ଭୁବନେଶ୍ୱର:ନୂଆବର୍ଷରୁ ନୂଆ ଅଭିଯାନ ଆରମ୍ଭ କରିଛି ବିଏମ୍ସି ଓ ବିଡିଏ। ପୂରା ରାଜଧାନୀକୁ ବେଆଇନ ହୋର୍ଡିଂ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ। ନୋ ହୋର୍ଡିଂ ଜୋନ୍ ସମେତ ରାଜଧାନୀରେ ଯେପରି କୌଣସି ସ୍ଥାନରେ ବିନା ଅନୁମତିରେ ହୋର୍ଡିଂ ଲାଗିବନି ଏବଂ ଯେଉଁଠି ଲାଗିଛି ତୁରନ୍ତ ହଟାଯିବ ସେନେଇ ଆଜିଠାରୁ ଉଚ୍ଛେଦ ଅଭିଯାନ ଜୋରଦାର ହୋଇଛି।
ପ୍ରଥମ ଦିନରେ ବିଏମ୍ସି ଓ ବିଡିଏ ଦ୍ୱାରା ଗଠନ ହୋଇଥିବା ଯୁଗ୍ମ ସ୍କ୍ଵାଡ୍ ୫ଟି ରୁଟ୍ରୁ ୫୦୦ଟି ଛୋଟ, ବଡ଼ ହୋର୍ଡିଂ ଉଚ୍ଛେଦ କରିଛି। ଶିଶୁ ଭବନରୁ ନୂଆ ବିମାନବନ୍ଦର ଛକ, ନୂଆ ବିମାନବନ୍ଦର ଛକରୁ ରବୀନ୍ଦ୍ର ମଣ୍ଡପ , ଏଜି ଛକରୁ ରାଜମହଲ, ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍, ରାଜମହଲରୁ କଳ୍ପନା ପର୍ଯ୍ୟନ୍ତ ରାସ୍ତାରୁ ଏହି ବେଆଇନ୍ ହୋର୍ଡିଂ ଉଚ୍ଛେଦ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଲାଗିଥିବା ବେଆଇନ ତୋରଣ, ହୋର୍ଡିଂ ଏବଂ ପତାକାକୁ ଉଚ୍ଛେଦ କରାଯାଇଛି। ପ୍ରଥମ ଦିନରେ ବିଭିନ୍ନ ରାଜନୈତିକ ଦଳର ୫୦୦ରୁ ଅଧିକ ହୋର୍ଡିଂ ଏବଂ ହଜାର ହଜାର ପତାକା କଢ଼ାଯାଇଛି। ବିଏମ୍ସି-ବିଡିଏର ଏହି ମିଳିତ ଉଚ୍ଛେଦରେ ଶାସକ ବିଜେଡିର ସର୍ବାଧିକ ହୋର୍ଡିଂ ଓ ପତାକା ଉଚ୍ଛେଦ କରାଯାଇଛି। ଏପରିକି ଉଚ୍ଛେଦ ହୋଇଥିବା ସାମଗ୍ରୀଗୁଡ଼ିକୁ ୩ଟି ଟ୍ରକ୍ରେ ନେଇ ଡମ୍ପିଂୟାର୍ଡରେ ପକାଯାଇଛି।
ନଜରରେ ରାଜନୈତିକ ଦଳର ହୋର୍ଡିଂ
ହଟିଲା ୫୦୦ ହୋର୍ଡିଂ, ହଜାର ହଜାର ପତାକା
ପ୍ରଥମ ଦିନରେ ୫ଟି ରୁଟ୍ରେ ଉଚ୍ଛେଦ
ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ସହ ଯେପରି କେହି ବେଆଇନ ହୋର୍ଡିଂ ଲଗାଇବେନି, ଖାସ୍ କରି ରାଜନୈତିକ ଦଳ ଏଥିରୁ ନିବୃତ୍ତ ରହିବେ ସେଥିପାଇଁ ବିଏମ୍ସି ଏହି ଅଭିଯାନ ଆରମ୍ଭ କରିଛି। ପ୍ରଥମ ପଦକ୍ଷେପ ସ୍ୱରୂପ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଡାକି ବିଏମ୍ସି କମିସନର ଆଲୋଚନା କରିଛନ୍ତି। ଦ୍ୱିତୀୟ ପଦକ୍ଷେପରେ ଆଜି ରାଜଧାନୀର ପ୍ରାୟ ସମସ୍ତ ପ୍ରମୁଖ ଅଞ୍ଚଳରୁ ବେଆଇନ ହୋର୍ଡିଂ ଉଚ୍ଛେଦ ଆରମ୍ଭ ହୋଇଛି। ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିଭିନ୍ନ ରାଜନୈତିକ ଦଳର ସମାବେଶ କି ସ୍ୱତନ୍ତ୍ର କାର୍ଯ୍ୟକ୍ରମ, କୌଣସି ଦଳର କେନ୍ଦ୍ରୀୟ ନେତା ଭୁବନେଶ୍ୱର ଆସିଲେ ପୂରା ରାଜଧାନୀରେ ବେଆଇନ ହୋର୍ଡିଂ ଓ ଦଳୀୟ ପତାକା ଛାଇ ଯାଉଛି। ଏପରିକି ନୋ ହୋର୍ଡିଂ ଜୋନ୍କୁ ବି ମାନୁନାହାନ୍ତି। ଆମେ ଉଚ୍ଛେଦ କଲେ ପ୍ରତିରୋଧ କରାଯାଉଛି। ତେଣୁ ବେଆଇନ ହୋର୍ଡିଂ ହଟାଇବା ସହ ଆଗାମୀ ଦିନରେ ଯେପରି ନିୟମ ଅନୁଯାୟୀ ଚିହ୍ନଟ ହୋଇଥିବା ସ୍ଥାନରେ ହୋର୍ଡିଂ ଲଗାଇବେ ଏବଂ ଏଥିପାଇଁ ବିଏମ୍ସିରେ ଆବେଦନ କରି ଅନୁମତି ନେବେ ସେନେଇ ବନ୍ଦୋବସ୍ତ କରାଯାଇଛି। ଏଣିକି ବିଏମ୍ସି େଓ୍ଵବସାଇଟ୍ରେ ଆବଶ୍ୟକ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏନେଇ ଆମେ ସର୍ବଦଳୀୟ ବୈଠକରେ ଆଲୋଚନା କରିବା ପରେ ଆଜି ବେଆଇନ୍ ହୋର୍ଡିଂ ଉଚ୍ଛେଦ କରିଛୁ। ଏବେଠୁ ବେଆଇନ ହୋର୍ଡିଂ କ୍ଷେତ୍ରରେ ଜିରୋ ଟଲରାନ୍ସ ନୀତି ଆପଣାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। କିଏ କେତେ ଦିନ ପାଇଁ କେଉଁଠି ହୋର୍ଡିଂ ଲଗାଇବାକୁ ଅନୁମତି ନେଇଛି ତା’ର ସବିଶେଷ ତଥ୍ୟ ବିଏମ୍ସି େଓ୍ଵବସାଇଟରେ ଉପଲବ୍ଧ ହେବ। ଏହାକୁ ପ୍ରତିଦିନ ଯାଞ୍ଚ କରି ବେଆଇନ ହୋର୍ଡିଂଗୁଡ଼ିକୁ ନିୟମିତ ବ୍ୟବଧାନରେ ଉଚ୍ଛେଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ସମଗ୍ର ପୁରୁଣା ଭୁବନେଶ୍ୱର ନୋ ହୋର୍ଡିଂ ଜୋନ୍
ଐତିହ୍ୟ ଜୋନ୍ ପୁରୁଣା ଭୁବନେଶ୍ୱରକୁ ନୋ ହୋର୍ଡିଂ ଜୋନ୍ ଘୋଷଣା କରିଛି ବିଏମ୍ସି। ପୁରୁଣା ଭୁବନେଶ୍ୱରରେ ଐତିହ୍ୟ, କୀର୍ତ୍ତିରାଜି ଭରି ରହିଥିବାବେଳେ ଏହାର ସୌନ୍ଦର୍ଯ୍ୟ ଓ ଗୁରୁତ୍ୱକୁ ନଜରରେ ରଖି ନୋ ହୋର୍ଡିଂ ଜୋନ୍ କରାଯିବ ବୋଲି ସର୍ବଦଳୀୟ ବୈଠକରେ ସମ୍ମତି ପ୍ରକାଶ ପାଇଥିଲା। ଏହାକୁ କାର୍ଯ୍ୟକାରୀ କରିବାକୁ ବିଏମ୍ସି ଖୁବ୍ ଶୀଘ୍ର ବିଜ୍ଞପ୍ତି ଜାରି କରିବ। ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ୭ମ ଶତାବ୍ଦୀରୁ ୧୫ତମ ଶତାବ୍ଦୀ ମଧ୍ୟରେ ବହୁ ଐତିହ୍ୟ, କୀର୍ତ୍ତିରାଜି ରହିଥିବାବେଳେ ଏହାର ରକ୍ଷଣାବେକ୍ଷଣ ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ବିଏମ୍ସି ଏହି ନିଷ୍ପତ୍ତି ନେବାକୁ ଯାଉଛି। ସେହିପରି ଏହି ଅଞ୍ଚଳରେ ଥିବା ବହୁ ପୁରାତନ କୋଠାକୁ ଐତିହ୍ୟ କୋଠା ଭାବେ ଘୋଷଣା କରାଯିବ। ବିଡିଏ ପକ୍ଷରୁ ଏହି ଅଞ୍ଚଳରେ ଐତିହ୍ୟ ସ୍ମାରକୀ ଲଗାଇବାକୁ ନିଷ୍ପତ୍ତି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/m6.jpg)