ସ୍ବାଭାବିକ ହେଉଛି ହସ୍ପିଟାଲ : ଏମ୍‌ସ, କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଗହଳି, ରହୁନି ସାମାଜିକ ଦୂରତ୍ବ

ଭୁବନେଶ୍ବର : କରୋନା ସଂକ୍ରମଣ ପାଇଁ ସାଧାରଣ ରୋଗୀଙ୍କ ପାଇଁ ଠପ୍ ହୋଇଯାଇଥିବା ହସ୍ପିଟାଲ ଏବେ ସ୍ବାଭାବିକ ଅବସ୍ଥାକୁ ଫେରୁଛି। ରାଜଧାନୀର କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଭୁବନେଶ୍ବରର ଦୁଇ ପ୍ରମୁଖ ହସ୍ପିଟାଲ ଏମ୍‌ସ ଭୁବନେଶ୍ବର ଓ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ଆରମ୍ଭ ହୋଇଗଲାଣି। ପୂର୍ବରୁ ରୋଗୀଙ୍କ ଚିକିତ୍ସା ନେଇ ରହିଥିବା କଟକଣାକୁ ଏକପ୍ରକାର ହଟାଇ ଦିଆଯାଇଥିବା ବେଳେ ବହିର୍ବିଭାଗରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ସାମାଜିକ ଦୂରତ୍ବ ବଜାୟ ରଖିବା ଲାଗି ହସ୍ପିଟାଲର ଏକାଧିକ ସ୍ଥାନରେ ନୋଟିସ୍ ଲଗାଯାଇଥିଲେ ହେଁ ରୋଗୀମାନେ ଏହାକୁ ବେଖାତିର୍‌ କରୁଥିବା ନଜର ଆସିଛି।

କ୍ୟାପିଟାଲ ହସ୍ପିଟାଲ ସହ ଏମ୍‌ସରେ କରୋନାର ଦ୍ରୁତ ସଂକ୍ରମଣ ଆରମ୍ଭ ହେବା ପରେ ଏହାର ଓପିଡିକୁ ବନ୍ଦ କରି ଦିଆଯାଇଥିଲା। କେବଳ ଅନଲାଇନ୍ ଓ ସ୍ବାସ୍ଥ୍ୟ ଆପ୍‌ ଜରିଆରେ ରୋଗୀମାନଙ୍କୁ ଚିକିତ୍ସା ସହାୟତା କରାଯାଉଥିଲା। ଏହି ସମୟରେ କେବଳ ଡେ’ କେୟାର, ଡାଏଲିସିସ୍, ଟ୍ରମା ଓ ଜରୁରୀକାଳୀନ ସେବା ରୋଗୀ ପାଇ ପାରୁଥିଲେ। ନଭେମ୍ବର ୨ ତାରିଖ ପରେ ଏମ୍‌ସର ବହିର୍ବିଭାଗକୁ ଖୋଲା ଯାଇଥିଲା। ବହିର୍ବିଭାଗରେ ରହିଥିବା କଟକଣା ହଟିବା ପରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ବିଶେଷକରି ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ରୋଗୀ ଏମ୍‌ସକୁ ଚିକିତ୍ସା ପାଇଁ ଆସୁଥିବା ଜଣାପଡ଼ିଛି। କରୋନା ସଂକ୍ରମଣ ସଂପୂର୍ଣ୍ଣ ଭାବେ ହ୍ରାସ ପାଇ ନଥିବା ବେଳେ ଏବେ ବି ସାମାଜିକ ଦୂରତ୍ବ ବଜାୟ ରଖିବା ଲାଗି ସରକାରଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ଗୁରୁତ୍ବ ଦେଉଛନ୍ତି। ମାତ୍ର ଏମ୍‌ସର ପଞ୍ଜୀକରଣ କେନ୍ଦ୍ରଠାରୁ ଆରମ୍ଭ କରି ଔଷଧ କେନ୍ଦ୍ରରେ ଲୋକମାନେ ଏହାକୁ ଖାତିର୍‌ କରୁ ନାହାନ୍ତି।

ସେହିପରି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। କରୋନା ସଂକ୍ରମଣ ପାଇଁ ଦୁଇ ଓଳା ଥିବା ବହିର୍ବିଭାଗ ଗୋଟିଏ ବେଳା କରାଯାଇଥିଲା। ହେଲେ ଏବେ ତାହା ସ୍ବାଭାବିକ ହୋଇଛି। କରୋନା ସଂକ୍ରମଣ ପୂର୍ବରୁ ହସ୍ପିଟାଲକୁ ଦିନକୁ ସାଢ଼େ ୩ ହଜାର ରୋଗୀ ଆସୁଥିବା ବେଳେ ଏବେ ତା’ଠାରୁ କମ୍ ରୋଗୀ ଆସୁଛନ୍ତି।

ସମ୍ବନ୍ଧିତ ଖବର