ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ରେଳବାଇ ଆକାଉଣ୍ଟସ୍ କଲୋନିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ସୁନା ଅଳଙ୍କାର ଓ ଟଙ୍କା ଲୁଟ୍ ଘଟଣାରେ ପୁଲିସ ଆଜି ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ବାଚ୍ଛରାପାଟଣାର ଜଗନ୍ନାଥ ବାରିକ ଓରଫ୍ ରାଜା (୩୭), ବିଭୂତି ଦାସ ଓରଫ୍ ଅନନ୍ତ (୩୪) ଓ ଖୁଦୁପୁରର ସୋମନାଥ ପ୍ରଧାନ ଓରଫ୍ ମୁନା (୨୩)। ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ସୁନା ଚେନ୍, ସୁନା କାନଫୁଲ, ମୁଦି ସମେତ ନଗଦ ୯ହଜାର ଟଙ୍କା ଜବତ କରିଛି। ତେବେ ଗିରଫ ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। 
ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧାରୋଡ୍ ରେଳବାଇ ସ୍ଥିତ ଆକାଉଣ୍ଟସ୍ କଲୋନିରେ ଅଭିଯୋଗକାରିଣୀ ନୋଭାଲିନ ପାଢ଼ୀ ଓ ତାଙ୍କ ପରିବାର ରୁହନ୍ତି। ଗତ ୧୬ତାରିଖ ରାତି ୮ଟା ବେଳେ ଘର ତାଲା ପକାଇ ନିଜ ଝିଅକୁ ଟ୍ୟୁସନ୍ ରୁ ଆଣିବାକୁ ଯାଇଥିଲେ। ଫେରିବା ପରେ ଘରର ପଛପଟ ତାଲା ଭଙ୍ଗାଯାଇ ଘର ଭିତରେ ପଶି ଆଲମିରା ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ସୁନା ଅଳଙ୍କାର, ନଗଦ ୧୫ ହଜାର ଟଙ୍କା ଓ ଜରୁରୀ କାଗଜପତ୍ର ଆଦି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଗତକାଲି ରାତିରେ ରେତଙ୍ଗକଲୋନି ଅଞ୍ଚଳରେ ଥିବା ଏକ ନିଛାଟିଆ ସ୍ଥାନରେ ଅଭିଯୁକ୍ତମାନେ ବସିଥିବା ଖବର ପାଇଥିଲା। ଘଟଣାସ୍ଥଳରେ ଏକ ଟିମ୍ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଲୁଟ୍ ସୁନା ଅଳଙ୍କାର ସମେତ  ୯ହଜାର ଟଙ୍କା ଜବତ କରିଛି। ଆଜି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୁଲିସ। ତେବେ ଅଭିଯୁକ୍ତ ରାଜା ନାମରେ ପୂର୍ବରୁ ଜଟଣୀ ଥାନାରେ ୪ଟି ଓ ଭରତପୁର ଥାନାରେ ଗୋଟିଏ ମାମଲା ରହିଥିବା ବେଳେ ଅନନ୍ତ ନାମରେ ଜଟଣୀ ଥାନାରେ ୬ଟି ଓ ଖଣ୍ଡଗିରି ଥାନାରେ ୨ଟି ମାମଲା ରହିଛି। ସେହିପରି ଅଭିଯୁକ୍ତ ମୁନା ନାଁରେ ଜଟଣୀ ଥାନାରେ ୪ଟି ଓ ଇନ୍‌ଫୋଭ୍ୟାଲି ଥାନାରେ ଗୋଟିଏ ମାମଲା ରହିଛି।