ଭୁବନେଶ୍ବର: ଉତ୍କଳ ହସ୍ପିଟାଲ୍ର ଓପିଡି ମ୍ୟାନେଜର୍ ନିଯୁକ୍ତି ପାଇଁ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏଥିରେ କେବଳ ଅଣଓଡ଼ିଆ ପ୍ରାର୍ଥୀ ଆବେଦନ କରିପାରିବେ ବୋଲି ହସ୍ପିଟାଲ୍ ସିଇଓ ଉଲ୍ଲେଖ କରିଥିଲେ। ଏହାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଛି। ସାମାଜିକ ଗଣମାଧ୍ୟମରେ ବିରୋଧ ଜୋର୍ଦାର ହେବାରୁ ଏହି ବିଜ୍ଞାପନକୁ ସଂଶୋଧନ କରାଯାଇଛି। ଏହା ଏବେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଆଲୋକ ଲୋଧ ଟ୍ବିଟର୍ରେ କରିଥିବା ପୋଷ୍ଟରେ ଲେଖିଥିଲେ ଯେ ଉତ୍କଳ ହସ୍ପିଟାଲ୍ ପାଇଁ ଜଣେ ଓପିଡି ମ୍ୟାନେଜରଙ୍କ ଆବଶ୍ୟକତା ରହିଛି। କୌଣସି କର୍ପୋରେଟ୍ ହସ୍ପିଟାଲ୍ରେ ୫ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ। ତେବେ ସେ ସ୍ପଷ୍ଟ କରିଥିଲେ ଯେ ଆବେଦନକାରୀ ଅଣଓଡ଼ିଆ ଅର୍ଥାତ୍ ଓଡ଼ିଶା ବାହାରର ହୋଇଥିବା ଦରକାର।
କେବଳ ଅଣଓଡ଼ିଆ ପ୍ରାର୍ଥୀଙ୍କଠାରୁ ଆବେଦନ ମଗାଯାଇଥିଲା
କ୍ଷମା ମାଗି ପୋଷ୍ଟ କାଟିଲେ ହସ୍ପିଟାଲ୍ ସିଇଓ
କ୍ୟାପିଟାଲ୍ ଥାନାରେ କଳିଙ୍ଗ ସେନାର ଏତଲା
ସେ କେବଳ ଅଣଓଡ଼ିଆଙ୍କଠାରୁ ଆବେଦନ ମାଗିଥିବାରୁ ଏହାକୁ ବହୁ ସଚେତନ ଓଡ଼ିଆ ସହଜରେ ଗ୍ରହଣ କରିପାରି ନଥିଲେ। ଓଡ଼ିଶାରେ ହସ୍ପିଟାଲ୍ ନିର୍ମାଣ କରି ଏପରି ଓଡ଼ିଆ ବିରୋଧୀ ନିଯୁକ୍ତି ବିଜ୍ଞାପନ ଦେବା ଗ୍ରହଣୀୟ ନୁହେଁ ବୋଲି ମତପ୍ରକାଶ ପାଇଥିଲା। ସାମ୍ବାଦିକ, ସମାଜସେବୀ, ବୁଦ୍ଧିଜୀବୀ ଏପରି ବିଜ୍ଞାପନକୁ ସାମାଜିକ ଗଣମାଧ୍ୟମରେ କଡ଼ା ନିନ୍ଦା କରିଥିଲେ। ଏପରିକି ଏହାକୁ ନେଇ ଏକ ଅଭିଯାନ ଆରମ୍ଭ ହୋଇଥିଲା। ବିରୋଧ ପରେ ତୁରନ୍ତ ଶ୍ରୀ ଲୋଧ ତାଙ୍କ ବିଜ୍ଞାପନରେ ସଂଶୋଧନ କରିବା ସହ ଦୁଇଟି ପୋଷ୍ଟ କରି କ୍ଷମା ମାଗିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ ଓପିଡି ମ୍ୟାନେଜର ଓଡ଼ିଶା ବାହାରୁ ଆସୁଥିବା ରୋଗୀମାନଙ୍କୁ ପରିଚାଳନା କରିବେ। କିନ୍ତୁ ବିଜ୍ଞାପନରେ ଭୁଲ୍କ୍ରମେ ଆବେଦନକାରୀ ପ୍ରାର୍ଥୀ ଓଡ଼ିଶା ବାହାରର ହେବା ଆବଶ୍ୟକ ବୋଲି ଲେଖାଯାଇଥିଲା। ସେ ଆହୁରି ମଧ୍ୟ ଲେଖିଛନ୍ତି ଏହି ହସ୍ପିଟାଲରେ ୭୦୦ କର୍ମଚାରୀଙ୍କ ମଧ୍ୟରେ ୯୮ ପ୍ରତିଶତ କର୍ମଚାରୀ ଓଡ଼ିଶାର। ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ସିଇଓ ଶ୍ରୀ ଲୋଧ କହିଛନ୍ତି ଯେ ଓଡ଼ିଶାର ଲୋକଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି। ଭୁଲ୍ବଶତଃ ସେ ଏହି ପୋଷ୍ଟ କରିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଭୁଲ୍ ଥିଲା।
ଏହି ପ୍ରସଙ୍ଗରେ କଳିଙ୍ଗ ସେନା ପକ୍ଷରୁ ଆଜି କ୍ୟାପିଟାଲ୍ ଥାନାରେ ଏତଲା ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ ଶ୍ରୀ ଲୋଧଙ୍କ ପୋଷ୍ଟ ଓଡ଼ିଆଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଓଡ଼ିଆଙ୍କୁ ନ୍ୟୁନ କରିଛି। ଏଭଳି ରୁଗ୍ଣ ମାନସିକତା ଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ତୁରନ୍ତ ଚାକିରିରୁ ବହିଷ୍କାର କରିବା ସହ ଓଡ଼ିଶା ବିରୋଧୀ ମାନସିକତା ରଖିଥିବା ସମସ୍ତ ଅଣଓଡ଼ିଆ କର୍ମଚାରୀଙ୍କୁ ଏଠାରୁ ବାହାର କରିବାକୁ କଳିଙ୍ଗ ସେନା ଦାବି କରିଛି।