ଭୁବନେଶ୍ବର : ଅପରାଧ କମାଇବା ପାଇଁ କମିସନରେଟ ପୁଲିସ ବିଭିନ୍ନ ସମୟରେ ଏକାଧିକ ନିର୍ଦେଶାନାମା ଜାରି କରିଛି। କିନ୍ତୁ କିଛି ଦିନ ଧରି ତାହାକୁ କଡ଼ାକଡ଼ି ପାଳନ କରାଯିବା ପରେ ପାସୋରି ଦିଆଯାଉଛି। ଫଳରେ ଏହାର ଫାଇଦା ନେଉଛନ୍ତି ଅପରାଧୀ। ରାଜଧାନୀରେ ଭଡ଼ାଟିଆଙ୍କ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ପୂର୍ବରୁ କମିସନରେଟ୍ ପୁଲିସ ଦୁଇ ଦୁଇଥର ନିର୍ଦେଶନାମା ଜାରି କରିଛି। କିନ୍ତୁ ସେଥିରେ ସଫଳ ହୋଇ ପାରିନାହିଁ। ଏବେ ବି ଅନେକ ଭଡ଼ାଟିଆଙ୍କ ସମ୍ପର୍କରେ ପୁଲିସ ପାଖରେ ତଥ୍ୟ ନାହିଁ। ସେମାନେ ଆରାମରେ ବଡ଼ ବଡ଼ ଆପାର୍ଟମେଣ୍ଟ ଓ ବଡ଼ବଡ଼ିଆଙ୍କ ଘରେ ଭଡ଼ାରେ ରହୁଛନ୍ତି। ପୁଲିସର ନଜର ସେମାନଙ୍କ ଉପରେ ପଡ଼ୁନାହିଁ। ଏହାର ସୁଯୋଗ ନେଇ କିଛି ଅପରାଧୀ ରାଜଧାନୀରେ ବଡ଼ ବଡ଼ ଅପରାଧ ଘଟାଉଛନ୍ତି। ଆଜି ଧଉଳି ଥାନା ଅଧୀନ ବାପୁଜୀ ହାଇଟ୍ସ୍ର ଏକ ଫ୍ଲାଟ୍ରୁ ନକଲି ବିଦେଶୀ ମଦ କାରଖାନା ଠାବ ହେବା ପରେ ପୁଲିସର ଚେତା ପଶିଛି। ଉକ୍ତ ଫ୍ଲାଟ୍ରେ ଭଡ଼ାରେ ରହୁଥିବା ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆଜି ଧରା ପଡ଼ିଛନ୍ତି। ଏବେ ପୁଲିସ ଫ୍ଲାଟ୍ ମାଲିକଙ୍କୁ ଖୋଜୁଛି।
ଅପରପକ୍ଷେ ନିଜ ଅଞ୍ଚଳର ଭଡ଼ାଟିଆଙ୍କ ତଥ୍ୟ ଦେବାକୁ ସମସ୍ତ ଥାନାର ଆଇଆଇସିମାନଙ୍କୁ ନିର୍ଦେଶ ଦିଆଯାଇଛି। କେଉଁ ଥାନା ଅଧୀନରେ କେତେକ ଘର ଭଡ଼ାରେ ଲାଗିଛି, ମାଲିକ କିଏ ଏବଂ ଭଡ଼ାରେ କିଏ ରହୁଛି ତାହାର ତାଲିକା ରଖିବା ପାଇଁ ଇନ୍ସ୍ପେକ୍ଟରମାନଙ୍କୁ ଡିସିପି ଅନୁପ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।
ଭଡ଼ାଟିଆ ଅପରାଧ ଘଟାଇ ଫେରାର ହୋଇଯାଉଛି। ମାଲିକ ପୁରୁଣା ଭଡ଼ାଟିଆଙ୍କୁ କାଢ଼ି ନୂଆ ଭଡ଼ାଟିଆ ରଖୁଛି। ତା’ର କିଛି ଫରକ୍ ପଡ଼ୁନି। କିନ୍ତୁ ପୁଲିସ ଘାଣ୍ଟି ହେଉଛି। ଅପରାଧୀକୁ ଧରିବା ପାଇଁ ଜିଲ୍ଲାକୁ ଜିଲ୍ଲା ଘୂରି ବୁଲୁଛି। ହେଲେ ଏବେ ଘର ମାଲିକ ଆଉ ଖସି ପାରିବେ ନାହିଁ। ପୁଲିସ ପାଖରେ ଭଡ଼ାଟିଆଙ୍କ ତଥ୍ୟ ଜମା ନ କରି ଭଡ଼ା ଦେଇଥିଲେ ଫସିବେ।
ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ହୋଟେଲ ମାଲିକ ଅତିଥିଙ୍କ ତଥ୍ୟ ପ୍ରତ୍ୟେକ ଦିନ ସମ୍ପୃକ୍ତ ଥାନାରେ ଦାଖଲ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ରହିଛି। ମାସିକିଆ ଭଡ଼ାସୂତ୍ରରେ ଘର ନେଉଥିବା ଭଡ଼ାଟିଆଙ୍କ ତଥ୍ୟ ଘରମାଲିକ ଦେବା ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ନା ଘରମାଲିକ ଏହି ତଥ୍ୟ ଦେଉଥିଲେ ନା ସେମାନଙ୍କୁ ଏଥିପାଇଁ ବାଧ୍ୟ କରାଯାଉଥିଲା। ଫଳରେ ବର୍ଷ ବର୍ଷ ଧରି ଅପରାଧ ଘଟାଉଥିବା ଭଡ଼ାଟିଆଙ୍କୁ ନେଇ ଚିନ୍ତାରେ ପଡ଼ିଥିଲା ପୁଲିସ। ସେହିଭଳି ବିଭିନ୍ନ ହଷ୍ଟେଲରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ଯୁବକ, ଯୁବତୀମାନେ ଆସି ରହୁଛନ୍ତି। ଏମାନଙ୍କର ତଥ୍ୟ ମଧ୍ୟ ପୁଲିସ ପାଖରେ ନାହିଁ।