ଭୁବନେଶ୍ୱର : ଶେଷରେ ସିଲ୍ ହୋଇଛି ହୋଟେଲ ‘ହାଏ ଭୁବନେଶ୍ବର’। କୋଭିଡ୍ କଟକଣାକୁ ଫୁ’ କରି ସେଠାରେ ବିଳମ୍ବିତ ରାତି ଯାଏ ପାର୍ଟି ଚାଲିଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କମିସନରେଟ୍ ପୁଲିସ ଆଜି ସକାଳେ ଏହାକୁ ସିଲ୍ କରିଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ଯାଞ୍ଚ କରିବା ସହ ଭାଇରାଲ ଭିଡିଓରେ ପ୍ରମାଣ ଆଧାରରେ ଏହି ହୋଟେଲ୍କୁ ସିଲ୍ କରିଛନ୍ତି। ଏ ନେଇ ହୋଟେଲ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ‘ସମ୍ବାଦ’ ଟିମ୍ ରାଜଧାନୀର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଏହି ହୋଟେଲର ଚିତ୍ର ସାମ୍ନାକୁ ଆସିଥିଲା। ରାତି ୧୨ଟା ୧୫ ମିନିଟ୍ରେ ମଧ୍ୟ ଏହି ହୋଟେଲ ଖୋଲା ରହିଥିଲା। ବାହାରେ ପାଖାପାଖି ୧୫ ଦାମୀ ଗାଡ଼ି ଛିଡ଼ା ହୋଇଥିଲା। ଚନ୍ଦ୍ରଶେଖରପୁର ଥାନାର ତିନୋଟି ପିସିଆର ଭ୍ୟାନ୍ ମଧ୍ୟ ସେଠାରେ ଛିଡ଼ା ହୋଇଥିଲା। ୪ ଜଣ ପୁଲିସ କର୍ମଚାରୀ ହୋଟେଲ ଫାଟକରେ ଛିଡ଼ା ହୋଇଥିଲେ। ଜଣେ କର୍ମଚାରୀ ପିସିଆର ଭ୍ୟାନ୍ରେ ବସିଥିଲେ। ଲାଗୁଥିଲା ସତେଯେମିତି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆସିନାହିଁ ବରଂ ସୁରକ୍ଷା ଯୋଗାଉଛି। ଏ ନେଇ ଆଜି ‘ସମ୍ବାଦ’ରେ ଫଟୋ ସହ ଖବର ପ୍ରକାଶ ପାଇଥିଲା। ତେଣୁ ଆଜି ସକାଳୁ ସକାଳୁ ଏହି ହୋଟେଲ୍କୁ ସିଲ୍ କରାଯାଇଥିଲା। ତେବେ ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଥିଲା ଓ ପୁଲିସ ରିପୋର୍ଟ ବଳରେ ହିଁ ଏହାକୁ ସିଲ୍ କରାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।