ଶିକ୍ଷାନୁଷ୍ଠାନକୁ ଭରସା ଅବସରପ୍ରାପ୍ତ ଶିକ୍ଷକ: ଯୁକ୍ତ୩ରୁ ଅଲଗା ହେବ ଯୁକ୍ତ୨ କଲେଜ

୫ ଜିଲ୍ଲାରେ କରାଯିବ ପାଇଲଟ ପ୍ରୋଜେକ୍ଟ, ଉଚ୍ଚଶିକ୍ଷା ବିଭାଗକୁ ଫେରିବେ ୯୮୮ ଅଧ୍ୟାପକ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟଗୁଡ଼ିକରେ ପ୍ରଫେସର ଅଭାବ। ମହାବିଦ୍ୟାଳୟଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା। କେଉଁଠି ଏକ ଅଙ୍କ ତ ଆଉ କେଉଁଠି ଦୁଇ ଅଙ୍କ ଶିକ୍ଷକରେ ଚାଲିଛି ଶିକ୍ଷାନୁଷ୍ଠାନ। ଏମିତି ବି ସରକାରୀ ବିଶ୍ବବିଦ୍ୟାଳୟ ରହିଛି ଯେଉଁଠିକୁ ଆଦୌ ପ୍ରଫେସର ମଞ୍ଜୁର ହୋଇ ନାହାନ୍ତି। ପରିଣାମ ସ୍ବରୂପ ପିଲାଙ୍କ ଗୁଣାତ୍ମକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଗୋଟିଏପଟେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ନେଇ ରାଜ୍ୟ ସରକାର କାଠଗଡ଼ାରେ ଥିବା ବେଳେ ଅନ୍ୟପଟେ କ୍ୟାମ୍ପସରେ ପାଠପଢ଼ା ପ୍ରଭାବିତ ଏବେ ଚିନ୍ତାର କାରଣ ପାଲଟିଛି। ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବା ଦେଖି ଏବେ ଅବସରପ୍ରାପ୍ତ ଶିକ୍ଷକ(ଟିଚିଂ ଷ୍ଟାଫ୍‌)ଙ୍କୁ ନିଯୁକ୍ତି କରି ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟରେ ଅବସରପ୍ରାପ୍ତ ଅଧ୍ୟାପକ, ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତ କରି ଶିକ୍ଷକ ମରୁଡ଼ି ସମସ୍ୟା ଦୂର କରିବାକୁ ନିଷ୍ପତ୍ତି ନିଆଯାଇଛି।

ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ବିଶ୍ବବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପଦବି ପୂରଣ କରିବା ଏବେ ସମ୍ଭବପର ହେଉ ନ ଥିବାରୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମ ଅନୁଯାୟୀ ଅବସରପ୍ରାପ୍ତ ଅଧ୍ୟାପକ, ଅତିଥି ଅଧ୍ୟାପକ, ଶିଳ୍ପ ବିଶେଷଜ୍ଞଙ୍କୁ ନିଯୁକ୍ତି କରି ସମସ୍ୟାର ସମାଧାନ କରାଯିବ। ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ସର୍ବାଧିକ ବୟସ ସୀମା ୭୦ ବର୍ଷ ରହିବ। ଅର୍ଥ ବିଭାଗ ନିୟମ ଅନୁଯାୟୀ ସେମାନଙ୍କୁ ଦରମା ମିଳିବ। ୟୁଜିସି ନିୟମ ଅନୁଯାୟୀ ୧୭ଟି ସରକାରୀ ବିଶ୍ବବିଦ୍ୟାଳୟରେ ସ୍ନାତକ ଓ ସ୍ନାତକତ୍ତୋର ପାଠ୍ୟକ୍ରମରେ ମୋଟ ୨୯୯୨ଟି ପଦବି ରହିବା କଥା। ମାତ୍ର ସେଥିମଧ୍ୟରୁ ୧୮୦୦ ମଞ୍ଜୁରି ପ୍ରାପ୍ତ ପଦବି ରହିଛି। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଓ ଧରଣୀଧର ବିଶ୍ବବିଦ୍ୟାଳୟ ପାଇଁ ଏପର୍ଯ୍ୟନ୍ତ ଅତିରିକ୍ତ ପଦବି ମଞ୍ଜୁର ହୋଇ ନାହିଁ। ପଦବିଗୁଡ଼ିକ ସୃଷ୍ଟି କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅର୍ଥ ବିଭାଗକୁ ପ୍ରସ୍ତାବ ପଠାଇଛି। ୟୁଜିସି ନିୟମଠାରୁ ଯେଉଁଠି ଅଧିକ ଅଧ୍ୟାପକ ରହିଛନ୍ତି ସେମାନଙ୍କୁ ଅନ୍ୟତ୍ର ବଦଳି କରାଯିବ। ଫଳରେ ଯେଉଁଠି ଶିକ୍ଷକ ଅଭାବ ରହିଛି ତାହା ପୂରଣ ହୋଇପାରିବ।

ସେହିପରି ଡିଗ୍ରି ମହାବିଦ୍ୟାଳୟରୁ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ଗୁଡ଼ିକୁ ଅଲଗା କରିବା ଦିଗରେ ପଦକ୍ଷେପ ନିଆଯାଇଛି। ପାଇଲଟ୍ ପ୍ରୋଜେକ୍ଟ ଭାବେ କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଏକାଠି ଥିବା ଶିକ୍ଷାନୁଷ୍ଠାନକୁ ପ୍ରଥମ ପର୍ଯ୍ୟାୟରେ ଅଲଗା କରାଯିବ। ଯୁକ୍ତ୨ କଲେଜକୁ ଡିଗ୍ରି କଲେଜରୁ ଅଲଗା କରାଯାଇ ନିକଟରେ ଥିବା ହାଇସ୍କୁଲ ସହ ମିଶାଯିବ। ନ ହେଲେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଡିଗ୍ରି ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ କର୍ମଚାରୀ ପଦବିକୁ ଅସ୍ଥାୟୀ ଭାବେ ପୂରଣ କରାଯିବ। ଏବେ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତ ହୋଇଥିବା ୯୮୮ଜଣ ଅଧ୍ୟାପକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଯୁକ୍ତ୨ କଲେଜରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ପୁଣିଥରେ ଉଚ୍ଚଶିକ୍ଷା ବିଭାଗକୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନିଆଯାଉଛି। ୪୮୮ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ ଯୁକ୍ତ୨ କଲେଜର ଖାଲି ପଦବି ପୂରଣ ପାଇଁ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପିଜିଟି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ପଦବିଗୁଡ଼ିକ ପୂରଣ ହେବା ପରେ ଅଧ୍ୟାପକମାନେ ଉଚ୍ଚଶିକ୍ଷା ବିଭାଗକୁ ଫେରିଯିବେ ବୋଲି ଗତ ୫ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍ନାତକ ମହାବିଦ୍ୟାଳୟରେ ଖାଲି ଥିବା ପଦବିଗୁଡ଼ିକରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ନିୟୋଜିତ କରାଯିବ। ସେମାନଙ୍କ ବୟସ ସୀମା ୭୦ ବର୍ଷ ରହିବ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିୟମାବଳୀ ପ୍ରସ୍ତୁତ ହେବ। ୪୮୮ ଓ ୬୬୨ ବର୍ଗ କଲେଜରେ ଖାଲିଥିବା ଅଣଶିକ୍ଷକ ପଦବିଗୁଡ଼ିକରେ ସରକାରୀ/ବିଶ୍ବବିଦ୍ୟାଳୟ/ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯିବ। ସେମାନଙ୍କ ସର୍ବାଧିକ ବୟସ ସୀମା ୬୫ ବର୍ଷ ରହିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର