ନନ୍ଦନକାନନକୁ ଆସିଲେ ହୁଲକ୍ ଗିବନ ଓ ଚିତା ବିରାଡ଼ି

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ଏକ ହଳ ହୁଲକ୍ ଗିବନ୍ ଓ ଏକ ହଳ ଚିତା ବିରାଡ଼ି। ଅରୁଣାଚଳପ୍ରଦେଶ ଇଟ୍ଟାନଗରରୁ ଏହି ବିରଳ ପ୍ରାଣୀମାନଙ୍କୁ ବାଘ ସୋହିନୀ ଓ ରକି ପ୍ରତିବଦଳରେ ଅଣାଯାଇଛି। ହୁଲକ ଗିବନ ଓ ଚିତା ବିରାଡ଼ିଙ୍କୁ ଆଣିବା ପାଇଁ ଗତ ୧୪ ତାରିଖରେ ନନ୍ଦନକାନନର ଏସିଏଫ୍ ରଶ୍ମି ରଞ୍ଜନ ସ୍ବାଇଁଙ୍କ ତତ୍ବାବଧାନରେ ୬ ଜଣିଆ କର୍ମଚାରୀ ଦଳ ଇଟ୍ଟାନଗର ଗସ୍ତ କରିଥିଲେ।

ପ୍ରତିବଦଳରେ ସାଥୀରେ ନେଇଥିବା ମହାବଳ ବାଘ ସୋହିନୀ ଓ ରକିଙ୍କୁ ହସ୍ତାନ୍ତର କରିବାପରେ ଚୂକ୍ତି ମୁତାବକ ସେଠାରୁ ହୁଲକ ଗିବନ ଓ ଚିତା ବିରାଡ଼ିଙ୍କୁ ପୃଥକ୍ ପୃଥକ୍ ୪ଟି ପେଟିରେ ଭର୍ତ୍ତିକରି ସାଥିରେ ଧରି ନନ୍ଦନକାନନରେ ପହଁଚିଛନ୍ତି। ଆସିଥିବା ହୁଲକ ଗିବନଙ୍କ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ଅଛନ୍ତି। ସେହିଭଳି ଆସିଥିବା ଚିତା ବିରାଡି ମଧ୍ୟରେ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ଅଛନ୍ତି। ଅଣାଯାଇଥିବା ୪ଟି ଜୀବଙ୍କର ବୟସ ୪ ବର୍ଷ ମଧ୍ୟରେ ଓ ସେମାନେ ସୁସ୍ଥ ଅଛନ୍ତି। ନନ୍ଦନକାନନକୁ ନୂଆକରି ଆସିଥିବା ବିଲୁପ୍ତ ପ୍ରାୟ ବିରଳ ପ୍ରଜାତିର ପ୍ରାଣୀ ହୁଲକ୍ ଗିବନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଅଧକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର