ମିଳୁନି ହୋଟେଲ୍‌ ରୁମ୍‌, ଦିନ ବିତୁଛି ହଲ୍‌, ମଲ୍‌ରେ…

ଭୁବନେଶ୍ବର: ପର୍ଯ୍ୟଟନ ଶିଳ୍ପକୁ ଫନି ଉଜାଡ଼ି ଦେଇଛି ସତ, କିନ୍ତୁ ହୋଟେଲ୍‌ ବ୍ୟବସାୟ ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ସହରର ବହୁ ତାରକା ହୋଟେଲ୍‌ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି ସତ କିନ୍ତୁ ବ୍ୟବସାୟ ଉପରେ ପ୍ରଭାବ ପଡ଼ିନାହିଁ। ତାରକା ହୋଟେଲ୍‌ରୁ ନେଇ ପ୍ରାୟ ସବୁ ହୋଟେଲ୍‌ ଓ ପାନ୍ଥ ନିବାସରେ ଆଉ ରୁମ୍‌ ମିଳୁନି। ମଧ୍ୟବିତ୍ତ ହୁଅନ୍ତୁ ଅବା ସଂଭ୍ରାନ୍ତ; ବାତ୍ୟା ପରଠୁ ଯିଏ ବି ରୁମ୍‌ ନେଇଛନ୍ତି ସେମାନେ ଛାଡ଼ିବାର ନାଁ ଧରୁନାହାନ୍ତି। ଦିନଟିଏ କହି ରୁମ୍‌ ବୁକିଂ କରିଥିଲେ ହେଁ, ସମୟସୀମା ବଢ଼େଇ ଚାଲିଛନ୍ତି।

ସମଗ୍ର ରାଜଧାନୀରେ ଛୋଟବଡ଼ ହୋଟେଲ୍‌ ହୋଇ ଶତାଧିକ ହୋଟେଲ୍‌ ଥିଲେ ହେଁ, ପ୍ରାୟ ସମସ୍ତ ହୋଟେଲ୍‌ର ରୁମ୍‌ ବୁକିଂ ହୋଇସାରିଛି। ପାନ୍ଥ ନିବାସରେ ବି ସମାନ ଅବସ୍ଥା। ଏମିତିକି ଅନେକ ଅନ୍‌ଲାଇନ୍‌ରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରୁମ୍‌ ବୁକ୍‌ କରିବା ସମ୍ଭବ ହେଉନାହିଁ। ଟ୍ରିପ୍‌ ଆଡ୍‌ଭାଇଜର, ମେକ୍‌ ମାଇ ଟ୍ରିପ୍‌, ଟ୍ରିଭା‌ଗୋ, ଯାତ୍ରା.କମ୍‌, ଓୟୋ ରୁମ୍‌ସ.କମ୍‌ରେ ବି ଭୁବନେଶ୍ବରରେ ସମସ୍ତ ରୁମ୍‌ ବୁକିଂ ସରିଥିବା ଦେଖାଉଛି। ଫନି ଯୋଗୁଁ ସହରରେ ବିଦ୍ୟୁତ ବ୍ୟବସ୍ଥା ଠପ୍‌ ହୋଇଯାଇଥିବାରୁ ସମସ୍ତ ହୋଟେଲ୍‌ ଡିଜି ସହଯୋଗରେ ବିଦ୍ୟୁତ ବ୍ୟବସ୍ଥା ଓ ଏସି ରୁମ୍‌ ଯୋଗାଇ ଦେଉଛନ୍ତି। ଏନେଇ ଦି କ୍ରାଉନ୍‌ ଭୁବନେଶ୍ବରର ସେଲ୍‌ସ ମ୍ୟାନେଜର ରଂଜନ ଶତପଥୀ କହିଛନ୍ତି, ଆମର ୮୦ ରୁମ୍‌ ମଧ୍ୟରୁ ୩୦ଟି ରୁମ୍‌ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟ ୫୦ଟି ରୁମ୍‌ ବାତ୍ୟା ପରଦିନ ପାଇଁ ବୁକିଂ ହୋଇଥିଲେ ହେଁ ଲୋକେ ବୁକିଂ ଅବଧି ବଢ଼ାଇ ଚାଲିଛନ୍ତି। ଡିଜି ଦ୍ୱାରା ବିଜୁଳି ଯୋଗାଣ କରାଯାଉଛି। କିନ୍ତୁ ରୁମ୍‌ର ଦର ପୂର୍ବରୁ ଯାହା ଥିଲା, ସେୟା ନିଆଯାଉଛି ବୋଲି ସେ କହିଛନ୍ତି। ବିଦ୍ୟୁତ ସେବା ନ ମିଳିବା ପର୍ଯ୍ୟନ୍ତ ଆଡ୍‌ଭାନ୍ସ ବୁକିଂ କରିବାକୁ ବି ହୋଟେଲ୍‌ କର୍ତୃପକ୍ଷ ରାଜି ହେଉନାହାନ୍ତି। ମିଳିଥିବା ସୂଚନା ମୁତାବକ, ହୋଟେଲ୍‌ ପାଖାପାଖି ଅଞ୍ଚଳର ବାସିନ୍ଦାମାନେ ହୋଟେଲ୍‌ ରୁମ୍‌ ବୁକିଂ କରି ଦେଇଛନ୍ତି। ବେଳା ଏମିତି ପଡ଼ିଛି ଯେ ଭୁବନେଶ୍ବରରେ ନିଜ ଘର ଥାଇ ଲୋକେ ଏବେ ପାଖ ହୋଟେଲ୍‌ରେ ରହିବାକୁ ବାଧ୍ୟ ହେଉଛନ୍ତି। ପଙ୍ଖା ଓ ଏସିରେ ଅଭ୍ୟସ୍ତ ମଧ୍ୟବିତ୍ତଙ୍କଠୁ ସଂଭ୍ରାନ୍ତଙ୍କ ଯାଏଁ ଏବେ ଯେତେ ଅଧିକ ଟଙ୍କା ଯାଚୁଥିଲେ ବି ରୁମ୍‌ ଦେଇ ହେବନି ବୋଲି ସଫା ଶୁଣାଇ ଦେଉଛନ୍ତି।

ଭୁବନେଶ୍ବର: ଗରମରୁ ତ୍ରାହି ପାଇଁ ଦିନ ବିତୁଛି ହଲ୍‌ରେ, ନଚେତ୍‌ ମଲ୍‌ରେ। ଖରା ଏତେ ଦାଉ ସାଧୁଛି ଯେ ଘରେ ରହିବା ଏବେ ମୁସ୍କିଲ୍‌ ହୋଇଗଲାଣି। ପାଖରେ ଟଙ୍କା ନଥିଲେ ବି ବାହାନାରେ ହେଉ ପଛେ ମଲ୍‌ରେ ବୁଲି ଆସିବାକୁ ଭିଡ଼ ଜମୁଛି। କିଛି ନ‌ହେଲେ ବି ଖରାରୁ ଉପଶମ ମିଳି ଯାଉଥିବାରୁ ବାହାରେ ବୁଲି ସମୟ ବିତାଇବାକୁ ପ୍ରାଧାନ୍ୟ ଦେଉଛନ୍ତି ରାଜଧାନୀବାସୀ।

ସିନେମା ହଲ୍‌ରେ ବି ଆଜି ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ଗତକାଲିଠୁ ମହାରାଜା ଏବଂ ଆଜିଠୁ କେଶରୀରେ ସିନେମା ହଲ୍‌ ଖୋଲିଥିଲା। ତେଣୁ ସିନେମା ସହ ୩ଘଣ୍ଟା ଏସି ଭିତରେ ବିତେଇ ସମୟ କାଟି ଦେବା ପାଇଁ ଯେମିତି ପ୍ରତିଯୋଗିତା ଲାଗିଥିଲା। ଡିଜିରେ ସିନେମା ଚାଲିଥିବାରୁ ଟିକେଟ୍‌ ଦର ୨୦ ଟଙ୍କା ଅଧିକ ରହିଥିଲା। ହେଲେ ଏହା ଟିକେ ବି ଲୋକଙ୍କ ଉପରେ ଫରକ ପକାଇନଥିଲା। ଫିଲ୍ମ ହଲ୍‌ରେ ବସିବା ପାଇଁ ଟିକେଟ୍‌ କାଉଣ୍ଟର ଆଗରେ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଛାଇନଥିଲେ। ମାତ୍ର ରାଜଧାନୀରେ ସିନେମା ଦେଖାର ଚାହିଦା ମେଣ୍ଟାଉଥିବା ମଲ୍‌ଟିପ୍ଲେକ୍ସ କିନ୍ତୁ ଏଯାଏଁ ଖୋଲିନାହିଁ। ସିନେପଲିସ୍‌ କିମ୍ବା ଆଇନକ୍ସରେ ସିନେମା ଚାଲିବାର ବ୍ୟବସ୍ଥା ହୋଇପାରିନାହିଁ। ରାଜଧାନୀର ଅନ୍ୟତମ ବଡ଼ ସିନେମା ହଲ୍‌ ଶ୍ରୀୟା କମ୍ପ୍ଲେକ୍ସର ପରିଚାଳନା ନିର୍ଦେଶକ ବିଜେନ୍ଦ୍ର ମହାନ୍ତିଙ୍କ କହିବା ମୁତାବକ, ବିଦ୍ୟୁତ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ହଲ୍‌ ଚଳାଇବା ସମ୍ଭବ ହେବ ନାହିଁ। ତେଣୁ ଲାଇନ୍‌ ଆସିବା ପର୍ଯ୍ୟନ୍ତ ଶ୍ରୀୟା, ଶ୍ରୁତି ଓ ସ୍ତୁତି ହଲ୍‌ ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି। ମହାରାଜା ୫ଟି ସୋ’ରେ ଏବଂ କେଶରୀ ୩ଟି ସୋ’ରେ ଆଭେଞ୍ଜର୍ସ ସିନେମା ଚଳାଉଥିବାରୁ ମଧ୍ୟାହ୍ନରୁ ରାତି ଯାଏଁ ହଲ୍‌ରେ ଭିଡ଼ ଜମୁଛି।

ସମ୍ବନ୍ଧିତ ଖବର