ଡାକ୍ତରଖାନାର ଓପିଡି ଉପସ୍ଥାନ କମିଛି: ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର‌‌‌ରେ ଭିଡ଼, ଏମ୍‌ସ କରୋନା ୱାର୍ଡ ଖାଲି କରିବାକୁ ଦାବି

ଭୁବନେଶ୍ବର: ମହାମାରୀ କରୋନା ମୁକାବିଲା ପାଇଁ ତାଲାବନ୍ଦ ଲାଗୁ ହେବା ପରଠାରୁ ବିଭିନ୍ନ ହସ୍ପିଟାଲରେ ଓପିଡି ଉପସ୍ଥାନ ବେଶ୍ ହ୍ରାସ ପାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକୁ ରୋଗୀଙ୍କ ଆସିବା ବହୁ ପରିମାଣରେ କମି ଯାଇଥିବା ବେଳେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ଗହଳି ବଢ଼ିଛି। ଭୁବନେଶ୍ବର ଏମ୍‌ସର ଓପିଡି ପୂରା ବନ୍ଦ ହୋଇଛି, କିନ୍ତୁ ବଦଳରେ ଟେଲିମେଡିସିନ୍ ସେବା ଆରମ୍ଭ କରାଯାଇଛି। କ୍ୟାପିଟାଲ ହସ୍ପିଟାଲର ଓପିଡିରେ ଉପସ୍ଥାନ ମଧ୍ୟ ବେଶ୍ ହ୍ରାସ ପାଇଛି। ପ୍ରାପ୍ତ ସୂଚନାନୁସାରେ, କ୍ୟାପିଟାଲ ହସ୍ପିଟାଲରେ ଏବେ ମେଡିସିନ୍, ଚର୍ମ ରୋଗ ବର୍ହି ବିଭାଗରେ ରୋଗୀଙ୍କ ସଂଖ୍ୟା ସେତେ ମାତ୍ରାରେ ହ୍ରାସ ପାଇନାହିଁ। ଦୈନିକ ହାରାହାରି ୫୦ରୁ ୬୦ ରୋଗୀ ଏହି ଦୁଇ ବିଭାଗକୁ ଆସୁଛନ୍ତି। ତେବେ ଅସ୍ଥିଶଲ୍ୟ ବିଭାଗ ଓ ମାନସିକ ‌ରୋଗ ବିଭାଗର ରୋଗୀ ସଂଖ୍ୟା କମ୍ ରହୁଛି। ଏହି ଦୁଇ ବିଭାଗକୁ ଦୈନିକ ହାରାହାରି ୧୫ପାଖାପାଖି ରୋଗୀ ଆସୁଛନ୍ତି। ତେବେ ସ୍ତ୍ରୀ ରୋଗ ଓ ଶିଶୁ ରୋଗ ବିଭାଗରେ ଆଗ ଭଳି ଭିଡ଼ ନଥିଲେ ମଧ୍ୟ ଦୈନିକ ହାରାହାରି ୪୦ରୋଗୀ ଆସୁଛନ୍ତି। ନାସା, କର୍ଣ୍ଣ ଓ ଗଳା ବିଭାଗରେ ମଧ୍ୟ ପାଖାପାଖି ୩୦ରୋଗୀ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ଏହି ସବୁ ପ୍ରମୁଖ ବିଭାଗକୁ ବାଦ୍‌ ଦେଲେ ଅନ୍ୟ ବିଭାଗଗୁଡ଼ିକ ପ୍ରାୟ ଫାଙ୍କା ରହୁଛି।

