ସର୍ଭେରେ ଭାଗ ନେବାକୁ ପିଲାଙ୍କୁ ଦିଆଗଲା ହୋମୱାର୍କ, ବାସୋପଯୋଗୀ ସହର ସର୍ଭେରେ ଆଗରେ ରହିବାକୁ ଉଦ୍ୟମ

ଭୁବନେଶ୍ବର: ଦେଶରେ ଥିବା ୯୮ଟି ସ୍ମାର୍ଟ ସିଟି ମଧ୍ୟରୁ କେଉଁ ସ୍ମାର୍ଟ ସିଟିରେ ଲୋକ ରହିବାକୁ ଅଧିକ ପସନ୍ଦ କରୁଛନ୍ତି ବା ସବୁଠୁ ଅଧିକ ବାସୋପଯୋଗୀ ସହର କିଏ ତାହା ବାଛିବା ପାଇଁ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି। ଫେବ୍ରୁଆରି ୧ରୁ ୨୯ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ସର୍ଭେରେ ଭୁବନେଶ୍ବର ଥିବାରୁ ଭୁବନେଶ୍ବରକୁ ସବୁଠୁ ଅଧିକ ବାସୋପଯୋଗୀ ସହର କରିବା ପାଇଁ ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତିି। ଏପରିକି ବିଭିନ୍ନ ସ୍କୁଲ, କଲେଜରେ ସଚେତନତା ସୃଷ୍ଟି କରିବା ପରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏନେଇ ହୋମ୍‌ୱାର୍କ ଦିଆଯାଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଏହି ସର୍ଭେରେ ଅଧିକ ଲୋକଙ୍କୁ ସଂପୃକ୍ତି କରିବା ଲକ୍ଷ୍ୟରେ ମଡର୍ଣ୍ଣ ଇଂଲିସ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଆଜି ଏହି ସର୍ଭେ ଫର୍ମ ହୋମ୍‌ୱାର୍କ ଭାବେ ଦିଆଯାଇଛି। ଏହି ହୋମୱାର୍କ ସେମାନଙ୍କ ଅଭିଭାବକମାନେ କରିବେ। ସର୍ଭେ ଫର୍ମକୁ ଅଭିଭାବକମାନଙ୍କ ଠାରୁ ପୂରଣ କରି ଆଣିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି।

ଏହି ସର୍ବେକ୍ଷଣରେ ୨୧ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ। ଏଥିରେ ରାଜଧାନୀରେ ମିଳୁଥିବା ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ବର୍ଜ୍ୟସଂଗ୍ରହ, ପାନୀୟ ଜଳ ବ୍ୟବସ୍ଥା, ଜଳବନ୍ଦୀ, ଭଡ଼ାଘର, ଯୋଗାଯୋଗ, ମହିଳା ସୁରକ୍ଷା, ଜରୁରୀକାଳୀନ ସେବା, ରୋଜଗାର ସୁଯୋଗ, ଆମୋଦପ୍ରମୋଦ ଓ ଚିତ୍ତ ବିନୋଦନ, ବସବାସର ଖର୍ଚ୍ଚ, ଆର୍ଥିକ ସେବା, ବାୟୁମଣ୍ଡଳର ମାନ, ବିସ୍ତୃତ ସବୁଜିମା ଓ ବିଦ୍ୟୁତ ଯୋଗାଣ ଇତ୍ୟାଦିକୁ ନେଇ ସେମାନଙ୍କ ମତାମତ ଦେବେ। ଲୋକମାନେ http://eol2019.org/citizenfeedback କୁ ଯାଇ ସେମାନଙ୍କର ମତାମତ ଦେଇପାରିବେ ବୋଲି କୁହାଯାଇଛି।
ସ୍ମାର୍ଟ ସିଟି ପ୍ରତିଯୋଗିତା ବେଳେ ବିଏମ୍‌ସି ଏହିଭଳି ପ୍ରଚାର କରି ନାଗରିକ ମତାମତ ସଂଗ୍ରହ କରିବାରେ ସବୁଠୁ ଆଗରେ ଥିଲା। ଏହି ସର୍ଭେରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବର ଅନ୍ୟ ସହର ତୁଳନାରେ ଆଗରେ ଅଛି। ଅଧିକରୁ ଅଧିକ ଲୋକ ଯେପରି ଭାଗ ନେବେ ସେଥିପାଇଁ ସାମାଜିକ ଗଣମାଧ୍ୟମ, ଏଫ୍‌ଏମ୍‌ ରେଡିଓ, ପାର୍କ ଉତ୍ସବ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସର୍ବସାଧାରଣ ସ୍ଥାନରେ ବିଏମ୍‌ସି ପକ୍ଷରୁ ଜୋରଦାର୍ ପ୍ରଚାର ଚାଲିଛି।

ସମ୍ବନ୍ଧିତ ଖବର