ବାତ୍ୟା ପରେ ହସ୍ପିଟାଲ୍‌ : ଲାଇନ୍ ପାଣି ନାହିଁ, ବାହାରେ ହେଉଛି ରୋଗୀ ସେବା

ବାତ୍ୟା ‘ଫନି’ ରାଜଧାନୀର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ୟୁପିଏଚ୍‌ସିକୁ ଦୋହଲାଇ ଦେଇଛି। ବାତ୍ୟା ଯିବାର ୭ ଦିନ ପରେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଜୁଳି ସଂଯୋଗ ହୋଇପାରିନି। ଫଳରେ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ପ୍ରବଳ ଗରମ ଯୋଗୁଁ ରୁମ୍ ବାହାରେ ରୋଗୀ ସେବା ଚାଲିଛି। ଏହିସବୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ କ୍ୟାପିଟାଲ ହସ୍ପିଟାଲ ଅଧୀନରେ ଆସୁଥିଲେ ହେଁ ଏହାକୁ ସ୍ବାଭାବିକ କରିବା ଲାଗି କୌଣସି ପ୍ରକାର ପଦକ୍ଷେପ ନିଆ ଯାଇନାହିଁ।

କଳ୍ପନା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର

କଳ୍ପନା ୟୁପିଏଚ୍‌ସି ଉପରେ ୪୨, ୪୫, ୫୬ ଓ ୫୭ ୱାର୍ଡର ବାସିନ୍ଦା ନିର୍ଭରଶୀଳ। ବିଶେଷକରି ବସ୍ତି ଅଞ୍ଚଳର ଲୋକମାନେ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ବାତ୍ୟା ପରେ ସ୍ବାସ୍ଥ୍ୟକେନ୍ଦ୍ର ସ୍ବାଭାବିକ ହୋଇପାରିନି। ହସ୍ପିଟାଲକୁ ବିଜୁଳି ସଂଯୋଗ ଦିଆଯାଇ ନାହିଁ କି ପବନରେ କ୍ଷତିଗ୍ରସ୍ତ ହୋଇଥିବା ପାଣି ଟାଙ୍କିକୁ ମରାମତି କରାଯାଇ ନାହିଁ। ଫଳରେ ଡାକ୍ତର, କର୍ମଚାରୀଙ୍କଠାରୁ ଆରମ୍ଭ କରି ରୋଗୀଙ୍କୁ ପାଣି ମିଳିବା କଷ୍ଟକର ହୋଇପଡ଼ୁଛି। ବିଜୁଳି ଅଭାବରୁ ସଂଧ୍ୟାରେ ଧାର୍ଯ୍ୟ ସମୟ ମଧ୍ୟ ଚାଲିପାରୁନି ସ୍ବାସ୍ଥ୍ୟକେନ୍ଦ୍ର। ସେହିପରି ବିଭିନ୍ନ ଟିକାକରଣ ଯୋଜନାରେ ଦିଆଯାଇଥିବା ଟିକା ନଷ୍ଟ ହୋଇଯିବା ଭୟରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ କହିବା ମୁତାବକ, ହସ୍ପିଟାଲରେ ୨ଲକ୍ଷ ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ର‌ ପରିସରରେ ଥିବା ଗଛ ଭାଙ୍ଗିଯିବା ସହ ପାଣି ଟାଙ୍କି ନଷ୍ଟ ହୋଇଯାଇଛି। ବିଦ୍ୟୁତ ସଂଯ‌ୋଗ ନ ହେବା ଦ୍ୱାରା ରୋଗୀ ସେବାରେ ବାଧା ଉପୁଜୁଛି। ହସ୍ପିଟାଲର ଫିଜିଓଥେରାପି ୟୁନିଟ୍ ମଧ୍ୟ ଚାଲିପାରୁନି। ସ୍ବାସ୍ଥ୍ୟକେନ୍ଦ୍ରରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଆବଶ୍ୟକ ଟେଲମିସାର୍ଟନ୍ ଔଷଧ ଓ ଆଣ୍ଟିବାଇଓଟିକ୍ ଔଷଧ ଉପଲବ୍ଧ ହେଉନାହିଁ। ତେଣୁ ବିଦ୍ୟୁତ୍‌ ସମସ୍ୟାର ସମାଧାନ ନ ହେଲେ ରୋଗୀ ସେବା ଅସମ୍ଭବ ହୋଇପଡ଼ିବ ବୋଲି କର୍ମଚାରୀ କହିଛନ୍ତି।

ସତ୍ୟନଗର ଓ ୟୁନିଟ୍-୯ରେ ସମାନ ଅବସ୍ଥା

ରାଜଧାନୀର ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଭଳି ସତ୍ୟନଗର ୟୁପିଏଚ୍‌ସି ଓ ୟୁନିଟ୍-୯ ୟୁପିଏଚ୍‌ସିରେ ବିଜୁଳି ସମସ୍ୟା ଦେଖାଦେଇଛି। ୟୁନିଟ୍-୯ ୟୁପିଏଚ୍‌ସିରେ ବାତ୍ୟା ଯୋଗୁଁ ଗ୍ଲୋ-ସାଇନ୍ ବୋର୍ଡ ସମେତ ଫାଟକ ଓ ଗଛ ଭାଙ୍ଗି ଯାଇଛି। ବିଦ୍ୟୁତ୍ ସଂଯୋଗ ନ ଥିବାରୁ ଅପରାହ୍‌ଣରେ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଫିଜିଓଥେରାପି ୟୁନିଟ୍‌ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ସେହିପରି ସତ୍ୟନଗରରେ ବିଜୁଳି ଅଭାବରୁ ରୋଗୀସେବା ବାଧାପ୍ରାପ୍ତ ହୋଇଛି।

ବ୍ରହ୍ମେଶ୍ବରପାଟଣା, କପିଳପ୍ରସାଦ ୟୁପିଏଚ୍‌ସି

ପୁରୁଣା ଭୁବନେଶ୍ବରରେ ବ୍ରହେଶ୍ମରପାଟଣା ଓ କପିଳପ୍ରସାଦ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁଇ ସ୍ବାସ୍ଥ୍ୟକେନ୍ଦ୍ର‌କୁ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇ ନ ଥିବାରୁ ରୋଗୀସେବା ପ୍ରଭାବିତ ହୋଇଛି। ସୂଚନା ମୁତାବକ ବ୍ର‌ହ୍ମେଶ୍ବରପାଟଣା ୟୁପିଏଚ୍‌ସିରେ ବାତ୍ୟା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଏ.ସି ଖରାପ ହୋଇଯାଇଛି। ଦିବ୍ୟାଙ୍ଗ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ରୢାମ୍ପର ସେଡ୍‌ ନଷ୍ଟ ହୋଇଯାଇଛି। ଏପରିକି ବାଥରୁମ୍ କବାଟ ମଧ୍ୟ ଉଡ଼ି ଯାଇଛି। ବାତ୍ୟାର ୮ଦିନ ପରେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଦ୍ୟୁତ ସଂଯୋଗ ହୋଇନାହିଁ। ଦିନରେ ପ୍ରବଳ ଗରମ ଯୋଗୁଁ ବାହାରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ସ୍ବାସ୍ଥ୍ୟକେନ୍ଦ୍ରରେ ୨/୩ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି। ଅପରପକ୍ଷରେ କପିଳପ୍ରସାଦ ୟୁପିଏଚ୍‌ସିରେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବହୁ ଗଛ ବାତ୍ୟାରେ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ କାଁ ଭାଁ ରୋଗୀ ଆସୁଛନ୍ତି। ବିଦ୍ୟୁତ୍ ସଂଯୋଗ ନ ଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ଏକପ୍ରକାର ଅଚଳ ହୋଇଯାଇଛି।

ଜନସ୍ବାସ୍ଥ୍ୟ ପରୀକ୍ଷାଗାର ଅଚଳ

ରାଜ୍ୟ ଔଷଧ ନିଗମ ପରିସରରେ ଥିବା ଜନସ୍ବାସ୍ଥ୍ୟ ପରୀକ୍ଷାଗାର ବିଦ୍ୟୁତ୍ ଅଭାବରୁ ଅଚଳ ହୋଇପଡ଼ିଛି। ଫଳରେ ପରୀକ୍ଷାଗାରରେ ସମସ୍ତ ପ୍ରକାର ପରୀକ୍ଷା ବନ୍ଦ ରହିଛି। ପରୀକ୍ଷାଗାର ପାଇଁ ସ୍ବତନ୍ତ୍ର ଭାବେ ଡିଜି ସେଟ୍‌ ରହିଥି‌ଲେ ହେଁ ଏହା ଚାଲା ଯାଉ ନଥିବା ଅଭିଯୋଗ ହେଉଛି। ବାତ୍ୟା ପରବର୍ତୀ ସମୟରେ ପାଣିର ପରୀକ୍ଷା ଜରୁରୀ ହୋଇପଡ଼ିଥିବା ବେଳେ ଜନସ୍ବାସ୍ଥ୍ୟ ପରୀକ୍ଷାଗାର ବନ୍ଦ ହେଇଯିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଅପରପକ୍ଷେ ଭ୍ରାମ୍ୟାମଣ ପରୀକ୍ଷାଗାରକୁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ନିୟମିତ ପରୀକ୍ଷା ପାଇଁ ପଠାଇବାକୁ ସାଧାରଣରେ ଦାବି ହୋଇଛି।

ଗାଡ଼କଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାତ୍ୟା ପରେ ଗାଡ଼କଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ସେହିପରି ଜଳ ଯୋଗାଣ ମଧ୍ୟ ହୋଇ ପାରୁନି। ଫଳରେ ଏଠାରେ ଠିକ୍‌ ଭାବେ ରୋଗୀସେବା ହୋଇ ପାରୁନି। ବିଦ୍ୟୁତ ନଥିବାରୁ ‌ରୋଗୀମାନେ ଏଠାକୁ ଆସୁ ନାହାନ୍ତି। ରୋଗ ପରୀକ୍ଷା କରିବାରେ ଡାକ୍ତରଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ନିର୍ଧାରିତ ସମୟ ପୂର୍ବରୁ ଡାକ୍ତରଖାନା ବନ୍ଦ ହୋଇଯାଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ବିଦ୍ୟୁତ ଯୋଗାଇବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର