ମାନୁ ନାହାନ୍ତି ହୋଟେଲ: ତରକାରିରେ ମିଶାଉଛନ୍ତି କୃତ୍ରିମ ରଂଗ

ଭୁବନେଶ୍ବର: ଅଧିକାଂଶ ହୋଟେଲରେ ହେଉଥିବା ତରକାରିରେ କୃତ୍ରିମ ରଂଗ ଦିଆଯାଉଛି। ଗତ କିଛିମାସ ମଧ୍ୟରେ ଖାଦ୍ୟ ସୁରକ୍ଷା ହୋଇଥିବା ଚଢ଼ଉରେ ଏଭଳି ଘଟଣା ନଜରକୁ ଆସିଛି। ହୋଟେଲ ବ୍ୟବସାୟୀଙ୍କୁ ଏଥିପାଇଁ ତାଗିଦ୍ କରାଯାଇଥିଲେ ହେଁ, କୌଣସି ଫରକ୍ ପଡ଼ୁନାହିଁ। ଦେହ ପାଇଁ ଏହା କ୍ଷତିକାରକ ଥିବା ଜାଣି ମଧ୍ୟ ଖାଦ୍ୟରେ ରଂଗ ଦେଇ ଗ୍ରାହକଙ୍କୁ ପ୍ରଲୋଭିତ କରୁଛନ୍ତି। ଅପରପକ୍ଷରେ ଖାଦ୍ୟ ସୁରକ୍ଷା ପକ୍ଷରୁ ଏସବୁକୁ ଯାଞ୍ଚ କରାଯାଉଥିଲେ ହେଁ ତୁରନ୍ତ କୌଣସି ଜରିମାନା କିମ୍ବା କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ବ୍ୟବସାୟୀମାନେ ଏହି ଯାଞ୍ଚକୁ ଖାତିର କରୁନାହାନ୍ତି।

ସୂଚନା ଅନୁସାରେ, ଚଳିତମାସ ୧ତାରିଖରୁ ୧୬ତାରିଖ ମଧ୍ୟରେ ରୁପାଲି ଛକ, ମାଷ୍ଟର କ୍ୟାଣ୍ଟିନ୍, ରାଜମହଲ, ନୟାପଲ୍ଲୀ, ସିଆରପି ଛକ, ଶୈଳଶ୍ରୀ ବିହାର, ଚନ୍ଦ୍ରଶେଖରପୁର, କିଟ୍ ଅଞ୍ଚଳରେ ୧୦୦ରୁ ଅଧିକ ଦୋକାନକୁ ଯାଞ୍ଚ କରାଯାଇଥିଲା। ମୋବାଇଲ ଭ୍ୟାନ୍ ସହାୟତାରେ ହୋଟେଲ, ଠେଲା ଦୋକାନୀ ଓ ଅନ୍ୟ ଖାଦ୍ୟ ବ୍ୟବସାୟୀଙ୍କ ଖାଦ୍ୟ ନମୁନା ଯାଞ୍ଚ ହୋଇଥିଲା। ୯୬ଟି ନମୁନାରୁ ୧୩ଟି ନମୁନା ନିମ୍ନମାନର ରହିଥିବା ଘଟଣାସ୍ଥଳରେ ହିଁ ଜଣାପଡ଼ିଥିଲା। ରସଗୋଲାରୁ ଷ୍ଟାର୍ଚ ଓ ତରକାରିରୁ କୃତ୍ରିମ ରଂଗ ବାହାରିଥିଲା। ପୂର୍ବରୁ ମଧ୍ୟ ରାଜଧାନୀର କିଛି ନାମୀ ମିଠା ଦୋକାନୀଙ୍କ ଛେନାପୋଡ଼ରେ ଷ୍ଟାର୍ଚ ଅଧିକ ମାତ୍ରରେ ଥିବା ପରୀକ୍ଷା ସମୟରେ ଜଣାପଡ଼ିଥିଲା। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ କେବଳ ଲୋକମାନଙ୍କ ପାଇଁ ଉତ୍ତମ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା। ଏଥର ମଧ୍ୟ ସମାନ ଢଙ୍ଗରେ ଖାଦ୍ୟ ବ୍ୟବସାୟୀଙ୍କୁ ଉତ୍ତମ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୫୦/୬୦ କି.ଜିର ବାସି ଖାଦ୍ୟ ନଷ୍ଟ କରାଯାଇଛି। ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀଙ୍କ କହିବା କଥା, ମୋବାଇଲ ଭ୍ୟାନ୍‌ରେ ରାଜଧାନୀରେ ନିୟମିତ ଖାଦ୍ୟପଦାର୍ଥର ଯାଞ୍ଚ କରାଯାଉଛି। ଚଳିତମାସ ଆରମ୍ଭରୁ ରାଜଧାନୀରେ ଯାଞ୍ଚ ଜୋରଦାର ହୋଇଥିଲା। ମୋବାଇଲ ଭ୍ୟାନ୍‌କୁ ବାଦ୍ ଦେଲେ ଅନେକ ସମୟରେ ବିଭିନ୍ନ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ସେସବୁକୁ ପରୀକ୍ଷା ପାଇଁ ପଠାଯାଉଛି। ଯେହେତୁ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷମତା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟରେ ନାହିଁ ତେଣୁ ସେମାନଙ୍କୁ କେବଳ ନୋଟିସ୍ ଦେଇ ଛାଡ଼ି ଦିଆଯାଉଛି। ଏହାସହ ଖାଦ୍ୟ ଲାଇସେନ୍‌ସ ନେଇ ନ ଥିବା ଦୋକାନୀମାନଙ୍କୁ ତୁରନ୍ତ ଲା‌ଇସେନ୍‌ସ ନେବାକୁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ମଧ୍ୟ ରାଜଧାନୀରେ ଏକ ରେସ୍ତୋରାଁରେ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ସୂଚନା ମିଳିବା ପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର