ଜେଲ୍‌ ଭିତରେ ସୋଲାନ୍-ଇନ୍‌ ମାଲିକଙ୍କ ମୃତ୍ୟୁ

ଭୁବନେଶ୍ବର: ଚେକ୍‌ବାଉନ୍ସ ମାମଲା‌ରେ ଗିରଫ ହୋଇ ଜେଲ୍‌ରେ ଥିବା ହୋଟେଲ ସୋଲାନ୍‌-ଇନ୍‌ ଏମ୍‌ଡି କମଳାକାନ୍ତ ଦାସଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଜି ସନ୍ଧ୍ୟାରେ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇଥିବା ବେଳେ‌ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଲକ୍ଷ୍ମୀସାଗର ଥାନା ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆସନ୍ତାକାଲି ଜାତୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶନାମା ଆଧାରରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ମୃତ୍ୟୁ ପଛରେ ରାଜନୈତିକ ବ୍ୟକ୍ତିଙ୍କର ହାତ ଥିବା ଅଭିଯୋଗ କରିଛନ୍ତି କମଳାକାନ୍ତଙ୍କ ପୁଅ କୌଶିକ ଦାସ। ସେ କହିଛନ୍ତି ଜଣେ ହୋଟେଲ ମାଲିକଙ୍କ ପୁଅଙ୍କ ଅଭିଯୋଗ ବଳରେ କମଳାକାନ୍ତ ଜେଲ୍‌ ଯାଇଥିଲେ। ପୂର୍ବରୁ ତାଙ୍କ ସହିତ ବଚସା ମଧ୍ୟ ହୋଇଥିଲା। ଯାହା ଫଳରେ ତାଙ୍କର ଉଚ୍ଚ ରକ୍ତଚାପ ସହ ବିଭିନ୍ନ ରୋଗଗ୍ରସ୍ତ ହୋଇଥିଲେ। ଜେଲ୍‌ ଯିବା ବେଳେ ମେଡିକାଲରେ ଭର୍ତ୍ତି କରିବାକୁ ଅନୁରୋଧ କରାଯାଇଥିଲା। ହେଲେ ରାଜନୈତିକ ଚାପରେ ତାଙ୍କୁ ୱାର୍ଡରେ ରଖାଯାଇଥିଲା। ଫଳରେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ତାଙ୍କ ଓକିଲ ରଘୁନାଥ ଦାସ ମଧ୍ୟ ଅନୁରୂପ ଅଭିଯୋଗ ଆଣିଛନ୍ତି। ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ତାଙ୍କର ଜୀବନ ଚାଲିଗଲା ବୋଲି ସେ କହିଛନ୍ତି। ଏ ନେଇ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଖାରବେଳନଗର ଥାନା ୟୁନିଟ୍‌-୮ରେ ରହୁଥିବା କମଳାକାନ୍ତଙ୍କ ଡ୍ୟାନ୍ସ ବାର୍ ସୋଲାନ୍‌-ଇନ୍‌କୁ ସମ୍ପୃକ୍ତ ହୋଟେଲ ମାଲିକଙ୍କ ପୁଅ ଭଡ଼ାସୂତ୍ରରେ ଚଳାଇବାକୁ ଚାହିଥିଲେ। ଏ ନେଇ ସେ କମଳାକାନ୍ତଙ୍କୁ ଅଗ୍ରିମ ୧୦ ଲକ୍ଷ ଟଙ୍କା ଦେଇଥିଲେ। ୨୦୧୫ ମସିହାରେ ଏହି ଚୁକ୍ତି ହେବା ସହ ଟଙ୍କା କାରବାର ମଧ୍ୟ ହୋଇଥିଲା। ଟଙ୍କା ନେବା ପରେ କମଳାକାନ୍ତ ଆଜିକାଲି କହି ୫ବର୍ଷ ହେବ ଟଙ୍କା ଫେରାଇ ନଥିଲେ କି ଡ୍ୟାନ୍ସ ବାର୍ ଭଡ଼ାରେ ଦେଇ ନଥିଲେ ବୋଲି ଅଭିଯୋଗ ହେବା ପରେ ଖାରବେଳନଗର ଥାନା ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ତେବେ ସେ ଟଙ୍କା ଫେରାଇ ଦେଇଥିଲେ ମଧ୍ୟ ଚେକ୍‌ ବାଉନ୍ସ ହୋଇଥିଲା।

ସମ୍ବନ୍ଧିତ ଖବର