କାହା ପାଇଁ ହୋମିଓପାଥିକ ଡିସ୍ପେନ୍‌ସାରି? ଏକାଧିକରେ ଝୁଲୁଛି ତାଲା, ହଜିଗଲାଣି ସୂଚନା ବୋର୍ଡ

ଭୁବନେଶ୍ୱର : ପୁରାତନ ଚିକିତ୍ସା ପଦ୍ଧତି ଭାବେ ହୋମିଓପାଥି ଚିକିତ୍ସାର ଆଜି ବି ବେଶ୍ ଚାହିଦା ରହିଛି। ସୁଲଭ ଦର ଓ ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ ଏହା ଆଦୃତି ଲାଭ କରିଛି। ଏହାର ଲୋକପ୍ରିୟତାକୁ ଆଧାର କରି ବିଏମ୍‌ସି ଭୁବନେଶ୍ବରରେ ୧୧ଟି ଡିସ୍ପେନ୍‌ସାରି ପ୍ରତିଷ୍ଠା କରିବା ସହ ମାଗଣାରେ ପରାମର୍ଶ ଓ ଔଷଧ ପ୍ରଦାନ କରୁଥିଲା। କିନ୍ତୁ କ୍ରମାଗତ ପ୍ରଶାସନିକ ଅବହେଳାର ଶିକାର ହୋଇ ଏହି ଡିସ୍ପେନ୍‌ସାରି ଏବେ ଲୋକଙ୍କ କାମରେ ଆସୁନାହିଁ। ଏକାଧିକ ଡିସ୍ପେନ୍‌ସାରିରେ ତାଲା ଝୁଲୁଛି। ୧୧ ଡିସ୍ପେନ୍‌ସାରି ପାଇଁ ଦୁଇଜଣ ଡାକ୍ତର ଓ ଦୁଇଜଣ ହୋମିଓ ଆସିଷ୍ଟାଣ୍ଟ ଅଛନ୍ତି। କେଉଁ ଡିସ୍ପେନ୍‌ସାରି କେତେବେଳେ ଖୋଲୁଛି? କେଉଁଠି କେଉଁ ଡାକ୍ତର ବସୁଛନ୍ତି? କାହା ପାଖରେ କିଛି ସୂଚନା ନାହିଁ। ଏଣୁ ରୋଗୀ ଆସିବେ କେମିତି?

୧୧ ଡିସ୍ପେନ୍‌ସାରି ପାଇଁ ୬ଟି ଡାକ୍ତର ପଦବି ମଞ୍ଜୁରି ହୋଇଥିଲା। କିଏ କେଉଁଠି ବସିବ ବା କେଉଁ ଡିସ୍ପେନ୍‌ସାରି କେତେବେଳେ, କେତେ ସମୟ ପର୍ଯ୍ୟନ୍ତ ଖୋଲିବ, ସେନେଇ ତାଲିକା ପ୍ରକାଶ ପାଇବା ସହ ଡିସ୍ପେନ୍‌ସାରି ସମ୍ମୁଖରେ ସୂଚନା ରହୁଥିଲା। ଲୋକମାନେ ସେହି ଅନୁସାରେ ଚିକିତ୍ସା ପାଇଁ ପହଞ୍ଚୁଥିଲେ। କିନ୍ତୁ ଏବେ ନା ସୂଚନା ଅଛି ନା ନିୟମିତ ଖୋଲୁଛି। ଅନ୍ୟପଟେ ଡାକ୍ତର ବଦଳି ଓ ଅବସର ନେବା ପରେ ନିଯୁକ୍ତି ହେଉନାହିଁ। ଏବେ ଦୁଇଜଣ ଡାକ୍ତର ଅଛନ୍ତି। ବିଏମ୍‌ସିର ଦୁଇଜଣ ଡିଏଲ୍ଆର କର୍ମଚାରୀ ଏଠାରେ ହୋମିଓ ଆସିଷ୍ଟାଣ୍ଟ ଭାବେ କାମ କରୁଛନ୍ତି। ସେମାନଙ୍କର ହୋମିଓପାଥି ବାବଦରେ କୌଣସି ଅଭିଜ୍ଞତା ନାହିଁ। କେତେ ସମୟ ସେମାନେ ଡ୍ୟୁଟି କରୁଛନ୍ତି, ତାହାର ହିସାବ ମଧ୍ୟ କେହି ରଖୁନାହାନ୍ତି।

