ଭୁବନେଶ୍ବର: ହଷ୍ଟେଲ ରୁମ୍‌ ଭଡ଼ା ବର୍ଷକୁ ୫୦ ହଜାର। ଅର୍ଥାତ୍‌ ମାସକୁ ୪ ହଜାର ଟଙ୍କାରେ ହଷ୍ଟେଲରେ ମିଳିବ ଗୋଟିଏ ରୁମ୍‌। ସେଠାରେ ଖଟିଆ ପଡ଼ିଛି। ମାଗଣା ଲାଇଟ୍‌, ଫ୍ୟାନ୍‌ ବ୍ୟବସ୍ଥା ବି ଅଛି। ରୁମ୍‌ ଭିତରେ ରୋଷେଇ କରି ଖାଇପାରିବେ। ‌ହଷ୍ଟେଲ ବାହାରେ ସୁରକ୍ଷା କର୍ମୀ ଜଗିଛନ୍ତି। ଗାଡ଼ି ସୁରକ୍ଷା ପାଇଁ ସିସିଟିଭି ବି ରହିଛି। ସାଙ୍ଗସାଥୀଙ୍କୁ ଆଣି ମଧ୍ୟ ରୁମ୍‌ରେ ରଖିପାରିବେ। ଯେତେ ବଡ଼ ପାଟିରେ ଚିତ୍କାର କଲେ ମଧ୍ୟ କେହି କିଛି କହିବେ ନାହିଁ। ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ଏଭଳି ସୁବିଧା ଉପଲବ୍ଧ ହେଉଛି। ଆଉ ଟିକିଏ ସ୍ପଷ୍ଟ ଭାବେ ବୁଝାଇଲେ ଜଣେ ଛାତ୍ରଙ୍କୁ ହଷ୍ଟେଲ ରୁମ୍‌ ମିଳିଛି। ‌ସିଏ ମାସକୁ ଏକ ହଜାର ଟଙ୍କା ଲେଖାଏ ହିସାବରେ ୧୨ ମାସରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ୧୨ ହଜାର ଟଙ୍କା ଦେଉଛନ୍ତି। ମାତ୍ର ନିଜେ କ୍ୟାମ୍ପସ୍‌ରେ ରହୁନାହାନ୍ତି। ହଷ୍ଟେଲରେ ପାଇଥିବା ରୁମ୍‌କୁ ଅଣଛାତ୍ରଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଉଛନ୍ତି। ଅର୍ଥାତ୍‌ ଗୋଟିଏ ରୁମ୍‌ରୁ ଛାତ୍ର ଜଣକ ୩୮ ହଜାର ଟଙ୍କା ଲାଭ ପାଉଛନ୍ତି।
Advertisment
ଜଣେ କି ଦୁଇଜଣ ଛାତ୍ର ନୁହଁନ୍ତି, ବରଂ ଶତାଧିକ ଛାତ୍ର ହଷ୍ଟେଲ ରୁମ୍‌ ବିକ୍ରି କରିଛନ୍ତି। ନିଜେ କ୍ୟାମ୍ପସ୍‌ ବାହାରେ ରହିବା ସହ ନିଜ ରୁମ୍‌କୁ ଭଡ଼ାରେ ଦେଇଥିବା ସ୍ଥିତି ଅନୁଧ୍ୟାନ ସମୟରେ ଏମିତି ଦେଖିବାକୁ ମିଳିଛି। ଏହିଭଳି ଭାବେ ଏକ ନମ୍ବର ଛାତ୍ରାବାସରେ ୧୯ଟି, ଦୁଇ ନମ୍ବର ଛାତ୍ରବାସରେ ୩୧ଟି ଓ ତିନି ନମ୍ବର ଛାତ୍ରାବାସରେ ପାଖାପାଖି ୮୦ଟି ରୁମ୍‌ ଅଣଛାତ୍ରଙ୍କ କବ୍‌ଜାରେ ରହିଛି। ଚିନ୍ତାର ବିଷୟ ହେଉଛି ଯେ ଶତାଧିକ ରୁମ୍‌ ଅକ୍ତିଆର କରିଥିବା ଅଣଛାତ୍ରଙ୍କ ମଧ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳର କିଛି ଛାତ୍ରନେତା ମଧ୍ୟ ଅଛନ୍ତି। ବିଜେଡି, ବିଜେପି, କଂଗ୍ରେସ ଓ ଏବିଭିପି ସଙ୍ଗଠନର କେତେଜଣ ଛାତ୍ରନେତା ହଷ୍ଟେଲଗୁଡ଼ିକୁ ଦଖଲରେ ରଖିବା ସହ ନିଜର ପରିଆରା ଜାହିର କରୁଛନ୍ତି। କର୍ତ୍ତୃପକ୍ଷ ସେମାନଙ୍କୁ ତଡ଼ିବାକୁ ଏକାଧିକ ଥର ଉଦ୍ୟମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି।
ଅଣଛାତ୍ରଙ୍କ ଅକ୍ତିଆରରେ ୧୩୦ ହଷ୍ଟେଲ ରୁମ୍‌
ସମ୍ପୂର୍ଣ୍ଣ ବନ୍ଦ ହେବ ଫକୀରମୋହନ ଛାତ୍ରାବାସ
ସମୟ ଦେବାକୁ ନିବେଦନ କଲେ ଛାତ୍ର ଓ ପୁରାତନ ଛାତ୍ର
ଶେଷ ଥର ୨୦୧୯ ମାର୍ଚ୍ଚରେ ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମିଳିତ ଟିମ୍‌ ୭ ନମ୍ବର ଛାତ୍ରାବାସରେ ଚଢ଼ାଉ କରିବା ସହ ୫୦୦ରୁ ଅଧିକ ମଦ ବୋତଲ, ଜୁଆ ଖେଳିବା ସାମଗ୍ରୀ, ଚରସ, ଗଞ୍ଜେଇ, ସିଗାରେଟ୍‌ ଆଦି ଜବତ କରିଥିଲେ। ଏହା ପରଠାରୁ କ୍ୟାମ୍ପସ୍‌ରେ ଥିବା ଛାତ୍ରାବାସଗୁଡ଼ିକରେ ସେଭଳି ଚଢ଼ାଉ ହୋଇନାହିଁ କିମ୍ବା ଅଣଛାତ୍ରଙ୍କୁ ଚିହ୍ନଟ କରି ତଡ଼ିବା ଦିଗରେ ପଦକ୍ଷେପ ନିଆଯାଇନାହିଁ। ପରିଣାମ ସ୍ବରୂପ ଗୋଟିଏ ପରେ ଗୋଟିଏ ଅପ୍ରୀତିକର ଘଟଣା ଘଟି ଚାଲିଛି।  କ୍ୟାମ୍ପସରେ ଅଣଛାତ୍ରଙ୍କ ପତିଆରା ଏବେକାର ନୁହେଁ। ଅନେକ ବର୍ଷରୁ ଏଭଳି କାର୍ଯ୍ୟକଳାପ ଜାରି ରହିଛି। ଅନେକ ଛାତ୍ରାବାସରେ ଅଣଛାତ୍ର ରହିବାଠାରୁ ଆରମ୍ଭ କରି ଆଡ଼ା ଜମାଇବା ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବାର ଖବର ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ରହିଥିଲେ ମଧ୍ୟ ସେମାନଙ୍କୁ ହଟାଇବାକୁ କେହି ସାହସ ଜୁଟାଇ ପାରୁନାହାନ୍ତି। କେତେଥର ଉଦ୍ୟମ ହୋଇଛି ଅବଶ୍ୟ, ହେଲେ ରାଜନୈତିକ ଚାପରେ ବିଶ୍ବବିଦ୍ୟାଳୟ ଅଧିକାରୀଙ୍କୁ ପଛଘୁଞ୍ଚା ଦେବାକୁ ପଡ଼ିଛି। ଏପରିକି ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସମୟରେ ଯାଞ୍ଚ କରିବା ସମୟରେ ଢେଲା ମାଡ଼ ଖାଇଛନ୍ତି। ଏବେ ତିନି ନମ୍ବର ଛାତ୍ରାବାସରେ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଇଁ ଆହ୍ବାନ ଭାବେ ଉଭା ହୋଇଛି। କିଭଳି ଅଣଛାତ୍ରଙ୍କୁ ତଡ଼ିବେ ସେନେଇ ଆଜି ଦିନତମାମ ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ମାନସ ମନ୍ଥନ କରିଛନ୍ତି।
ସୂଚନା ଅନୁଯାୟୀ ଫକୀରମୋହନ ହଷ୍ଟେଲରେ ବହୁତ କମ୍‌ ସଂଖ୍ୟକ ଛାତ୍ର ରହୁଥିବା ଏବଂ କୋଠାଟି ବିପଦସଙ୍କୁଳ ହୋଇପଡ଼ିଥିବାରୁ ତାହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଗତକାଲିଠାରୁ ହଷ୍ଟେଲକୁ ପାଣି ଓ ବିଦ୍ୟୁତ୍‌ ସଂ‌ଯୋଗ ବିଚ୍ଛିନ୍ନ ହୋଇଛି। ଛାତ୍ରମାନଙ୍କୁ ଅନ୍ୟ ହଷ୍ଟେଲକୁ ସ୍ଥାନାନ୍ତର କରାଯିବ। ଏକ ନମ୍ବର ଓ ଦୁଇ ନମ୍ବର ଛାତ୍ରାବାସରେ ଅଣଛାତ୍ର ମାଡ଼ି ବସିଥିବା ରୁମ୍‌ରେ ୩ ନମ୍ବର ‌ହଷ୍ଟେଲ ଛାତ୍ରମାନଙ୍କୁ ରଖାଯିବ। ଆବଶ୍ୟକ ହେଲେ ୭ ନମ୍ବର ହଷ୍ଟେଲରେ ବି ସୁବିଧା କରାଯିବ। କ୍ୟାମ୍ପସ୍‌ର ଅଣଛାତ୍ରଙ୍କ ପତିଆରା ଦିନକୁ ଦିନ ବଢ଼ୁଥିବାରୁ ପୁଲିସ ସହାୟତାରେ ଆଗାମୀ ଦିନରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଅନ୍ୟପକ୍ଷରେ ୩ ନମ୍ବର ହଷ୍ଟେଲକୁ ପାଣି ଓ ବିଦ୍ୟୁତ୍‌ ସଂଯୋଗ ବିଚ୍ଛନ୍ନ ପରେ ଅସନ୍ତୋଷ ଦେଖିବାକୁ ମିଳିଛି। ସ୍ଥାନାନ୍ତର ପାଇଁ କିଛି ସମୟ ଦେବାକୁ ପୁରାତନ ଛାତ୍ର ଓ ଛାତ୍ରମାନେ ଆଜି ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହାୟତା ଲୋଡ଼ିଥିଲେ। ସନ୍ଧ୍ୟାରେ ପୁରାତନ ଛାତ୍ର ଓ ଛାତ୍ରମାନେ କୁଳପତିଙ୍କୁ ଭେଟିବାକୁ ଯାଇଥିଲେ ମଧ୍ୟ ସେ ଅନୁପସ୍ଥିତ ଥିଲେ। ତେଣୁ ବିଶ୍ବବିଦ୍ୟାଳୟ ଅଧିକାରୀମାନଙ୍କ ସହ ଆଲୋଚନା କରି ୧୬ ତାରିଖ ପର୍ଯ୍ୟନ୍ତ ସମୟ ଦେବାକୁ ଅନୁରୋଧ କରିଛନ୍ତି। ଛାତ୍ରମାନଙ୍କ ଅନୁରୋଧକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗ୍ରହଣ କରିଥିବା ଜଣାପଡ଼ିଛି।