ସ୍କାନର୍‌ରେ ହୋଟେଲ, ମିଠା ଦୋକାନ

ଯୋଗଦେଲେ ୯ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ

ଭୁବନେଶ୍ବର: ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ଖାଦ୍ୟ। ରାଜଧାନୀରେ ବ୍ୟବସାୟ କରୁଥିବା ଅନେକ ଛୋଟବଡ଼ ହୋଟେଲ, ମିଠା ଦୋକାନରେ ପରିମଳ ବ୍ୟବସ୍ଥାକୁ ଧ୍ୟାନ ଦିଆଯାଉନାହିଁ। ଏଭଳି ପୁଳାପୁଳା ଅଭିଯୋଗ ଏବେ ସ୍ବାସ୍ଥ୍ୟ ବିଭାଗ ନିକଟରେ ପହଞ୍ଚିଛି। ତେଣୁ ଖୁବ୍‌ଶୀଘ୍ର ଏସବୁ ଦୋକାନ ଉପରେ ଚଢ଼ଉ କରାଯିବ ବୋଲି ସୂଚନା ମିଳିଛି।
ଭୁବନେଶ୍ବରରେ ଗଳିକନ୍ଦିରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଦୋକାନ ରହିଛନ୍ତି। ପ୍ରତ୍ୟେକ ଦିନ ନୂଆନୂଆ ଠେଲାଠାରୁ ଆରମ୍ଭ କରି କୁଡ଼ିଆ ହୋଟେଲ ଓ ଦାମୀ ହୋଟେଲ/ରେସ୍ତୋରାଁ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ଭାବେ କେତେ, ତାହା କହିବା ମୁସ୍କିଲ। ହେଲେ ଖାଦ୍ୟ ପ୍ରସ୍ତୁତି ନାଁରେ ଅନେକ ପରିମଳ ବ୍ୟବସ୍ଥାକୁ ଭୁଲି ଯାଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ଖାଦ୍ୟ ସୁରକ୍ଷା ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ବି କିଛି ମାନୁ ନାହାନ୍ତି। ମାସ ମାସ ଧରି ଏଭଳି ଭାବେ ଖାଦ୍ୟ ପ୍ରସ୍ତୁତ କରି ଚାଲିଛନ୍ତି। ତେଣୁ ଏସବୁ ଦୋକାନ ଉପରେ ଜୋରଦାର ଚଢ଼ଉ କରିବା ଲାଗି ନିଷ୍ପତ୍ତି ନେଇଛି ଖାଦ୍ୟ ସୁରକ୍ଷା।

ପୂର୍ବରୁ ରାଜଧାନୀ ପାଇଁ ଜଣେ ମାତ୍ର ଖାଦ୍ୟ ସୁରକ୍ଷା ଅଧିକାରୀ ରହିଥିଲେ। ତାଙ୍କୁ ବିଏମ୍‌ସି ସମେତ ଖୋର୍ଧା ଜିଲ୍ଲାର ଦାୟିତ୍ବ ଦିଆଯାଇଥିଲା। ଫଳରେ ନିୟମିତ ଖାଦ୍ୟ ନମୁନା ସଂଗ୍ରହଠାରୁ ଆରମ୍ଭ କରି ଚଢ଼ଉ ପାଇଁ ସମସ୍ୟା ଉପୁଜୁଥିଲା। କଟକରେ ଲଗାତାର ଭାବେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଉପରେ ଚଢ଼ଉ କରାଯାଉଥିବା ବେଳେ ଭୁବନେଶ୍ବର ଏଥିରୁ ଏକପ୍ରକାର ବାଦ୍ ପଡ଼ିଥିଲା। କାଁ ଭାଁ କେଉଁଠି ଚଢ଼ଉ ହେଉଥିଲେ ବି ତାହା ରାଜଧାନୀରେ ଥିବା ହଜାର ହଜାର ଖାଦ୍ୟ ପ୍ରତିଷ୍ଠାନ ପାଇଁ ଯଥେଷ୍ଟ ନ ଥିଲା। ମାତ୍ର ଏବେ ବିଏମ୍‌ସି ଅଧୀନରେ ୯ଜଣ ନୂତନ ଖାଦ୍ୟ ସୁରକ୍ଷା ଅଧିକାରୀ ଯୋଗ ଦେଇଛନ୍ତି। ‌ସେମାନଙ୍କୁ ରାଜଧାନୀର ବିଭିନ୍ନ ଅଞ୍ଚଳ ଦାୟିତ୍ବ ଦିଆଯିବ। ଏ ଦୃଷ୍ଟିରୁ ରାଜଧାନୀରେ ଏଣିକି ନିୟମିତ ବ୍ୟବଧାନରେ ଯାଞ୍ଚ ଓ ଚଢ଼ଉ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ରାଜଧାନୀରେ ଯୋଗ ଦେଇଥିବା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୩୩ଜଣ ନିକଟରେ ଯୋଗ ଦେଇଛନ୍ତି। ଫଳରେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି।

ଖାଦ୍ୟ ସୁରକ୍ଷା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରିଥିବା କିଛି ହୋଟେଲ ଓ ମିଠା ଦୋକାନର ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ କିଛି ନାମୀ ‌ଖାଦ୍ୟାନୁଷ୍ଠାନ ମଧ୍ୟ ରହିଛନ୍ତି। ଏଠାରେ ବହୁ ସଂଖ୍ୟାରେ ଲୋକ ଖାଉଥିବାରୁ ଖାଦ୍ୟ ପ୍ରସ୍ତୁତ ସ୍ଥାନରେ ସ୍ବଚ୍ଛତା ଅବଲମ୍ବନ କରିବା ଲାଗି ବାରମ୍ବାର ସଚେତନ କରାଯାଇଥିଲା। ହେଲେ ସେମାନଙ୍କ କ୍ଷେତ୍ରରେ କୌଣସି ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ଉପରେ ଚଢ଼ଉ କରାଯିବ ବୋଲି ସୂଚନା ମିଳିଛି। ପର୍ଯ୍ୟାୟକ୍ରମେ ରାଜଧାନୀର ପ୍ରମୁଖ ଖାଦ୍ୟ ଗଳି ଓ ଗହଳି ସ୍ଥାନରେ ଖାଦ୍ୟ ନମୁନା ଯାଞ୍ଚ କରାଯିବ।

ସେହିପରି ଯେଉଁ ସ୍ଥାନରେ ବହୁ ସଂଖ୍ୟାରେ ଲୋକ ଖାଦ୍ୟ ଖାଉଛନ୍ତି, ସେସବୁ ସ୍ଥାନକୁ ଖାଦ୍ୟ ସୁରକ୍ଷା ପକ୍ଷରୁ ‘ଇଟ୍‌ ରାଇଟ୍‌ କ୍ୟାମ୍ପସ୍’ର ମାନ୍ୟତା ଦିଆଯାଉଛି। ନିକଟରେ ଝାରପଡ଼ା ଜେଲ୍ ଓ କ୍ୟାପିଟାଲ ହସ୍ପିଟାଲ ଏହି ମାନ୍ୟତା ହାସଲ କରିଛନ୍ତି। ତେଣୁ ରାଜଧାନୀର ଏଭଳି କିଛି ସ୍ଥାନକୁ ଏଥିରେ ସାମିଲ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର