ପ୍ରେସ୍ କଲୋନିରେ ଅଘଟଣ : ‘ପେଟ୍ରୋଲ ବେଲୁନ୍’ ପକାଇ ଘର ଜାଳିଦେଲେ

ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିଗଲା, ଘରେ ନ ଥିଲେ ପରିବାର ଲୋକ, ତଦନ୍ତ ଆରମ୍ଭ

ଭୁବନେଶ୍ବର : ଖାରବେଳନଗର ଥାନା ଅଧୀନ ପ୍ରେସ କଲୋନି ରାଧାକୃଷ୍ଣ ମନ୍ଦିର ନିକଟ କ୍ବାର୍ଟର୍ସ ନମ୍ବର ଟୁଆର-ଏ-୪୦ରେ ଘଟିଛି ଅଘଟଣ। କେହି ବୁର୍ବୃତ୍ତ ବେଲୁନ ଭିତରେ ପେଟ୍ରୋଲ ଭର୍ତି କରି କ୍ବାର୍ଟର୍ସ ଭିତରକୁ ଫୋପାଡି ଦେବାରୁ ନିଆଁ ଲାଗି ଯାଇଛି। ଫଳରେ ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି। କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଲା ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ଯାହା ସୂଚନା ମିଳିଛି ସେହି କ୍ବାର୍ଟର୍ସରେ ଲିଲି ନାୟକ ଓ ତାଙ୍କ ପରିବାର ସହିତ ରହୁଥିଲେ। ଆଜି ପରିବାରର ସମସ୍ତ ସଦସ୍ୟ ଭୋଜି କରିବାକୁ ଜୟଦେବ ବାଟିକାକୁ ଯାଇଥିଲେ। ଏହି ସମୟରେ ତାଙ୍କ ପଡୋଶୀ ଫୋନ୍ କରି ଜଣାଇ ଥିଲେ କି, ତୁମ ଘରୁ ଧୂଆଁ ବାହାରୁଛି। ଏପରି କହିବାର କିଛି ସମୟ ପରେ ଘର ଭିତରେ ହୁତୁ ହୁତୁ ହୋଇ ନିଆଁ ଜଳିବା ଆରମ୍ଭ କରିଥିଲା। ଲିଲିଙ୍କଠାରୁ ଅନୁମତି ନେଇ ପଡୋଶୀମାନେ ତାଙ୍କ ଘରର କବାଟ ଭାଙ୍ଗି ଭିତରକୁ ପଶିବା ସହିତ ନିଆଁ ଲିଭାଇ ଥିଲେ। କିନ୍ତୁ ସେହି ନିଆଁରେ ଘରର ଟିଭି, ସୋଫା, ଆଲମୀରା, ଫ୍ୟାନ, ଝରକା, ଠାକୁର ବାସନକୁସନ, ଚେୟାର, ଟେବୁଲ ଆଦି ପୋଡି ଯାଇଛି। ଯାହାର ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ। ତେବେ ଘର ଭିତର ପେଟ୍ରୋଲ ବାସ୍ନା ହେବା ସହିତ ଗୁଡ଼ାଏ ପୋଡା ବେଲୁନ ପଡ଼ି ଥିବାରୁ କେହି ବେଲୁନରେ ପେଟ୍ରୋଲ ଭର୍ତି କରି ଏଭଳି କାଣ୍ଡ ଘଟାଇଛି। ଖାରବେଳନଗର ଥାନା ଇନ୍ସପେକ୍ଟର ବିଶ୍ବରଂଜନ ସେନାପତି କହିଛନ୍ତି, ଏ ନେଇ କୌଣସି ଅଭିଯୋଗ ହୋଇ ନାହିଁ।

ସମ୍ବନ୍ଧିତ ଖବର