ଡୁମୁଡ଼ୁମା, ବରମୁଣ୍ଡା, ପୁରୁଣା ଭୁବନେଶ୍ବର, କପିଳେଶ୍ୱର, ନୂଆଗାଁ, ଚନ୍ଦ୍ରଶେଖରପୁର, ରେଣ୍ଟାଲ୍ କଲୋନି, ବଡ଼ଗଡ଼, ୟୁନିଟ୍-୯ ଓ ବ୍ଲାଇଣ୍ଡ୍ ସ୍କୁଲ୍ ପାଖରେ ଏହି ସବୁ ଡିସ୍ପେନ୍‌ସାରି ରହିଛି। ଡୁମୁଡୁମା ଡିସ୍ପେନ୍‌ସାରି ଭଡ଼ାରେ ଚାଲୁଥିବା ବେଳେ ଅନ୍ୟ ୧୦ଟି ନିଜସ୍ବ ଜମି ଓ କୋଠାରେ ଚାଲୁଛି। ସହରର ଛାତି ଉପରେ ରହିଥିବା ଏହି ସବୁ ଜାଗା ଭଡ଼ାରେ ଲାଗିଲେ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ ହୋଇପାରିବ। ଡାକ୍ତର ଓ କର୍ମଚାରୀଙ୍କ ଦରମା ହିସାବକୁ ନେଲେ ମାସକୁ ଖର୍ଚ୍ଚ ୨ଲକ୍ଷ ଡେଇଁବ। ପ୍ରତି ଡିସ୍ପେନ୍‌ସାରି ବିଏମ୍‌ସିକୁ ପ୍ରତି ମାସ ୧୫ ହଜାର ଟଙ୍କା ଦେଉଛି। ଯେଉଁଥିରେ ‘ହୋମିଓପାଥିକ୍ ଗ୍ଲୋବ୍ୟୁଲ୍ସ୍’ (ହୋମିଓପାଥିକ ଗୁଲି) କିଣା ଯାଉଛି। ଏହି ଗୁଲିରେ ପକାଇବା ପାଇଁ ଔଷଧ ଯୋଗାଉଛି ସରକାରଙ୍କ ଆୟୁଷ ନିର୍ଦ୍ଦେଶାଳୟ। ଏଥିପାଇଁ ମାସକୁ ପ୍ରାୟ ଲକ୍ଷେ ଟଙ୍କାର ଔଷଧ ଆସୁଛି। ଏତେ ଟଙ୍କା ଖର୍ଚ୍ଚ ସତ୍ତ୍ବେ ଏହା ଜଣେ ହେଲେ ଲୋକର କାମରେ ଲାଗୁନାହିଁ।

ଏ ସବୁର ପରିଚାଳନା ଚିଫ୍ ମ୍ୟୁନିସିପାଲ ମେଡିକାଲ ଅଫିସର (ସିଏମ୍ଏମ୍ଓ) କରୁଛନ୍ତି। ସେ ଯାହା ତାଲିକା ଦେଉଛନ୍ତି, ସେହି ଅନୁସାରେ ବିଏମ୍‌ସି ଓ ଆୟୁଷ ନିର୍ଦ୍ଦେଶାଳୟ ଔଷଧ ଯୋଗାଉଛନ୍ତି। କେତେ ରୋଗୀ ଆସୁଛନ୍ତି? କେତେ ଔଷଧ ଖର୍ଚ୍ଚ ହେଉଛି? ତାଲିକା ଅନୁସାରେ ଯୋଗାଇ ଦିଆଯାଉଥିବା ଔଷଧ ସବୁ ଲୋକଙ୍କୁ ବଣ୍ଟାଯାଉଛି ନା ବଳକା ରହୁଛି? ଏ ହିସାବ କେହି ରଖୁନାହାନ୍ତି। ପରିଚଳାନାଗତ ତ୍ରୁଟି ଯୋଗୁଁ ଏହି ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏହାର ଫାଇଦା ନେଇ ଡାକ୍ତର ଓ କର୍ମଚାରୀମାନେ ଘଣ୍ଟେ ଦୁଇ ଘଣ୍ଟା ବସିବା ପରେ ଡିସ୍ପେନ୍‌ସାରି ତାଲା ପକାଇ ଚାଲି ଯାଉଛନ୍ତି।

ଭୁବନେଶ୍ବରରେ ସିଧାସଳଖ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ୧୫ଟି ଏଭଳି ହୋମିଓପାଥିକ ଡିସ୍ପେନ୍‌ସାରି ରହିଛି। କେଉଁ ଡାକ୍ତର କେଉଁଠି ବସୁଛନ୍ତି, ତାହାର ତାଲିକା ପ୍ରକାଶ ପାଉଛି। ନିୟମିତ ଖୋଲୁଥିବାରୁ ଏଠାରେ ଭିଡ଼ ରହୁଛି। ସେହିଭଳି ଘରୋଇ ହୋମିଓ କ୍ଲିନିକ୍ ୩ ଶହରୁ ଅଧିକ ରହିଛି। ଡାକ୍ତର ଫି’ ଓ ଔଷଧ ବାବଦକୁ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏଠାରେ ଭିଡ଼ ହେଉଛି। କିନ୍ତୁ ବିଏମ୍‌ସିର ଏହି ୧୧ ଡିସ୍ପେନ୍‌ସାରି ଭୂତକୋଠି ହୋଇ ପଡ଼ିଛି।

ଵାର୍ଡ ନମ୍ବର ୧୩ର କର୍ପୋରେଟର୍ ଇତିଶ୍ରୀ ଦାସଙ୍କ ଅଭିଯୋଗ, ଏଠାରେ ଥିବା ଡିସ୍ପେନ୍‌ସାରି କେବଳ ସୋମବାର ଦିନ ମାତ୍ର ୩ ଘଣ୍ଟା ପାଇଁ ଖୋଲା ରହୁଛି। ଭଲ ଚିକିତ୍ସା ଓ ଔଷଧ ମିଳୁ ଥିବାରୁ ଅଧିକ ସଂଖ୍ୟାରେ ଲୋକେ ଏଠାକୁ ଆସୁଛନ୍ତି, ହେଲେ ମାତ୍ର ଗୋଟିଏ ଦିନ ସେବା ଦିଆଯାଉଥିବାରୁ ସେହି ଦିନ ଭିଡ଼ ଜମୁଛି ଏବଂ ସମସ୍ତ ରୋଗୀ ଚିକିତ୍ସିତ ହୋଇ ପାରୁନାହାନ୍ତି। ଏ ନେଇ ମେୟର ଓ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଡିସ୍ପେନ୍‌ସାରି ସମ୍ମୁଖରେ ବୋର୍ଡ ତ ଦୂରର କଥା, କାନ୍ଥରେ ମଧ୍ୟ ଚିକିତ୍ସାଳୟ ନାଁ ଲେଖା ଯାଇନଥିବାରୁ ଲୋକମାନେ ଏହାକୁ ଖୋଜି ପାଉନାହାନ୍ତି। ସେହିପରି ଵାର୍ଡ ନମ୍ବର ୬୦ର କର୍ପୋରେଟର୍ ଚନ୍ଦ୍ରଶେଖର ମଲିଆ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କପିଳେଶ୍ୱରରେ ଥିବା ଡିସ୍ପେନ୍‌ସାରି ମାତ୍ର ଗୋଟିଏ ଦିନ ଖୋଲା ହେବାରୁ ସବୁ ରୋଗୀ ଚିକିତ୍ସିତ ହୋଇପାରୁନାହାନ୍ତି। ଵାର୍ଡର ପ୍ରାୟ ଲୋକେ ଉକ୍ତ ଡିସ୍ପେନ୍‌ସାରି ଉପରେ ନିର୍ଭର କରୁଥିବାରୁ ସେ ବିଏମ୍‌ସିର ଏକ ବୈଠକରେ ଏନେଇ ଆଲୋଚନା ମଧ୍ୟ କରିଥିଲେ।

ଏ ସଂପର୍କରେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏଠାରେ ମୋଟ ୬ଟି ଡାକ୍ତର ପଦ ମଞ୍ଜୁରି ପାଇଛି। ଏଥିରୁ ଖାଲି ପଡ଼ିଥିବା ୪ପଦ ପୂରଣ କରିବା ପାଇଁ ଆମେ ସରକାରଙ୍କୁ ଚିଠି ଲେଖିଛୁ। ଏହା କିଭଳି ନିୟମିତ ଚାଲିବ, କେଉଁ ସମୟରେ ଡାକ୍ତର କେଉଁଠି ଉପଲବ୍ଧ ହେବେ, ସେ ନେଇ ସୂଚନା ଦେବା ପାଇଁ ବ୍ୟବସ୍ଥା କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର