ଭୁବନେଶ୍ୱର : ଦୁଇ ଦିନ ତଳେ ଜଣେ ଯୁବକଙ୍କୁ ଦୁଇଜଣ ରାସ୍ତା ଉପରେ ଗଡ଼େଇ ତଡ଼େଇ ଠେଙ୍ଗା ଓ ଲୁହା ରଡ୍‌ରେ ପିଟୁଥିବା ଭିଡିଓ ଭାଇରାଲ୍‌ ହୋଇଥିଲା। ମାଡ଼ ଖାଇଥିବା ଯୁବକ ଜଣକ ଗୁରୁତର ଆହତ ହୋଇ ଏବେବି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏକ ଗ୍ୟାରେଜ୍ କରି ଗୁଜୁରାଣ ମେଣ୍ଟାଉଥିବା ଏହି ଯୁବକଙ୍କୁ ଏମିତି ଅମାନୁଷିକ ଭାବେ କାହିଁକି ପ୍ରାଣାନ୍ତକ ଆକ୍ରମଣ ହେଲା, ତାହାର ଅନୁସନ୍ଧାନ କଲାବେଳେ କିଛି ଚାଞ୍ଚଲ୍ୟକର ତଥ୍ୟ ‘ସମ୍ବାଦ’ର ହସ୍ତଗତ ହୋଇଛି। ମୁଖ୍ୟତଃ ସରକାରୀ କ୍ବାର୍ଟର୍ସକୁ ଜବରଦଖଲ କରି ବେପାର ଚଳାଇଥିବା ଦଲାଲ ଗୋଷ୍ଠୀକୁ ବିରୋଧ କରିବାରୁ ସେ ଏଭଳି ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।

Advertisment

publive-image

ଖୋଦ୍ ରାଜଧାନୀର ଛାତି ଉପରେ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଖାଲି ପଡ଼ିଥିବା ସରକାରୀ କ୍ବାର୍ଟର୍ସ ଭିତରେ ଘର ତିଆରି ହେଉଛି। ଘର ଭଡ଼ାରେ ଲାଗୁଛି କିମ୍ବା ସିଧାସଳଖ ବିକ୍ରି କରି ଦିଆଯାଉଛି। କ୍ବାର୍ଟର୍ସର ତାଲା ଭାଙ୍ଗି ଜବରଦଖଲ ହେଉଛି। ମଦ ମାଂସର ଆସର ଜମୁଛି। କେହି ପାଟି ଖୋଲିଲେ ଖଣ୍ଡା ବୁଲୁଛି। ଦଲାଲ-ଦଲାଲ ମୁହାଁମୁହିଁ ହେଲେ ସମଗ୍ର ଅଞ୍ଚଳ କମ୍ପୁଛି। ପୁଲିସ ପାଖରେ ସବୁ ଖବର ଅଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖରେ ମଧ୍ୟ ସମସ୍ତ ତଥ୍ୟ ରହିଛି। ହେଲେ ସମସ୍ତେ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି। କିଛିକିଛି ଅଞ୍ଚଳରେ ଏହାକୁ ନେଇ ପରିସ୍ଥିତି କ୍ରମଶଃ ଉଗ୍ର ହେବାରେ ଲାଗିଛି। ଦୁଇଗୋଷ୍ଠୀ ଯେଉଁଭଳି ଭାବରେ ଆକ୍ରମଣ ପ୍ରତି ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି ସେଠାରେ ମୁଣ୍ଡ ଗଡ଼ିବା ଆଶଙ୍କା ପ୍ରକାଶ ପାଇଛି।

publive-image

ସରକାରୀ କ୍ବାର୍ଟର୍ସ ଭିତରେ ଜବରଦଖଲ କରି ବିକ୍ରି କରିବା ଭଡ଼ା ଲଗାଇବା ଏବଂ ପରେ ଏହାକୁ ନେଇ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ମାରପିଟ ଓ ହଣାକଟା ହେବା ଏବେ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ତେବେ ୟୁନିଟ୍‌-୬ ଅଞ୍ଚଳରେ ଥିବା ଏଭଳି ଦୁଇଟି ସରକାରୀ କ୍ବାଟର୍ସର ଜବରଦଖଲକୁ ଆମେ ଏଠାରେ ଉଦାହରଣ ଭାବେ ଉଲ୍ଲେଖ କରୁଛୁ। ଗୋଟିଏ କ୍ବାର୍ଟର୍ସ ହେଉଛି ଆଇଭିଆର-୧୨୬। ଜିଏ ବିଭାଗ ସୂଚନା ଅନୂଯାୟୀ ଏହି କ୍ବାର୍ଟର୍ସ ଗୃହ ବିଭାଗର ଅଣ୍ଡର ସେକ୍ରେଟାରି ମନୋଜ ସିଂହଙ୍କ ନାମରେ ଆବଣ୍ଟିତ ହୋଇଛି। କିନ୍ତୁ ବହୁ ଦିନ ହେବ ସେ ଏହି କ୍ବାର୍ଟର୍ସ ଛାଡ଼ି ଚାଲିଗ‌ଲେଣି। ସେ ଛାଡ଼ିବା ପରେ ପରେ ଏହି କ୍ବାର୍ଟର୍ସକୁ ମାଡ଼ି ବସି ବେପାର କରୁଛନ୍ତି କିଛି ସ୍ଥାନୀୟ ଦଲାଲ। ମୁଖ୍ୟ ଦ୍ବାର ବାଟଦେଇ ଦେଖିଲେ ଲାଗୁଛି ଯେମିତି କ୍ବାର୍ଟର୍ସଟି ବିପଦସଙ୍କୁଳ ଅବସ୍ଥାରେ ରହିଛି, ଫାଙ୍କା ପଡ଼ିଛି। କିନ୍ତୁ ପଛପଟ ପାଚେରି ଭାଙ୍ଗି ବାଟ ଫିଟିଛି। ଆଉ ସେଠାରେ ଏକ ଘର ତିଆରି ହୋଇ ବିକ୍ରି କରି ଦିଆଯାଇଛି। ସେହି ବାଟ ଦେଇ ଯିବାଆସିବା ଚାଲିଛି। ଏହି କ୍ବାର୍ଟର୍ସ ପରିସରରେ ପଛ ପଟେ ଆଉ ଗୋଟିଏ ଘର ମଧ୍ୟ ତିଆରି ଚାଲିଛି। ଘରର ଛାତ ପଡ଼ିଲେ ବେପାର ହେବ। ଏହାର କଡ଼କୁ ଲାଗି ଗୋଟିଏ ସଂଘ ପାଇଁ ଜାଗା ଚିହ୍ନଟ ହୋଇଥିବା ଦର୍ଶାଇ ଘେରାଇ ଦିଆଯାଇଛି। ଯଦିଓ ସରକାରୀ ଭାବରେ ଏହି ଜମି କାହାକୁ ଦିଆଯାଇ ନାହିଁ।

publive-image

ଠିକ୍‌ ସେହିଭଳି ଆଉ ଗୋଟିଏ କ୍ବାର୍ଟର୍ସ ହେଉଛି ୟୁନିଟ୍‌-୬ର ଆଇଭିଆର୍‌ ୧୬୦। ଏହି କ୍ବାର୍ଟର୍ସ ଜଣେ ସରକାରୀ ଅଧିକାରୀ ସୁଲୋଚନା ଦାସଙ୍କ ନାମରେ ଆବଣ୍ଟିତ ହୋଇଛି। ହେଲେ କ୍ବାର୍ଟର୍ସର ଅବସ୍ଥା ଖରାପ ଥିବାରୁ ସେ ଏହାକୁ ନେଇନାହାନ୍ତି। ଏଣୁ ଏହା ମଧ୍ୟ ଏହି ଦଲାଲଙ୍କ ହାତକୁ ଚାଲି ଯାଇଛି। ଏଠାରେ ଭୋଜିଭାତ ହେବା ସହ ଏହା ଭିତରେ ଘର ତିଆରି ହୋଇଛି। ଗୋଡ଼ିବାଲି ଗଦା ହୋଇ ବେପାର ଚାଲିଛି। ଏଭଳି ଆହୁରି ଅନେକ କ୍ବାର୍ଟର୍ସ ଦଲାଲଙ୍କ ଦଖଲରେ ରହିଛି। କ୍ବାର୍ଟର୍ସ ପଛରେ ଏଭଳି ଘର ତିଆରି ହୋଇ ବିକ୍ରି ହୋଇଯାଇଛି। କ୍ବାର୍ଟର୍ସ ମଝିରେ ଥିବା ଫାଙ୍କା ଜାଗାରେ ବି ଘର ହୋଇଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଗୋଟିଏ ଗୋଟିଏ ଘର ପିଛା ୮୦ ହଜାରରୁ ଲକ୍ଷେ ଟଙ୍କା ଆଦାୟ ହେଉଛି। ଦୀର୍ଘ ଦିନ ଧ‌ରି ଅବାଧରେ ଏହି ବେପାର ଚାଲିଛି। ନିର୍ଦ୍ଦିଷ୍ଟ କେତେଜଣ ଦଲାଲ ଏଭଳି କାମ କରୁଛନ୍ତି। ଆଉ ଦଲାଲଙ୍କୁ କେତେକ କୁଜିନେତା ସୁରକ୍ଷା ଦେଉଛନ୍ତି। ଅନ୍ୟକେହି ବାଧା ସୃଷ୍ଟି କଲେ ସଂଘର୍ଷ ହୋଇ ରକ୍ତପାତ ହେଉଛି। କ୍ୟାପିଟାଲ ଥାନାରେ ଏଭଳି ଶତାଧିକ ମାମଲା ରୁଜୁ ହୋଇଛି। ପୁଲିସ ସହ ସରକାରୀ ଅଧିକାରୀ ସବୁ ଜାଣୁଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। କିଛି ଜାଣୁନଥିବା ଅଭିନୟ କରୁଛନ୍ତି। ବେଆଇନ ଭାବରେ ହୋଇଥିବା ଘରେ ରହୁଥିବା ଲୋକ କେତେକ ବରିଷ୍ଠ ଅଧିକାରୀଙ୍କ ସେବା କରୁଥିବାରୁ ଏହି ଜବରଦଖଲକାରୀମାନେ ଉଚ୍ଛେଦ ହୁଅନ୍ତୁ ବୋଲି ଅଧିକାରୀମାନେ ମଧ୍ୟ ଚାହୁନାହାନ୍ତି।

ପ୍ରଶ୍ନ ଉଠୁଛି, ଖୋଦ୍ ରାଜଧାନୀରେ ଯଦି ସରକାରୀ କ୍ବାର୍ଟର୍ସକୁ ଜବରଦଖଲ କରି ଚାଲିଥିବା ଏଭଳି ବେଆଇନ କାରବାରକୁ ପ୍ରଶାସନ ରୋକିପାରୁ ନାହିଁ, ତେବେ ଅନ୍ୟ ଅଞ୍ଚଳରେ ସରକାରୀ ସମ୍ପତ୍ତିକୁ ରକ୍ଷା କରିବ କିଏ? ଗୋଟିଏ ପଟରେ ସରକାରୀ ଚାକିରିଆମାନେ ବର୍ଷବର୍ଷ ଧରି କ୍ବାର୍ଟର୍ସ ପାଉନଥିବାବେଳେ ଅନ୍ୟପଟରେ ନିଜ ପତିଆରା ଦେଖାଇ ଜବରଦଖଲକାରୀ ଏହାକୁ ଭୋଗ କରୁଛନ୍ତି। ପ୍ରଶାସନ କ’ଣ ଏତେ ଦୁର୍ବଳ ଯେ କିଛି ଦଲାଲ ଓ ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ଡରି ‌ଏମିତି ମାଳମାଳ ସରକାରୀ କ୍ବାର୍ଟର୍ସକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରିପାରୁ ନାହିଁ ନା ଜାଣିଶୁଣି ସେମାନଙ୍କ ହାତରେ ଟେକି ଦେଇଛି?