ଜଣେ ଡାକ୍ତରଙ୍କ କହିବା କଥା, ପୂର୍ବରୁ ସାମାନ୍ୟ ଅସୁସ୍ଥତା ପାଇଁ ଲୋକେ କ୍ୟାପିଟାଲ ହସ୍ପିଟାଲକୁ ଧାଇଁ ଆସୁଥିଲେ ଓ ଭିଡ଼ ସୃଷ୍ଟି କରୁଥିଲେ। କିନ୍ତୁ ଏବେ ନିହାତି ଆବଶ୍ୟକ କରୁଥିବା ରୋଗୀଟି ଏଠାକୁ ଆସୁଛି। ଅନ୍ୟପକ୍ଷରେ ଏବେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଲୋକେ ଅଧିକ ନିର୍ଭର କରୁଛନ୍ତି। ବିଶେଷକରି ରାଜଧାନୀ ଉପକଣ୍ଠ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର‌ରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ପୂର୍ବରୁ ଯେଉଁଠି ଦୈନିକ ହାରାହାରି ୫୦/୬୦ ରୋଗୀଙ୍କୁ ଦେଖିବାକୁ ମିଳୁଥିଲା, ଏବେ ସବୁଠାରେ ହାରାହାରି ୧୫୦ ରୋଗୀ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ଭୁବନେଶ୍ବର ଏମ୍‌ସ୍‌ର ଓପିଡି ସେବା ଗତ ୨୬ ତାରିଖରୁ ପୂରା ବନ୍ଦ କରାଯାଇଛି। ତେ‌ବେ ଆପାତକାଳୀନ ରୋଗୀ ସେବାକୁ ପୂର୍ବଭଳି ୨୪ଘଣ୍ଟିଆ ଚାଲୁ ରଖାଯାଇଛି ଓ ନିହାତି ଜରୁରି ସର୍ଜରି ମଧ୍ୟ ଚାଲୁ ରହିଛି। ଓପିଡି ‌ବନ୍ଦ ରହିଥିବାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ରୋଗୀମାନେ ଆବଶ୍ୟକ ପରାମର୍ଶ ନେବାରେ ସମସ୍ୟାରେ ପଡ଼ିଛନ୍ତି। ତେଣୁ ସେମାନଙ୍କ ପାଇଁ ୧୩ ତାରିଖରୁ ଟେଲି ମେଡିସିନ୍‌ ସେବା ଆରମ୍ଭ କରାଯାଇଛି। ଅନ୍ୟ ସାଧାରଣ ରୋଗୀମାନେ ମଧ୍ୟ ଏହି ଟେଲି ମେଡିସିନ୍‌ ସେବାର ସୁଯୋଗ ନେଇପାରିବେ। ସୂଚନାନୁସାରେ, ୯ଟି ବିଭାଗରେ ଲ‌ାଗୁ କରାଯାଇଥିବା ଏହି ସେବା ଦ୍ବାରା ଅଳ୍ପସଂଖ୍ୟକ ଲୋକ ଡାକ୍ତରମାନଙ୍କ ସହ ଯୋଗାଯୋଗ କରିପାରିଛନ୍ତି। ସକାଳ ୯ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଡାକ୍ତରମାନଙ୍କୁ ପୂର୍ବ ପ୍ରଦତ୍ତ ହ୍ବାଟ୍ସଆପ୍ ଗ୍ରୁପ୍‌ରେ ‌ଯୋଗ‌ାଯୋଗ କରିବାକୁ ସୁଯୋଗ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଖୁବ୍‌ କମ୍ ସଂଖ୍ୟକ ବ୍ୟକ୍ତି ଏହି ସେବାର ସୁଯୋଗ ନେଇ ପାରିଛନ୍ତି।

ଏମ୍‌ସ କରୋନା ୱାର୍ଡ ଖାଲି କରିବାକୁ ଦାବି
ଏବେ ଏମ୍‌ସରେ ମାତ୍ର ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧୀନ ଅଛନ୍ତି। ସୂଚନାନୁସା‌‌ରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଲେଣି ଓ ଖୁବ୍‌ଶୀଘ୍ର ତାଙ୍କୁ ଘରକୁ ଫେରିଯିବାକୁ ଅନୁମତି ମିଳିବ। କିଛି ଡାକ୍ତରଙ୍କ କହିବା କଥା, ଏହାପରେ ଏମ୍‌ସର କରୋନା ୱାର୍ଡକୁ ଖାଲି କରିଦେବା ଉଚିତ ହେବ। ରାଜ୍ୟରେ ସ୍ବତନ୍ତ୍ର କରୋନା ହସ୍ପିଟାଲ ଖୋଲିବା ପରେ ଆଉ ଏମ୍‌ସରେ ସେଭଳି ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବା ଆବଶ୍ୟକ ପଡ଼ୁନାହିଁ। ମାତ୍ର ଜଣେ ରୋଗୀ ପାଇଁ ଗୋଟିଏ ୱାର୍ଡ ଓ ଚାରିଚାରି ଜଣ ଡାକ୍ତର ଓ ନର୍ସମାନେ ବସି ରହୁଛନ୍ତି। ଏଥିସହ କରୋନା ଆକ୍ରାନ୍ତ ରହୁଥିବା କାରଣରୁ ଏତେ ବଡ଼ ହସ୍ପିଟାଲରେ ଅନ୍ୟ ରୋଗୀମାନେ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ବିଭିନ୍ନ ମହଲରୁ ଅନୁରୋଧ କରାଯିବା ଉଚିତ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର