲେ ଆମେ ଚିକିତ୍ସା କରିବୁ

ଭୁବନେଶ୍ୱର : ରାଜଧାନୀରେ ଏବେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୭୩ ଛୁଇଁଥିବାବେଳେ ଏଥିରୁ ୪୨୮୨ଟି ଆକ୍ଟିଭ୍‌ କେସ୍‌। ଅର୍ଥାତ୍‌ ଏହି ୪୨୮୨ ଜଣ ଏବେ କରୋନା ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୨୨୬ଜଣ ‌ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ମୋଟ୍‌ ଆକ୍ଟିଭ୍‌ କେସ୍‌ର ୨୮.୬୩ % ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି। କିନ୍ତୁ ‌ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଛି ସେମାନଙ୍କୁ ବିଏମ୍‌ସି ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିପାରୁନଥିବା ଅଭିଯୋଗ ହୋଇଛି।

‌ଅଧିକରୁ ଅଧିକ ଲୋକଙ୍କୁ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେବାକୁ ବିଏମ୍‌ସି ଉତ୍ସାହିତ କରୁଛି। ଯେଉଁ ଆକ୍ରାନ୍ତଙ୍କର ଘରେ ସୁବିଧା ଅଛି ସେମାନେ ବି ହସ୍ପିଟାଲ ଯାଇ ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ଆସିବାକୁ ଚାହୁଁନଥିବାରୁ ଘରେ ଚିକିତ୍ସିତ ‌ହେଉଛନ୍ତି। କିନ୍ତୁ ଯେତେବେଳେ ସେମାନଙ୍କର ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖାଯାଉଛି ବି ଦେହ ଅଧିକ ଖରାପ ହୋଇଯାଉଛି ସେତେବେଳେ ବିଏମ୍‌ସିର ହେଲ୍‌ପଲାଇନ୍‌ ନମ୍ବର ହେଉ କି କୌଣସି ଅଧିକାରୀଙ୍କୁ ଫୋନ୍‌ କଲେ ତୁରନ୍ତ ପଦକ୍ଷେପ ନିଆଯାଉନି। ଫଳରେ ଆକ୍ରାନ୍ତ ଗୁରୁତର ହୋଇଯାଉଛନ୍ତି। ଯଦି ଭାଗ୍ୟ ଭଲ ରହୁଛି ତେବେ ବଞ୍ଚୁଛନ୍ତି।

କରୋନା ପରିଚାଳନା ନେଇ ବିଏମ୍‌ସି ବହୁ ପଦକ୍ଷେପ ନେଉଛି। ଘରେ ପୃଥକବାସରେ ରହୁଥିବା ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ‌ଦେବା ପାଇଁ ପ୍ରତି ଜୋନ୍‌ରେ ୧୦ଟି ଲେଖାଏଁ ରୢାପିଡ୍‌ ରେସ୍ପନ୍ସ ଟିମ୍‌ ଗଠନ ହୋଇଛି। ହେଲେ କେତେକ ଟିମ୍‌ ଆକ୍ରାନ୍ତଙ୍କୁ ସମୟରେ ବିଏମ୍‌ସି କିଟ୍ ଯୋଗାଉନାହାନ୍ତି ତ କେତେବେଳେ ଆକ୍ରାନ୍ତ ଫୋନ୍‌ କଲେ ଫୋନ୍‌ ଉଠାଉନାହାନ୍ତି। ଫଳରେ କରୋନା ଆକ୍ରାନ୍ତ ଏବେ ଘରେ ରହି ଚିକିତ୍ସିତ ହେବାକୁ ଡରୁଛନ୍ତି।

ବିଏମ୍‌ସିର ନିୟମ ଅନୁଯାୟୀ ପୃଥକବାସରେ ରହି ଚିକିତ୍ସିତ ହେଉଥିବା ଲୋକଙ୍କର କୌଣସି ସମସ୍ୟା ଉପୁଜିଲେ ବିଏମ୍‌ସି ଆମ୍ବୁଲାନ୍ସ ତାଙ୍କୁ ନେଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିବ। ଏଥିପାଇଁ ପ୍ରାୟ ୨୭ଟି ଆମ୍ବୁଲାନ୍ସ ଅଛି। କିନ୍ତୁ ଆକ୍ରାନ୍ତଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିଲା‌ ବେଳକୁ ତିନିରୁ ଚାରି ଘଣ୍ଟା ଲାଗୁଥିବାରୁ ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ‌ହୋଇଯାଉଛି। ଏପଟେ ଆକ୍ରାନ୍ତ ଯଦି ନିଜେ କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସିତ ହେବାକୁ ଯାଉଛନ୍ତି ତେବେ ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ ଆଣିଲେ ଆମେ ଚିକିତ୍ସା କରିବୁ।

ବର୍ତ୍ତମାନ ଘରେ ପୃଥକବାସ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ସେମାନଙ୍କ ସମସ୍ୟା ମଧ୍ୟ ବଢ଼ିଲାଣି। ବିଏମ୍‌ସି ଯଦି ଆମ୍ବୁଲାନ୍ସ ପଠାଇ ଆକ୍ରାନ୍ତଙ୍କୁ ଠିକ୍‌ ସମୟରେ ହସ୍ପିଟାଲରେ ଭର୍ତ୍ତି କରିନପାରୁଛି ତେବେ ସେମାନେ ଆକ୍ରାନ୍ତଙ୍କୁ ନିଜ ସୁବିଧାରେ ହସ୍ପିଟାଲ ଯିବାକୁ ଅନୁମତି ଦେବାକୁ କୁହାଯାଉଛି।

ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ପୃଥକବାସରେ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲେ ସେମାନେ ୧୯୨୯ ନମ୍ବରରେ ଫୋନ୍‌ କରନ୍ତୁ ନଚେତ୍‌ ଆଶା ଓ ଅଙ୍ଗନୱାଡ଼ି କର୍ମୀ ବା ରୢାପିଡ୍‌ ରେସ୍ପନ୍‌ସ ଟିମ୍‌କୁ ଫୋ‌ନ୍‌ କରନ୍ତୁ। ଆମେ ତୁରନ୍ତ ସେବା ଯୋଗାଇବୁ। ହେଲେ ଆକ୍ରାନ୍ତଙ୍କୁ ଏହି ଉପାୟ ଦେଇ ଗଲେ ଉପଯୁକ୍ତ ଚିକିତ୍ସା ମିଳୁନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

କ’ଣ ହେବା ଦରକାର
ବିଏମ୍‌ସି ପ୍ରତି ଜୋନ୍‌ ପାଇଁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଏବଂ ମୁଖ୍ୟାଳୟରେ ଅଧିକ ଆମ୍ବୁଲାନ୍ସ ରଖୁ। ଯାହାଦ୍ବାରା ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ମିଳିପାରିବ।

ଭୁବନେଶ୍ବର ଅପରେସନ୍ ସେଣ୍ଟରର ହେଲ୍ପଲାଇନ୍‌ ନମ୍ବର ୧୯୨୯ ଓ ବିଏମ୍‌ସିର ଟୋଲ୍‌ ଫ୍ରି ନମ୍ବରକୁ ୨୪ଘଣ୍ଟା ଖୋଲା ରଖାଯାଉ। ଏଠାରେ ‌କେଉଁ ହସ୍ପିଟାଲରେ କେତେ ଶଯ୍ୟା ଖାଲି ଅଛି ତା’ର ତାଲିକା ରହୁ।

ଭୁବନେଶ୍ବର ଅପରେସନ୍‌ ସେଣ୍ଟରରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ୨୪ଘଣ୍ଟିଆ ଦାୟିତ୍ବ ଦିଆଯାଉ। ସେମାନେ ଆକ୍ରାନ୍ତଙ୍କୁ ଫୋନ୍‌ରେ ଉପଯୁକ୍ତ ପରାମର୍ଶ ଦେବା ସହ କେଉଁ ହସ୍ପିଟାଲକୁ ଯାଇପାରିବେ ତାହାର ପରାମର୍ଶ ବି ଦିଅନ୍ତୁ। ଯେଉଁ ହସ୍ପିଟାଲରେ ଯେତେ ଶଯ୍ୟା ଥିବ ସେହି ଅନୁଯାୟୀ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଉ।

ଘରେ ପୃଥକବାସରେ ରହୁଥିବା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲେ ନିଜ ବ୍ୟବସ୍ଥାରେ ହସ୍ପିଟାଲକୁ ଯିବାକୁ ବିଏମ୍‌ସି ଅନୁମତି ଦେଉ। ହସ୍ପିଟାଲ କର୍ତ୍ତୃପକ୍ଷ ବି ଆସୁଥିବା କରୋନା ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ କଡ଼ାକଡ଼ି ନିୟମ କରାଯାଉ।

ବିଭିନ୍ନ କୋଭିଡ୍‌ କେୟାର ସେଣ୍ଟର ଓ କୋଭିଡ୍‌ କେୟାର ହୋମ୍‌ରେ ଅଧିକ ଅମ୍ଳଜାନ ସିଲିଣ୍ଡର ରଖାଯାଉ। ସେଠାରେ ବି ଆକ୍ରାନ୍ତଙ୍କୁ ତୁରନ୍ତ ସ୍ଥାନାନ୍ତର କରି ଚିକିତ୍ସା ଯୋଗାଇବାର ବ୍ୟବସ୍ଥା ହେଉ।

ଯେପରି ଜଣେ ଗୁରୁତର କରୋନା ଆକ୍ରାନ୍ତ ତୁରନ୍ତ ହସ୍ପିଟାଲକୁ ଯାଇପାରିବେ ‌ସେଥିପାଇଁ ତୁରନ୍ତ ଆମ୍ବୁଲାନ୍ସ କରିଡର କରାଯାଉ।

ଏବେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ‌ହୁ ହୁ ହୋଇ ବଢ଼ୁଥିବାରୁ କେବଳ ଭୁବନେଶ୍ବରର ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ରଖାଯାଉ।

ରାଜଧାନୀର ଅନ୍ୟ ଘରୋଇ ହସ୍ପିଟାଲକୁ ଯଦି କେହି ଗୁରୁତର କରୋନା ଆକ୍ରାନ୍ତ ଯାଉଛନ୍ତି ତେବେ ତାଙ୍କୁ ତୁରନ୍ତ ଚିକିତ୍ସା କରିବା ପାଇଁ କଡ଼ାକଡ଼ି ନିୟମ କରାଯାଉ।

ଏହାଦ୍ବାରା ରାଜ୍ୟ ସରକାରଙ୍କର କରୋନା ଚିକିତ୍ସା ସଫଳ ହେବ ଏବଂ ବହୁ କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ହେବ।

ସମ୍ବନ୍ଧିତ ଖବର