ହୋଟେଲ୍ ଓ ରେସ୍ତୋରାଁ ସଂଘର ବିକ୍ଷୋଭ: କରୋନାରେ ବିପନ୍ନ ହୋଟେଲ୍ ଶିଳ୍ପ

ଭୁବନେଶ୍ବର: ମହାମାରୀ କରୋନାର ଦ୍ବିତୀୟ ଲହରରେ ହୋଟେଲ୍ ଓ ରେଷ୍ଟୁରାଣ୍ଟ୍‌ ଏବେ ବନ୍ଦ ହୋଇଯାଇଛି। ଉଭୟ ମାଲିକ ଓ ହୋଟେଲ୍‌ରେ କାର୍ଯ୍ୟରତ କର୍ମଚାରୀମାନେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ଫଳରେ ରାଜଧାନୀରେ ଥିବା ୫ଶହରୁ ଅଧିକ ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ ଆଗାମୀ ଦିନରେ ଚଳାଇବାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହାକୁ ନେଇ ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିଲା।
ଏହି ବିକ୍ଷୋଭରେ ସଂଘ ପକ୍ଷରୁ କୁହାଯାଇଥିଲା ଯେ ଏହି ଶିଳ୍ପ ସହିତ ଜଡ଼ିତ ୧୦ ହଜାରରୁ ଅଧିକ କର୍ମଚାରୀ ସେମାନଙ୍କ ପରିବାରକୁ ଏବେ ଖାଇବାକୁ ଦେଇପାରୁନାହାନ୍ତି। ଏମାନଙ୍କର ମାସିକ ଦରମା ୮ରୁ ୧୧ ହଜାର ଭିତରେ ହୋଇଥିବା ବେଳେ ମହାମାରୀ କରୋନା ଯୋଗୁଁ ଲକ୍‌ଡାଉନ୍ ହେବା ଫଳରେ ସେମାନଙ୍କ ଚାକିରି ମଧ୍ୟ ବିପନ୍ନ ହୋଇଯାଇଛି। ଲକ୍‌ଡାଉନ୍‌ ଯୋଗୁଁ ହୋଟେଲ୍ ଶିଳ୍ପର ରାଜସ୍ୱ ୩୦ରୁ ୫୦ ଶତାଂଶ କମିଛି। ମହାମାରୀ ପାଇଁ ଅଳ୍ପ ସଂଖ୍ୟକ କର୍ମଚାରୀରେ ହୋଟେଲଗୁଡ଼ିକୁ ଚଲାଇବା ପାଇଁ ଅଣନିଃଶ୍ୱାସୀ ହୋଇ କାମ କରିବାକୁ ପଡ଼ୁଛି। ଅନୁଷ୍ଠାନକୁ ବଞ୍ଚାଇ ରଖିବା ପାଇଁ ହୋଟେଲ୍‌ରେ ପ୍ରାୟ ୫୦ପ୍ରତିଶତ ଭଳି ରିହାତି ମଧ୍ୟ ଦେବାକୁ ପଡ଼ୁଛି। ଏଥିରେ ମଧ୍ୟ ଅନୁଷ୍ଠାନକୁ ବଞ୍ଚାଇ ରଖିବା ସମ୍ଭବପର ନୁହେଁ।

ସେଥିପାଇଁ ପୁଣି ଥରେ ହୋଟେଲ୍‌ଗୁଡ଼ିକୁ ଚଳାଇବା ପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ତେଣୁ ଶତକଡ଼ା ୫୦ ଭାଗ କର୍ମଚାରୀରେ ପୁଣି ଥରେ ହୋଟେଲ୍ ଶିଳ୍ପ ଏବଂ ପ୍ରତିଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ସଂଘ ଅନୁରୋଧ କରିଛି। ଏହି ବିକ୍ଷୋଭରେ ସଂଘ ପକ୍ଷରୁ ସଂପାଦକ ଏମ୍ ତେଜେଶ୍ବର ରାଓ, ସଭାପତି ରାଜୀବ ସ୍ବାଇଁ, ଅମିତୋଷ ଗୁଗନାନି, ସାକ୍ଷ୍ୟ ସିଂହ, ସେଫ୍ ମାଇକେଲ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର