ହୋଟେଲ ହାଇୱେ ଇନ୍‌ରେ ମହିଳାଙ୍କୁ ହତ୍ୟା ଘଟଣା

ବାପା ମା’ଙ୍କୁ ବି କରିଥିଲା ହତ୍ୟା

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଅଧୀନ ହୋଟେଲ ହାଇୱେ-ଇନ୍‌ ରୁମ୍‌ ନମ୍ବର ୧୨୧ରେ ଲକ୍ଷ୍ମୀପ୍ରିୟା ବିଶ୍ବାଳ(୩୨) ନାମକ ଜଣେ ମହିଳାଙ୍କ ହତ୍ୟା ଘଟଣାରେ କମିସନରେଟ୍‌ ପୁଲିସକୁ ବଡ଼ ସଫଳତା ମିଳିଛି। ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା କରିଥିବା ପ୍ରକୃତ ହତ୍ୟାକାରୀ କିଏ ପୁଲିସ ଜାଣି ପାରିଛି। ଏପରିକି ହତ୍ୟାକାରୀ ସମ୍ପର୍କରେ ପୁଲିସକୁ ସାଂଘାତିକ ସୂଚନା ମିଳିଛି। ହତ୍ୟାକାରୀର ଅପରାଧ ରେକର୍ଡ ଦେଖି ପୁଲିସ ମଧ୍ୟ ତାଟକା ହୋଇ ଯାଇଛି। କାରଣ ଏହି ହତ୍ୟାକାରୀ ଜଣକ ପୂର୍ବରୁ ନିଜ ବାପା ଓ ମା’ଙ୍କୁ ହତ୍ୟା କରି ଦୀର୍ଘ ଦିନ ପର୍ଯ୍ୟନ୍ତ ଝାରପଡ଼ା ଜେଲରେ ଆଜୀବନ କଏଦୀ ଭାବେ ସଜ୍ଜା କାଟୁଥିଲା। ଗତବର୍ଷ ନଭେମ୍ବର ମାସରୁ ପାରୋଲରେ ଯାଉ ଆଉ ଫେରି ନାହିଁ। ତା ନାଁ ଶାରଦା ପ୍ରସାଦ ସେଠୀ ଓରଫ ଲିଟୁ। ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଧୀନ ପଳସୁଦାରେ। ଏଠାରେ ସେ ଖଣ୍ଡଗିରି ଥାନା ଅଧୀନ ଶ୍ୟାମପୁରରେ ରହୁଥିଲା। ହୋଟେଲ ହାଇୱେ-ଇନ ଲକ୍ଷ୍ମୀପ୍ରିୟା ବିଶ୍ବାଳ ହତ୍ୟାକାଣ୍ଡରେ ଲିଟୁ ସଂପୃକ୍ତ ଥିବା ସ୍ପଷ୍ଟ ହେବା ପରେ ପୁଲିସ ତାକୁ ଖୋଜାଖୋଜି ଆରମ୍ଭ କରିଛି। ଗତ ଅଗଷ୍ଟ ମାସ ୨୫ ତାରିଖ ସକାଳୁ ମଞ୍ଚେଶ୍ବର ଥାନା ପୁଲିସ ହୋଟେଲ ହାଇୱେ-ଇନ ଭିତରୁ ଲକ୍ଷ୍ମୀପ୍ରିୟାଙ୍କ ରକ୍ତାକ୍ତ ମୃତଦେହ ଜବତ କରିଥିଲା। ପୁଲିସ ହେ‌ା‌େଟଲ ରୁମ୍ ଭିତରୁ ରକ୍ତ ଭିଜା କପଡ଼ା, ଲୁହାରଡ୍‌, ମୋବାଇଲ୍ ଫୋନ୍ ଓ ଆଧାରକାର୍ଡ ଆଦି ଜବତ କରିଥିଲା। ହତ୍ୟା ଘଟଣାର ଛାନ୍‌ଭିନ୍‌ ପାଇଁ ମୋବାଇଲ ଫୋନ୍ ଓ ଆଧାରକାର୍ଡ ସୁରାକ ଯୋଗାଇ ଦେବ ବୋଲି ପୁଲିସ ନିଶ୍ଚିତ ହୋଇ ଯାଇଥିଲା। ଯାଞ୍ଚବେ‌ଳେ ଅଧାରକାର୍ଡଟି ଆଦିତ୍ୟ ମହାପାତ୍ରଙ୍କ ବୋଲି ଲେଖାଥିଲା। କିନ୍ତୁ ଆଧାରକାର୍ଡରେ ଅନେକ ତ୍ରୁଟି ଥିଲା। ଆଦିତ୍ୟ ମହାପାତ୍ର ଜଣେ ପୁରୁଷ ହୋଇଥିଲେ ମଧ୍ୟ ଆଧାରକାର୍ଡରେ ପତି ଭୃଗୁନାଥ ମହାପାତ୍ର ଓ ଆଦିତ୍ୟ ମହାପାତ୍ର ଜଣେ ମହିଳା ବୋଲି ଲେଖା ହୋଇଥିଲା। ସେହିପରି ଠିକଣା ପୁରୀ ବାସେଳିସାହି ବୋଲି ଥିଲା। ପୁଲିସ ସେହି ଠିକଣାରେ ପହଞ୍ଚିବା ପରେ ଆଦିତ୍ୟ ମହାପାତ୍ର ନାମକ ଯୁବକ ସେହି ସାହିରେ ରହୁ ନ ଥିବା ସ୍ପଷ୍ଟ ହୋଇଥିଲା। ଫଳରେ ପୁଲିସ ଜାଣିବାକୁ ପାଇଥିଲା କି ଆଧାରକାର୍ଡ ସଂପୂର୍ଣ ଜାଲ। ପରେ ପୁଲିସ ସେହି ଆଧାରକାର୍ଡରେ ଲାଗିଥିବା ଫଟୋକୁ ସାରା ରାଜ୍ୟର ପୁଲିସ ଷ୍ଟେସନ୍‌ ଓ ସମସ୍ତ ଜେଲ୍‌କୁ ପଠାଇଥିଲା। ଗୁରୁବାର ଝାରପଡ଼ା ଜେଲରେ ସଜ୍ଜା କାଟୁଥିବା ଜଣେ ପୁରୁଣା ହତ୍ୟାକାରୀ ସେହି ଫଟୋକୁ ଚିହ୍ନଟ କରି ପାରିଛନ୍ତି। ତାଙ୍କଠାରୁ ପୁଲିସ ଜାଣିବାକୁ ପାଇଛି କି ସେହି ଫଟୋଟି ହେଉଛି ଶାରଦା ପ୍ରସାଦ ସେଠୀ ଓରଫ ଲିଟୁର। ଲିଟୁ ୨୦୦୯ ନଭେମ୍ବର ମାସ ୨୦ ତାରିଖରେ ବାପା ଅଭୟ କୁମାର ସେଠୀ ଓ ତାଙ୍କ ପତ୍ନୀ( ନିଜ ମା’)ଙ୍କୁ କେତେକ ସହଯୋଗୀଙ୍କ ସହିତ ମିଶି ହତ୍ୟା କରିଥିଲା। ଲିଟୁ ସେତେବେଳେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା। ବାପା ମା’ ଏହାର ବିରୋଧ କରିବାରୁ ସେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିଲା। ସେତେବେଳେ ଖଣ୍ଡଗିରି ଥାନା ପୁଲିସ ଲିଟୁର ସହଯୋଗୀଙ୍କୁ ଗିରଫ କରିଥିଲେ ମଧ୍ୟ ଲିଟୁକୁ ଗିରଫ କରିବା କାଠିକର ପାଠ ହୋଇ ଯାଇଥିଲା। ଘଟଣାର ଦୁଇ ସପ୍ତାହ ପରେ ପୁଲିସ ତାକୁ କଶ୍ମୀରରୁ ଗିରଫ କରିଥିଲା। ଏହି ହତ୍ୟାକାଣ୍ଡ ମାମଲାରେ ଲିଟୁ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଝାରପଡ଼ା ଜେଲରେ ସଜ୍ଜା କାଟୁଥିଲା। ଗତବର୍ଷ ନଭେମ୍ବର ମାସ ୨୮ ତାରିଖରେ ସେ ଦୁଇ ସପ୍ତାହ ଲାଗି ପାରୋଲରେ ଯାଇ ଆଉ ଫେରି ନ ଥିଲା। ଏ ନେଇ ଝାରପଡ଼ା ଜେଲ କର୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ପାରୋଲ୍‌ରେ ଆସି ଫେରାର ହେବା ପରେ ତାଙ୍କର ଲକ୍ଷ୍ମୀପ୍ରିୟାଙ୍କ ସହିତ ପରିଚୟ ହୋଇଥିଲା। ପରେ ତାହା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଏପରିକି ଲକ୍ଷ୍ମୀପ୍ରିୟା ଗର୍ଭବତୀ ହୋଇଥିଲେ। ଏହି କାରଣରୁ ଲକ୍ଷ୍ମୀପ୍ରିୟା ଲିଟୁକୁ ବିବାହ କରିବାକୁ ଜିଦି ଧରିଥିଲେ। ଯେଉଁ କାରଣରୁ ଲିଟୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ବୋଲି ତଦନ୍ତକାରୀ ଅଫିସର ଜାଣିବାକୁ ପାଇଛନ୍ତି। ପୁଲିସ ହତ୍ୟାକାରୀ କିଏ ଜାଣି ସାରିଲାଣି ସତ। କିନ୍ତୁ ଏଯାଏ ହତ୍ୟାକାରୀ ଲିଟୁକୁ ଗିରଫ କରିବାରେ ସକ୍ଷମ ହୋଇ ପାରିନାହିଁ। ଘଟଣାକୁ ସାଢ଼େ ୪ ମାସ ବିତି ଗଲାଣି। ପୁଲିସ ଯେଉଁ ଢଙ୍ଗରେ ତଦନ୍ତ ଆରମ୍ଭ କରିବା କଥା ତାହା ନ କରିବାରୁ ହତ୍ୟାକାରୀକୁ ଠାବ କରିବା ଏକ ପ୍ରକାର କଷ୍ଟକର ବ୍ୟାପାର ହୋଇ ପଡ଼ିଛି। ସେହିପରି ଆଧାରକାର୍ଡ ଭୁଲ ଥିଲେ ମଧ୍ୟ ହୋଟେଲ କର୍ତୃପକ୍ଷ ସେମାନଙ୍କୁ କେଉଁ ପରିସ୍ଥିତିରେ ରହିବାକୁ ସୁଯୋଗ ଦେଇଥିଲା ତାକୁ ନେଇ ପ୍ରଶ୍ନ ଉଠିଛି। ସେହିପରି ହୋଟେଲରେ ସିସିଟିଭି ମଧ୍ୟ ନ ଥିଲା। କିନ୍ତୁ ମଞ୍ଚେଶ୍ବର ଥାନା ପୁଲିସ ଏଯାଏ ହୋଟେଲ ମାଲିକଙ୍କ ଉପରେ କୌଣସି କାର୍ଯାନୁଷ୍ଠାନ ମଧ୍ୟ ଗ୍ରହଣ କରିନାହିଁ। ଫଳରେ ପୁଲିସ ଭୂମିକା ମଧ୍ୟ ସନ୍ଦେହ ଜନକ।

ପ୍ରକାଶଥାଉକି, ଲକ୍ଷ୍ମୀପ୍ରିୟା ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା। ସେ ୨୦୦୪ ମସିହାରେ ଗଡ଼ ଖୋର୍ଧା‌ର ଅକ୍ଷୟ ବିଶ୍ବାଳଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ଦୁଇ ପୁଅ। ବିବାହର କିଛି ବର୍ଷ ପରେ ଦୁହିଁଙ୍କ ମଧୢରେ ମନାନ୍ତର ଘଟିଥିଲା। ଏ ନେଇ ଭୁବନେଶ୍ବର ମହିଳା ଥାନାରେ ମାମଲା ମଧୢ ରୁଜୁ ହୋଇଥିଲା। ଏହି କାରଣରୁ ଲକ୍ଷ୍ମୀପ୍ରିୟା ଭୁବନେଶ୍ବର ଆସି ଭିଣୋଇ ସୁଶାନ୍ତ ପାଣିଙ୍କ ପାଖରେ ରହୁଥିଲେ। ଏହା ମଧୢରେ ଲକ୍ଷ୍ମୀପ୍ରିୟାଙ୍କ ସମ୍ପର୍କ ଲିଟୁ ସହିତ ହୋଇଥିଲା। ଗତ ଅଗଷ୍ଟ ମାସ ୨୨ ତାରିଖରେ ଲକ୍ଷ୍ମୀପ୍ରିୟା ସପି˚ କରିବାକୁ ଯାଉଛି ବୋଲି ଭଉଣୀ, ଭିଣୋଇକୁ ଜଣାଇଥିଲେ। ୨୫ ତାରିଖ ସକାଳୁ ମଞ୍ଚେଶ୍ବର ଥାନା ପୁଲିସ ଲକ୍ଷ୍ମୀପ୍ରିୟାଙ୍କ ରକ୍ତାକ୍ତ ମୃତଦେହକୁ ହୋଟେଲ ଭିତରୁ ଜବତ କରିଥିଲା।

ସମ୍ବନ୍ଧିତ ଖବର