ଘର ପାଇଁ ଟିକସ ଦେଇ ହୋଟେଲ ଖୋଲିଛନ୍ତି : ୪୦ ଜଣଙ୍କୁ ନୋଟିସ୍ କଲା ବିଏମ୍‌ସି

ବର୍ଷକୁ କୋଟି କୋଟି ଟଙ୍କା ହରାଉଛି, ତୁରନ୍ତ ବନ୍ଦ ନକଲେ ଘର ସିଲ୍‌ ହେବ

ଭୁବନେଶ୍ବର : ବିଏମ୍‌ସିକୁ ଆବାସିକ ଘର ପାଇଁ ହୋଲଡିଂ ଟିକସ ଦେଉଛନ୍ତି। କିନ୍ତୁ ଘରେ ହୋଟେଲ, ଗେଷ୍ଟହାଉସ୍ ଖୋଲାଯାଇଛି। ଏମିତି ଭାବେ ବର୍ଷ ବର୍ଷ ଧରି ବିଏମ୍‌ସିକୁ ଲକ୍ଷ ଲକ୍ଷ ଟଙ୍କା ଟିକସ ଫାଙ୍କି ଚାଲିଛନ୍ତି। ଏହିଭଳି ୪୦ଟି ଘରେ ଆଜି ବିଏମ୍‌ସିର ଉତ୍ତର ଜୋନ୍ ପକ୍ଷରୁ ଚଢ଼ଉ ହୋଇଛି। ବେଆଇନ ଭାବେ ଆବାସିକ ଘରେ ବ୍ୟବସାୟିକ କାର୍ଯ୍ୟ ଚାଲିଥିବାରୁ ତୁରନ୍ତ ଏହାକୁ ବନ୍ଦ କରିବାକୁ ବିଏମ୍‌ସି ପକ୍ଷରୁ ନୋଟିସ୍ ଜାରି ହୋଇଛି।

ଚନ୍ଦ୍ରଶେଖରପୁର ଅଞ୍ଚଳରେ ପ୍ରତି ଗଳିକନ୍ଦିରେ ଛୋଟଛୋଟ ହୋଟେଲ, ଗେ‌ଷ୍ଟ ହାଉସ୍ ଖୋଲିଥିବାବେଳେ ଏଥିରୁ ଅଧିକାଂଶ ବେଆଇନ୍ ବୋଲି ଜଣାପଡ଼ିଛି। ବିଏମ୍‌ସିର ବିନା ଅନୁମତିରେ, ବିନା ଟ୍ରେଡ୍‌ ‌ଲାଇସେନ୍ସରେ ବେଆଇନ୍ ଭାବେ ଖୋଲା ଯାଇଥିବା ୪୦ଟି ଘରେ ଆଜି ବିଏମ୍‌ସି ପକ୍ଷରୁ ଚଢ଼ଉ ହୋଇଥିଲା। ଏଥିରେ ଜଣାପଡ଼ିଥିଲା ଯେ, ୨୪ଟି ଘର କେବଳ ରେସିଡେନସିଆଲ୍‌ ପାଇଁ ହୋଲଡିଂ ଟିକସ ଦେଉଥିବାବେଳେ ଏଠାରେ ଗେଷ୍ଟହାଉସ୍ ଏବଂ ଓୟୋ ହୋଟେଲ ଖୋଲିଛି। ସେହିପରି ୮ ଟି ଘର ଭଡ଼ା ବାବଦକୁ ହୋଲଡିଂ ଟିକସ ଦେଉଥିବାବେଳେ ସେମାନେ ବି ଗେ‌ଷ୍ଟହାଉସ୍, ହୋଟେଲ ଓ ହଷ୍ଟେଲ୍ ଖୋଲିଛନ୍ତି। ୮ଟି ଘର ରେସିଡେନସିଆଲ୍‌ ଏବଂ ‌ଭଡ଼ା ବାବଦକୁ ହୋଲଡିଂ ଟିକସ ଦେଉଥିବାବେଳେ ଏଠାରେ ହୋଟେଲ ଖୋଲିଛନ୍ତି।

ବିଏମ୍‌ସିର ଉତ୍ତର ଜୋନ୍‌ ଡେପୁଟି କମିସନର ପ୍ରମୋଦ ପୃଷ୍ଟିଙ୍କ ନେତୃତ୍ବରେ ଏକ ଟିମ୍ ଏଠାରେ ଚଢ଼ଉ କରିଥିବାବେଳେ ତୁରନ୍ତ ହୋଟେଲ, ହଷ୍ଟେଲ୍ ଓ ଗେଷ୍ଟହାଉସ୍ ବନ୍ଦ କରିବାକୁ ନୋଟିସ୍ ଜାରି କରିଛନ୍ତି। ଏନେଇ ସ୍ଥାନୀୟ ଥାନାକୁ ବି ସୂଚନା ‌ଦିଆଯାଇଛି। ବିଏମ୍‌ସି ନୋଟିସ୍ ପରେ ଯଦି ଏଗୁଡ଼ିକ ବନ୍ଦ ନହୁଏ ତେବେ ମ୍ୟୁନିସପାଲ୍‌ ଆକ୍ଟ ଅନୁଯାୟୀ ଘରକୁ ସିଲ୍‌ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଶ୍ରୀ ପୃଷ୍ଟି କହିଛନ୍ତି, ଆବାସିକ ଘରେ ଯେଉଁଠି ବର୍ଷକୁ ୭୦୦ଟଙ୍କା ହୋଲଡିଂ ଟିକସ ଆଦାୟ ହେଉଛି ସେଠାରେ ହୋଟେଲ, ଗେଷ୍ଟହାଉସ୍ ଓ ହଷ୍ଟେଲ ଖୋଲିଲେ ବର୍ଷକୁ ୭୦ହଜାର ଟଙ୍କା ଟିକସ ଦେବା କଥା। କିନ୍ତୁ ଘରମାଲିକମାନେ ବିଏମ୍‌ସିକୁ ଟିକସ ଫାଙ୍କିବାକୁ ଏଭଳି କରୁଛନ୍ତି। ଏହାବାଦ୍ ହୋଟେଲ, ଗେଷ୍ଟହାଉସ୍ ଖୋଲିବା ପାଇଁ ବିଏମ୍‌ସିର ଟ୍ରେଡ୍ ଲାଇସେନ୍ସ ନେବା କଥା। କିନ୍ତୁ ଘର ମାଲିକମାନେ ତାହା ବି ନେଇନାହାନ୍ତି। ଟିକସ ଫାଙ୍କିବା ଏବଂ ଟ୍ରେଡ୍ ଲାଇସେନ୍ସ ନନେଇ ବ୍ୟବସାୟ କରୁଥିବାରୁ ଦୁଇଟି ଅପରାଧରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାବାଦ୍ ଆବାସିକ ଅଞ୍ଚଳରେ ହୋଟେଲ, ହଷ୍ଟେଲ୍ ଓ ଗେଷ୍ଟ ହାଉସ୍ ଖୋଲିବା ନିୟମ ନଥିବାରୁ ଆମେ ଏଗୁଡ଼ିକୁ ବି ବନ୍ଦ କରିବୁ।

ସନ୍ଦେହରେ ଟ୍ୟାକ୍ସ କଲେକ୍ଟରଙ୍କ ଭୂମିକା

ଏହି ୪୦ଟି ଘରେ ବର୍ଷାଧିକ କାଳ ହୋଟେଲ, ଗେଷ୍ଟହାଉସ୍, ହଷ୍ଟେଲ୍ ଚାଲିଥିବାବେଳେ ସ୍ଥାନୀୟ ଟ୍ୟାକ୍ସ କଲେକ୍ଟରମାନେ କିପରି ଏନେଇ ଜାଣିପାରୁନଥିଲେ ସେନେଇ ଏବେ ପ୍ରଶ୍ନ ଉଠିଲାଣି। ଟ୍ୟାକ୍ସ କଲେକ୍ଟରମାନେ ସବୁ ଜାଣିକି ବି ହୋଲଡିଂ ଟିକସ ଆଦାୟ କରୁନଥିଲେ ନା ଜାଣିନଥିଲେ ସେନେଇ ବିଏମ୍‌ସି ଅଧିକାରୀଙ୍କ ନିକଟରେ ଉତ୍ତର ନାହିଁ। ପ୍ରତ୍ୟେକ ବର୍ଷ ଟ୍ୟାକ୍ସ କଲେକ୍ଟରମାନଙ୍କୁ ସର୍ଭେ କରି ଘର ଅନୁଯାୟୀ ହୋଲଡିଂ ଟିକସ ଆଦାୟ କରିବାକୁ ନିର୍ଦ୍ଦେଶନାମା ଜାରି ହେଉଥିବା ବେଳେ ଟ୍ୟାକ୍ସ କ‌େଲକ୍ଟରମାନେ କାହିଁକି ଏହାକୁ ମାନୁନଥିଲେ ସେନେଇ ବି ଜୋନାଲ ଡେପୁଟି କମିସନର କିଛି ଉତ୍ତର ଦେଇନାହାନ୍ତି।

ଶ୍ରୀ ପୃଷ୍ଟିଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି ଯେ, ଆଜି ଯେଉଁ ଚଢ଼ଉ ହେଲା ତାହା ଟ୍ୟାକ୍ସ କଲେକ୍ଟରମାନଙ୍କ ରିପୋର୍ଟ ଉପରେ ହୋଇଛି। ତେଣୁ ଟ୍ୟାକ୍ସ କଲେକ୍ଟରମାନେ ଏନେଇ ପୂର୍ବରୁ ଜାଣି ନଥିଲେ ବୋଲି କହିହେବନି। ହେଲେ ଉତ୍ତର ଜୋନ୍‌ର ସମସ୍ତ ଟ୍ୟାକ୍ସ କଲେକ୍ଟରମାନଙ୍କୁ କୁହାଯାଇଛି ଯେ, ସେମାନେ ସେମାନଙ୍କ ଅଞ୍ଚଳରେ ଏହିଭଳି ଟିକସ ଫାଙ୍କୁଥିବା ଘର ଚିହ୍ନଟ କରି ରିପୋର୍ଟ ଦେବେ। ଏହାପରେ ଚଢ଼ଉ ହେବ। କେବଳ ଉତ୍ତର ଜୋନ୍‌ରେ ଏହି ଚଢ଼ଉ ହୋଇଥିବା‌ ବେଳେ ବିଏମ୍‌ସିର ବାକି ତିନିଟି ଜୋନ୍‌ରେ କେବେ ଏହିଭଳି ଚଢ଼ଉ ହେବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର