ଭୁବନେଶ୍ବର: ଡହଡହ ଖରାରେ ଖୋଲା ଆକାଶ ତଳେ କଟୁଛି ଦିନ। ସଂଜ ନଇଁଲେ ପର ଘରେ ବିତୁଛି ବାକି ଜୀବନ। ବଖୁରିଆ ମାଟି ଘରଟା ଯେବେଠୁ ‘ଫନି’ର ଫୁତ୍କାରରେ ଭୁଶୁଡ଼ି ପଡ଼ିଛି, ସେବେଠୁ ଏମିତି ଦୟନୀୟ ଜୀବନ ବଞ୍ଚୁଛନ୍ତି ୫କୋମଳମତି କୁନିକୁନି ପିଲା। ଅଥଚ ବାତ୍ୟାର ୨୩ ଦିନ ପରେ ବି ଏଠି ପହଞ୍ଚିନି ପ୍ରଶାସନ। ୨ ହଜାର ଟଙ୍କା, ପଲିଥିନ୍ ପାଇଁ ୫ ଶହ ଟଙ୍କା ଏବଂ ଚାଉଳ ଦେଇଦେଇ ଯେମିତି ବଡ଼ ଦୟା କରିଦେଇଛି ପ୍ରଶାସନ। ଏପରି ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ସାଲିଆସାହି ଆଦିବାସୀ ଗାଁ’ରେ। ପର ଦୁଆରେ ମୂଲ ଲାଗି ଇଟା ସିମେଣ୍ଟରେ ସୁରମ୍ୟ ଅଟାଳିକା ଛିଡ଼ା କରୁଥିବା ଚନ୍ଦ୍ରମଣି ପୂର୍ତିଙ୍କ ପରିବାରର ବଖରାଏ ମାଟି ଘର ଥିଲା ସମୁଦାୟ ସମ୍ବଳ। ୫ କୁନିକୁନି ପିଲାଙ୍କ ସମେତ ଆଠ ପ୍ରାଣୀଙ୍କୁ ନେଇ ସେଇ ବଖରୁଆ ଘରେ ମୁଣ୍ଡ ଗୁଞ୍ଜି ଚଳି ଯାଉଥିଲେ ଚନ୍ଦ୍ରମଣି। ମାତ୍ର ଏତକ ବି ଦଇବ ସହିଲାନି। ବାତ୍ୟା ମାଡ଼ରେ ପୂରା ଘର ମାଟିରେ ମିଶିଗଲା। କାଳେ ପ୍ରଶାସନର ବାବୁମାନେ ଆସି ତାଙ୍କ ଘର ଅବସ୍ଥା ଦେଖି ଲେଖିକି ନେଲେ ତାଙ୍କୁ ଘର କରିବାକୁ ଟଙ୍କା ମିଳିବ। ଏଇ ଆଶାରେ ପ୍ରଶାସନର ହାତ ଟେକାକୁ ଚାହିଁ ଚାହିଁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ରଙ୍କୁ ଦେଖିଦେଖି ଚନ୍ଦ୍ରମଣିଙ୍କର ରାତି ପାହୁଛି। ହେଲେ ପ୍ରଶାସନ ଆସୁନାହିଁ, କି ଚନ୍ଦ୍ରମଣିଙ୍କ ମନରେ ଘର କରିବାର ଆଶା ଉଙ୍କି ମାରିପାରୁନାହିଁ। ଫଳରେ ଏବେ ସେଇ ଭଙ୍ଗା ଘର ବାହାରେ ରୋଷେଇ କରି ଖାଉଛନ୍ତି ପୂରା ପରିବାର। ଏନେଇ ୯ମ ଶ୍ରେଣୀରେ ପଢ଼ୁଥିବା ଚନ୍ଦ୍ରମଣିଙ୍କ ଝିଅ ନନ୍ଦିନୀ ପୂର୍ତି କୁହନ୍ତି, ରାତି ହେଲେ ବାପା ମା' ଏଇଠି ବାହାରେ ଶୋଇଯାଆନ୍ତି। ଆମେ ଭାଇ ଭଉଣୀ ପଡ଼ିଶା ଘରେ ଶୋଇପଡ଼ୁଛୁ। ବାପା ଖାଲି କହୁଛନ୍ତି ଜରି ପାଲ ଆଣି ଘରେ ଟାଣିବେ, କିନ୍ତୁ ଟାଣୁନାହାନ୍ତି। ଆଗକୁ ବର୍ଷା ଆସୁଥିବାରୁ ନନ୍ଦିନୀଙ୍କ ଟିକି ମୁଣ୍ଡରେ ବି ବଡ଼ ଚିନ୍ତା। ଘର ନଥିବାରୁ ବର୍ଷା ହେଲେ ତା' ବାପା ମା' ଯେ ହନ୍ତସନ୍ତ ହେବେ ଏକଥା ସେ କହୁକହୁ କହି ପକାଇଥିଲେ। ଏମିତି ବି ପଡ଼ିଶା ଘର ଆଉ ସେମାନଙ୍କୁ କେତେ ଦିନ ସାହା ହେବେ? ମାତ୍ର ବିଡ଼ମ୍ବନା ଏହି ଯେ, ପ୍ରଶାସନ ତ ଦୂରର କଥା ନିର୍ବାଚନ ବେଳେ ରୀତିମତ ଚକ୍କର କାଟୁଥିବା ନେତାମାନେ ବି ଏଠିକୁ ଆସି ଆଃ ପଦେ କହିନାହାନ୍ତି। ଖାଲି ଚନ୍ଦ୍ରମଣିଙ୍କ ପରିବାର ନୁହେଁ, ସେଇ ପାଖକୁ ଲାଗି ରହୁଥିବା ରାନୀ ବାସ୍କେ ବି ସେଇ ସମାନ କଥା କୁହନ୍ତି। ଏଯାଏଁ ଏଠି ଘର ସର୍ଭେ ବାଲାଙ୍କ ପାଦ ପଡ଼ିନି। ଘରୁ ତାଙ୍କର ଆଜବେଷ୍ଟସ ଉଡ଼ିଯିବା ପରେ ଘର ସର୍ଭେ ହେବ ବୋଲି ୨୩ ଦିନ ସମ୍ଭାଳିଲେ। ଯେନତେନ ବାହାରେ ଜରି ପାଲ ଟାଣି ତା'ରି ତଳେ ଏତେ ଦିନ ରହିଲେ। ମାତ୍ର କିଛିଦିନ ତଳେ ବର୍ଷା ହେବାରୁ ଘରେ ଆଣ୍ଠୁଏ ପାଣି ଜମି ତାଙ୍କୁ ନାକେଦମ କରିଦେଲା। ବର୍ଷା ଏମିତି ଛାନିଆ କଲା ଯେ, ସେ ମୁଦି ବନ୍ଧା ପକେଇ ଟଙ୍କା ଆଣି ସେଥିରେ ଘରର ଆଜବେଷ୍ଟସ ପକାଉଛନ୍ତି। ଟଙ୍କା ନଥିବାରୁ ଧାର କରି ଧୀରେଧୀରେ ଆଜବେଷ୍ଟସ ଆଣି ପକାଉଛୁ ବୋଲି ରାନୀଙ୍କ ସ୍ବାମୀ ରୋହନ ମାର୍ଣ୍ଡି କହିଛନ୍ତି। ଆଜବେଷ୍ଟସ ଉଡ଼ି ଯାଇଥିବାରୁ ଯାହା କିଛି ଟଙ୍କା ମିଳିଲେ ବି ଏହି ସମୟରେ ଉପକାର ହୋଇଯାଆନ୍ତା। କିନ୍ତୁ ଏଯାଏଁ ସର୍ଭେ ହୋଇନଥିବାରୁ କେବେ ସର୍ଭେ ହେବ ଏବଂ ଟଙ୍କା ମିଳିବ ତାକୁ ଅପେକ୍ଷା କରୁକରୁ ଆମକୁ ବର୍ଷାରେ ନାକେଦମ ହେବାକୁ ପଡ଼ିବ ବୋଲି କୁହନ୍ତି ରୋହନ। ରୋହନ ଓ ଚନ୍ଦ୍ରମଣିଙ୍କ ଭଳି ଆଉ କିଛି ପରିବାର ବି ଏବେ ଘର ସର୍ଭେ ହେବ ବୋଲି ସରକାରୀ ବାବୁମାନଙ୍କ ବାଟ ଚାହିଁଚାହିଁ ଭଙ୍ଗା ଘରକୁ ସଜାଡ଼ି ପାରୁନାହାନ୍ତି। ଘର ସଜାଡ଼ିବାକୁ ଅନେକଙ୍କ ପାଖରେ ଆବଶ୍ୟକୀୟ ଅର୍ଥ ନଥିବା ବେଳେ ଘର କରିଦେଲେ ଯାହା ସହାୟତା ମିଳିବା କଥା କାଳେ ନମିଳିବ ସେଇକଥା ଭାବି ଭାବି ଭଙ୍ଗା ଘରକୁ ସଜାଡ଼ିପାରୁନାହାନ୍ତି।
ଘର ସର୍ଭେ ଭେଳିକି, ଦିନରେ ଖୋଲା ଆକାଶ, ରାତିରେ ପର ଘର ସାହା
/sambad/media/post_attachments/wp-content/uploads/2019/05/Untitled-20-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)