କୁନି ଝିଅକୁ ନେଇଯାଇଛି ଘର ମାଲିକ: ଡିସିପିଙ୍କ ଦ୍ବାରସ୍ଥ ହେଲେ ବାପା-ମା’

ଭୁବନେଶ୍ବର : ଘରଭଡ଼ା ଦେଇ ନପାରିବାରୁ ୯ବର୍ଷୀୟା କୁନି ଝିଅକୁ ଘର ମାଲିକ ବଳପୂର୍ବକ ନେଇଯାଇଛି। ଥାନାରେ ଅଭିଯୋଗ କରିବାରୁ ପିଲା ଛଡ଼ାଇ ନେଇଥିବା ଦମ୍ପତି ଘର ତାଲା ପକାଇ ଫେରାର୍ ହୋଇଯାଇଛନ୍ତି। ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି ମଞ୍ଚେଶ୍ବର ଥାନା ଅଞ୍ଚଳରେ। ଅଭିଯୋଗକୁ କେନ୍ଦ୍ର କରି ମଞ୍ଚେଶ୍ବର ଥାନା ପୁଲିସ ମଞ୍ଚେଶ୍ବରସ୍ଥିତ ଆଖଣ୍ଡଳମଣି ବସ୍ତିରେ ଚଢ଼ଉ କରିଛି।

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ଅଞ୍ଚଳର ସନ୍ତୋଷ ପ୍ରଧାନ ଓ ତାଙ୍କ ପତ୍ନୀ ମନ୍ଦୋନ୍ଦରୀ ୩ ବର୍ଷ ତଳେ ଭୁବନେଶ୍ବରକୁ ଆସିଥିଲେ। ମଞ୍ଚେଶ୍ବର ଆଖଣ୍ଡଳମଣି ବସ୍ତିରେ ବାବୁଲି ବିଷୋୟୀଙ୍କ ଘରେ ଭଡ଼ାରେ ରହିଥିଲେ। ଦମ୍ପତି ପର ଘରେ କାମ କରି ଚଳୁଥିଲେ। କିଛି ଦିନ ତଳେ ଭଡ଼ା ଦେଇ ନପାରିବାରୁ ବାବୁଲି ଓ ତାଙ୍କ ପତ୍ନୀ ଟୁନି ସନ୍ତୋଷଙ୍କ ଝିଅକୁ ବଳପୂର୍ବକ ନେଇଯାଇଥିଲେ। ପ୍ରାୟ ୯ଦିନ କାଳ ଝିଅକୁ ଅଲଗା ରଖିବା ପରେ ସନ୍ତୋଷ ପତ୍ନୀଙ୍କ ସହ ଆସି ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ମଞ୍ଚେଶ୍ବର ଥାନା ପୁଲିସ ଚାଇଲ୍ଡ ଲାଇନ୍ ସହାୟତାରେ ଗତ ୧୫ ତାରିଖରେ ବାବୁଲିଙ୍କ ଘରେ ଚଢ଼ଉ କରିଥିଲା। ମାତ୍ର ସେତେବେଳକୁ ବାବୁଲି ଓ ତାଙ୍କ ପତ୍ନୀ ଝିଅକୁ ନେଇ ଫେରାର୍ ହୋଇଯାଇଥିବା ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅପରପକ୍ଷେ ମଞ୍ଚେଶ୍ବର ଥାନା ସୂତ୍ରରୁ ମିଳିଥିବା ଖବର ଅନୁସାରେ, ସନ୍ତୋଷଙ୍କ ଝିଅ ଜନ୍ମ ହେବାର କିଛି ଦିନ ମଧ୍ୟରେ ଅର୍ଥାତ୍ ୨୦୧୪ ମସିହାରେ ଉଭୟ ବାବୁଲି ଓ ଟୁନିକୁ ଝିଅ ଦେଇଥିଲେ। ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଭୁବନେଶ୍ବରରେ ରହି ଚଳିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ଏପରିକି ବାବୁଲିଙ୍କୁ ଝିଅ ଦେବା ପରେ ତାଙ୍କର ଆଉ ୨ଟି ଝିଅ ମଧ୍ୟ ଜନ୍ମ ହୋଇଥିଲା। ତେଣୁ ବାଧ୍ୟ ହୋଇ ଉଭୟ ସନ୍ତୋଷ ଓ ମନ୍ଦୋନ୍ଦରୀ ଗାଁକୁ ପଳାଇଥିଲେ। ଗତ କିଛି ସପ୍ତାହ ହେଲା, ହଠାତ୍ ସନ୍ତୋଷ ତାଙ୍କ ପତ୍ନୀଙ୍କ ସହ ଆସି ବାବୁଲିଙ୍କୁ ତାଙ୍କ ଛୁଆ ଫେରସ୍ତ ମାଗିଥିଲେ। ମାତ୍ର ବାବୁଲି ଝିଅକୁ ନ ଫେରାଇବାରୁ ଉଭୟ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଅପରପକ୍ଷେ ବାବୁଲି ଓ ତାଙ୍କ ପତ୍ନୀ କୁନି ଝିଅକୁ ନେଇ କୌଣସି ଏକ ଘରୋଇ ହସ୍ପିଟାଲ୍ ଯାଇଥିବା ଜଣାପଡ଼ିଛି। ଆସନ୍ତାକାଲି ଉଭୟ ଝିଅକୁ ଥାନାର ହସ୍ତାନ୍ତର କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର