କରୋନା କଣ୍ଟାରେ କଲବଲ; ହୋଟେଲ, ବ୍ୟାଣ୍ଡପାର୍ଟି ଓ ଟେଣ୍ଟ ବ୍ୟବସାୟୀ

ଜୀବିକା ଚିନ୍ତାରେ କ୍ୟାଟର୍‌ର ଓ ଟେଣ୍ଟ ହାଉସ୍ ଆସୋସିଏସନ୍, ବିବାହରେ ୩୦୦ ଲୋକଙ୍କୁ ସାମିଲ ପାଇଁ ଅନୁମତି ଦେବାକୁ ଦାବି

ଭୁବନେଶ୍ବର: ରାଜଧାନୀରେ କରୋନାର ଉଗ୍ରରୂପ ପାଇଁ ସରକାର କଠୋର କଟକଣା ଲାଗୁ କରିଛନ୍ତି। ସଭା, ସମିତି, ବିବାହ, ବ୍ରତ, ଜନ୍ମଦିନ ଆଦି ସମାବେଶଗୁଡ଼ିକୁ କଟକଣା ପରିସରଭୁକ୍ତ କରି ଦିଆଯାଇଛି। ଫଳରେ ରାଜଧାନୀର ବିଭିନ୍ନ ହୋଟେଲ, ରେ‌‌ସ୍ତୋରାଁ, କ୍ୟାଟରିଂ, ଟେଣ୍ଟ ହାଉସ୍‌, ବ୍ୟାଣ୍ଡପାର୍ଟି ଆଦି ସଂସ୍ଥାଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ଏମିତି ସ୍ଥିତି ଆଉ କିଛି ଦିନ ରହିଗଲେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ ବୋଲି ସେମାନଙ୍କୁ ଚିନ୍ତା ଘାରିଲାଣି।

ଭୁବନେଶ୍ୱର: ବିବା‌ହ ଉତ୍ସବରେ କରୋନା କଟକଣା ଯୋଗୁଁ ଏବେ ପୁଣିଥରେ ଜୀବିକା ସଂକଟର ସମ୍ମୁଖୀନ ହୋଇଛନ୍ତି କ୍ୟାଟରର୍ ଓ ଟେଣ୍ଟ ହାଉସ୍ କର୍ମଚାରୀ। ଏହି ପରିପ୍ରେକ୍ଷୀରେ ବିବାହ ଉତ୍ସବରେ ୩୦୦ ଲୋକଙ୍କୁ ସାମିଲ ପାଇଁ ଅନୁମତି ଦେବା ଲାଗି ଦାବି କରିଛି ଅଲ୍ ଓଡ଼ିଶା କ୍ୟାଟର୍‌ର ଓ ଟେଣ୍ଟ ହାଉସ୍ ଆସୋସିଏସନ୍। ଏଥିନିମନ୍ତେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ କହିଛି, ଯଦି ଅଡିଟୋରିୟମରେ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ବସିବା ପାଇଁ ଅନୁମତି ରହିଛି, ତେବେ ବିବାହ କାର୍ଯ୍ୟରେ ୩୦୦ ଲୋକ କାହିଁକି ସାମିଲ ହୋଇପାରିବେ ନାହିଁ। ରାଜ୍ୟରେ ପ୍ରାୟ ୧୦ ଲକ୍ଷରୁ ଊର୍ଧ୍ବ ଲୋକଙ୍କ ଜୀବିକା ବିବାହ ଉପରେ ନିର୍ଭର କରେ। ତେଣୁ ସେମାନଙ୍କ ଅବସ୍ଥା ପ୍ରତି ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ପ୍ରାୟ ପ୍ରତ୍ୟେକ ବିବାହ ଉତ୍ସବ ବା ରିସେପସନ୍ ୪ରୁ ୫ଘଣ୍ଟା ଚାଲେ। ଏକାସାଙ୍ଗରେ ସବୁ ଲୋକ ବି ଆସନ୍ତି ନାହିଁ। ତେଣୁ ୩୦୦ ଲୋକଙ୍କୁ ସାମିଲ ହେବାର ଅନୁମତି ଦେଲେ ମଧ୍ୟ ସାମାଜିକ ଦୂରତ୍ବ ଉଲ୍ଲଂଘନ ହେବ ନାହିଁ। ଏହାର ଉଚିତ ଭାବରେ ପାଳନ ପାଇଁ କ୍ୟାଟର୍‌ର, ଟେଣ୍ଟହାଉସ୍‌ ବ୍ୟବସାୟୀମାନେ ଦୃଷ୍ଟି ଦେବେ ବୋଲି ସଂଘ କହିଛି। ସାମ୍ବାଦିକ ସମ୍ମିଳନୀରେ ଅନୁପମ ବଗେଇ, ପ୍ରବୋଧ କୁମାର ଦାସ, ଦ୍ବାରିକାନାଥ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଦାସ, ବିଭୂତି ଭୂଷଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଆଉ କେତେ କ୍ଷତି ସହିବୁ?
ବର୍ଷେ ହେଲା ତ କ୍ଷତିରେ ଚାଲିଛି। ଗତବର୍ଷ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ରେ ହୋଟେଲ ପୂରା ବନ୍ଦ ହୋଇଗଲା। କିଛି ମାସ ହେଲା ବେପାର ଟ୍ରାକ୍‌କୁ ଫେରିଆସୁଥିଲା। କିନ୍ତୁ ଏବେ ପୁଣି କଟକଣା ସେଥିରେ ବାଧକ ସାଜିଲାଣି। ଏମିତିରେ ତ ବଡ଼ ବଡ଼ ସରକାରୀ କାର୍ଯ୍ୟକ୍ରମ ନ ହେବାରୁ ଆମ ହୋଟେଲରୁ ଖାଦ୍ୟ ଯୋଗାଣ ବନ୍ଦ ରହିଥିଲା। ଏବେ ରାଜଧାନୀର ହଷ୍ଟେଲଗୁଡ଼ିକ ବି ଖାଲି ହୋଇଗଲାଣି। ସେହିପରି ବିବାହ, ବ୍ରତ ଭଳି ସାମାଜିକ ସମାବେଶରେ ସ୍ବଳ୍ପସଂଖ୍ୟକ ଲୋକଙ୍କୁ ନେଇ କରାଯାଉଥିବାରୁ ଆଗ ଭଳି ଅର୍ଡର୍‌ ବେଶି ଆସୁନି। ବ୍ୟବସାୟ କମି ଯାଇଛି, ହେଲେ କର୍ମଚାରୀମାନଙ୍କୁ ଦରମା, ଘରଭଡ଼ା ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ତ ସେୟା ରହିଛି। ଏମିତି ଚାଲିଲେ ଆଗକୁ ବାଧ୍ୟ ହୋଇ ବ୍ୟବସାୟ ବନ୍ଦ କରିବାକୁ ପଡ଼ିବ। ଫଳରେ ଏହା ଉପରେ ନିର୍ଭର କରୁଥିବା ପାଖାପାଖି ୫୦୦ କର୍ମଚାରୀ ଜୀବିକା ହରାଇବେ। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ହୋଟେଲ ଓ କ୍ୟାଟରିଂ ଶିଳ୍ପ ପାଇଁ ସ୍ବତନ୍ତ୍ର ଅନୁଦାନ ମଂଜୁର କରନ୍ତୁ।
ହିମାଂଶୁ ଶେଖର ସାବତ
ମୁଖ୍ୟ, ଶ୍ରୀଭୁବନ ହୋଟେଲ ଏବଂ କ୍ୟାଟରିଂ ସଂସ୍ଥା

ଋଣ ଶୁଝିବାକୁ ପୁଣି ଋଣ କରିଛି
ଋଣ କରି ଅନେକଗୁଡ଼ିଏ ବ୍ୟବସାୟ ଉପକରଣ କିଣିଥିଲୁ। ହେଲେ ବର୍ଷେ ହେଲା ସେଗୁଡ଼ିକ ସବୁ ପଡ଼ି ପଡ଼ି ନଷ୍ଟ ହେଉଥିବା ବେଳେ ଏବେ ବ୍ୟାଙ୍କକୁ ତା’ ଋଣ ସୁଝିବା ପାଇଁ ବାହାର ବଜାରରୁ ପୁର୍ନବାର ଋଣ କରିବା ପାଇଁ ପଡ଼ୁଛି। ଜାନୁଆରି ମାସରେ ବ୍ୟବସାୟରେ ଉନ୍ନତି ପରିଲିକ୍ଷିତ ହେବାରୁ ଆଶା ଥିଲା ଯେ ସବୁ ଋଣ ପରିଶୋଧ ହୋଇଯିବ। ହେଲେ ସରକାର ପୁଣି କଟକଣା ଲଗାଇ ଦେବାରୁ ବିବାହ ପାଇଁ ବହିନା ଦେଇଥିବା ଲୋକମାନେ ଟଙ୍କା ଫେରସ୍ତ ନେଇଗଲେଣି। ଫଳରେ ଏବେ ଏ ବ୍ୟବସାୟରେ ରହି ପରିବାର ପ୍ରତିପୋଷଣ କରିହେଉନାହିଁ। ଯଦି କେହି ନୂଆ ବ୍ୟବସାୟୀ ଆଗ୍ରହ ପ୍ରକାଶ କରିବେ, ତେବେ ସବୁ ଜିନିଷ ମୁଁ ବିକ୍ରି କରିଦିଅନ୍ତି। ନହେଲେ କରୋନା ମାରିବା ପୂର୍ବରୁ ମୋ ପିଲାଛୁ୍ଆ ଅନାହାରରେ ମରିଯିବେ।
ଶୁଭେନ୍ଦୁ କୁମାର ମହାନ୍ତି,
ମୁଖ୍ୟ, ରୁଚି କ୍ୟାଟର ଆଣ୍ଡ ଡେକୋରେଟର୍‌

ଲୋକ ବଇନା ଫେରସ୍ତ ମାଗିଲେଣି
ବିବାହ, ବ୍ରତ ପାଇଁ ଆଗୁଆ ବୁକିଂ ସରିଥିଲା। ଲୋକେ ବଇନା ବି ଦେଇ ସାରିଥିଲେ। ହେଲେ ଏ କରୋନାଟା ପୁଣି ଫେରି ସବୁ ବିଗାଡ଼ି ଦେଲା। ଯାହା ଟିକିଏ ବେପାର ହୋଇ ଆସୁଥିଲା, ସେଥିରେ ଏବେ ରୋକ୍‌ ଲାଗିବା ଭଳି ପରିସ୍ଥିତି ଦେଖାଦେଲାଣି। ଅଧିକାଂଶ ଲୋକେ ଏବେ ବଇନା ଦେଇଥିବା ଟଙ୍କା ଫେରାଇବା ପାଇଁ ବାରମ୍ବାର ଫୋନ୍‌ କରି ଅସ୍ତବ୍ୟସ୍ତ କରି ପକାଉଛନ୍ତି। ଗୋଟିଏ ପଟେ ସହରରେ କରୋନା ମାଡ଼ି ମାଡ଼ି ଚାଲୁଥିବା ବେଳେ ସରକାରଙ୍କ ନିୟମ ବି ଦିନକୁ ଦିନ କଠୋର୍‌ ହେବାରେ ଲାଗିଛି। ଆଗ ନାଇଟ୍‌ କର୍ଫ୍ୟୁ ଲଗାଇଲେ, ଏବେ ସପ୍ତାହାନ୍ତ ସଟ୍‌ଡାଉନ୍‌। ଖାଲି ସେତିକି ନୁହେଁ, ବାହାଘର ଓ ବ୍ରତଘର ଭଳି ଉତ୍ସବ ପାଇଁ ସରକାର ମାତ୍ର ୫୦ ଜଣଙ୍କ ଉପସ୍ଥିତିକୁ ଅନୁମତି ଦେଇଛନ୍ତି। ତେଣୁ ଏତେ କମ୍‌ ଲୋକରେ କିଏ ବାହା ହେବ ଯେ ଆମକୁ ରୋଜଗାର ମିଳିବ। ଗୋଟିଏ ବାହାଘର କିମ୍ବା ବ୍ରତଘର ହେଲେ, ଫୁଲ‌ ଦୋକାନୀଠାରୁ ଆରମ୍ଭ କରି ପରିବା ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ବହୁ ବର୍ଗର ବ୍ୟବସାୟୀ ଉପକୃତ ହୁଅନ୍ତି। କିନ୍ତୁ ସରକାରଙ୍କ ଏହି କଠୋର୍‌ କଟକଣା ଯୋଗୁଁ ସେମାନଙ୍କ ଜୀବନଜୀବିକା ବାଧାପ୍ରାପ୍ତ ହେବ। ସିନେମା ହଲ୍‌ରେ ୫୦ ପ୍ରତିଶତ ଲୋକଙ୍କୁ ବସିବାର ଅନୁମତି ଦିଆଯାଇପାରୁଛି, ପାର୍କକୁ ଯିବା ପାଇଁ ବି ସେମିତି ବିଶେଷ କିଛି କଟକଣା ନାହିଁ। କିନ୍ତୁ ବାହାଘର ଓ ବ୍ରତଘର ପାଇଁ ଏତେ କଠୋର୍‌ କଟକଣା କାହିଁକି। ଆମେ କୋଭିଡ୍‌ର ସବୁ ନିର୍ଦ୍ଦେଶାବଳୀ ମାନିବାକୁ ରାଜି ଅଛୁ। ଅନ୍ତତଃ ପର୍ଯ୍ୟାୟକ୍ରମେ ୩ଶହ ଲୋକଙ୍କୁ ଅନୁମତି ଦିଆଯାଉ।
ସୂର୍ଯ୍ୟକାନ୍ତ ଜେନା,
ସ୍ବତ୍ବାଧିକାରୀ, ଏନ୍‌ଏସ୍‌ କ୍ରିଏସନ୍‌ (ଟେଣ୍ଡ ହାଉସ୍‌ ଓ କ୍ୟାଟରିଂ ସଂସ୍ଥା)

ଆମେ ତ ବୁଡ଼ିବୁ, ଗରିବ ଖଟିଖିଆଙ୍କ ସଂସାର ବି ଉଜୁଡ଼ିବ
ଦୀର୍ଘ ଦଶ ମାସ ବାହାଘର ଶୋଭାଯାତ୍ରା ବନ୍ଦ ରହିଥିଲା। ରାସ୍ତାକୁ ଆସିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ଦୁଇ ମାସ ତଳେ ସ୍ଥିତି ଟିକିଏ ସ୍ବାଭାବିକ ହେବାରୁ ଆଶାର କିରଣ ଦେଖାଦେଇଥିଲା। କରୋନା ପୁଣି ଫେରି ସେ ଆଶା ବି ଛଡ଼ାଇ ନେଲାଣି। ଋଣ କରି ଡିଜେ, ବ୍ୟାଣ୍ଡପାର୍ଟି ପାଇଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିଥିଲୁ। କିନ୍ତୁ ବ୍ୟବହାର ନ ହେବାରୁ ସେଥିରୁ ଅଧିକାଂଶ ଅଚଳ ହୋଇଯାଇଥିଲା। ଏଇ ବର୍ଷ ପୁଣି ଋଣ କରି ଉପକରଣଗୁଡ଼ିକ କାର୍ଯ୍ୟକ୍ଷମ କରିଥିଲୁ। ହେଲେ କରୋନା ଫେରିବାରୁ ଏବେ କ’ଣ କରିବୁ, କିଛି ବୁଝିପାରୁନୁ। ନିର୍ବାଚନୀ ପ୍ରଚାର, ରାଜନୈତିକ ସଭା ସମିତିରେ ହଜାର ହଜାର ଲୋକ ରୁଣ୍ଡ ହେଉଥିଲେ। ବାହାଘର, ବ୍ରତଘର ପାଇଁ ଅନ୍ତତଃ ୩ ଶହ ଲୋକଙ୍କୁ ତ ଅନୁମତି ଦିଆଯାଉ। ଆ‌ମେ କୋଭିଡ୍‌ କଟକଣା ମାନି କାମ କରିବାକୁ ରାଜି ଅଛୁ। ଏମିତି କଟକଣା କଠୋର୍‌ ହେଲେ, ଆମର ତ ବେଉସା ବୁଡ଼ିବ, ଆମ ଉପରେ ନିର୍ଭର କରି ଚଳୁଥିବା ଗରିବ ଖଟିଖିଆଙ୍କ ବି ସଂସାର ଉଜୁଡ଼ିଯିବ।
ବିଶ୍ବରଞ୍ଜନ ସାମନ୍ତରାୟ
ସଭାପତି, ଓଡ଼ିଶା ସାଉଣ୍ଡ ଲାଇଟ୍ ମାଲିକ ସଂଘ

ସମ୍ବନ୍ଧିତ ଖବର