ନିଜ ଘର ପ୍ଲାନ୍ ନିଜେ ଆବେଦନ କରିବେ

ସେପ୍ଟେମ୍ବରରୁ ଘର ପ୍ଲାନ୍ ଆବେଦନ ବ୍ୟବସ୍ଥା‌ ବଦଳିବ

ବିଡିଏ ୱେବସାଇଟ୍‌ରେ ଉପଲବ୍ଧ ହେବ ୧୦୦ ଡମି ପ୍ଲାନ୍
ଆର୍କିଟେକ୍ଟରଠାରୁ ପ୍ଲାନ୍ ଆଣିବାକୁ ପଡ଼ିବନି
ସର୍ବାଧିକ ୩ହଜାର ବର୍ଗଫୁଟ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ

ଭୁବନେଶ୍ବର : ଆସନ୍ତା ମାସରୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ନୂଆ ପ୍ଲାନିଂ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି। ଏଥିରେ ବିଡିଏ ଅଧୀନରେ ଘର କରିବାକୁ ଚାହୁଁଥିବା ଲୋକଙ୍କୁ ଆଉ ଆର୍କିଟେକ୍ଟଙ୍କ ମାଧ୍ୟମରେ ପ୍ଲାନ୍ ଆବେଦନ କରିବାକୁ ପଡ଼ିବନି କି ପ୍ଲାନ୍ ପ୍ରସ୍ତୁତ କରିବାକୁ ଟଙ୍କା ଗଣିବାକୁ ପଡ଼ିବନି। ବିଡିଏ ୱେବସାଇଟ୍‌କୁ ଯାଇ ନିଜ ପ୍ଲାନ୍ ନିଜେ ଆବେଦନ କରିପାରିବେ। କେଉଁ ଡିଜାଇନ୍‌ର ଘର କରିବାକୁ ଚାହୁଁଛନ୍ତି ତାହାର କିଛି ଡମି ଡିଜାଇନ୍ ବିଡିଏ ୱେବସାଇଟ୍‌ରେ ଉପଲବ୍ଧ ହେବ। ପସନ୍ଦର ଡିଜାଇନ୍ ଉପରେ କ୍ଲିକ୍ କରିଦେଲେ ପ୍ଲାନ୍ ଆବେଦନ ହୋଇଯିବ। ଏହାପରେ ଧାର୍ଯ୍ୟ ସମୟ ମଧ୍ୟରେ ବିଡିଏ ପ୍ଲାନ୍ ଅନୁମୋଦନ କରିବ।

ଏବେ ବିଡିଏ, ବିଏମ୍‌ସି କି ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ଲାନ୍ ଆବେଦନ କରିବାକୁ ହେଲେ‌ ଲୋକଙ୍କୁ ଆର୍କିଟେକ୍ଟଙ୍କ ଦ୍ବାରା ଏକ ପ୍ଲାନ୍ ପ୍ରସ୍ତୁତ କରିବାକୁ ପଡ଼ୁଛି। ଆର୍କିଟେକ୍ଟ ହିଁ ତାଙ୍କ ଆଇଡିରେ ପ୍ଲାନ୍ ଆବେଦନ କରୁଛନ୍ତି। ଆଉ ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନ୍ ଅନୁମୋଦନ କରୁଛନ୍ତି। କିନ୍ତୁ ଆଗକୁ ଘର କରିବାକୁ ଥିବା ଲୋକମାନେ ବିଡିଏ ୱେବସାଇଟ୍‌କୁ ଯାଇ ସିଧାସଳଖ ଆବେଦନ କରିବେ ଏବଂ ତାଙ୍କ ପ୍ଲାନ୍ ମଞ୍ଜୁର ହୋଇଯିବ।

ବିଡିଏ ପ୍ଲାନିଂ ମେମ୍ବର ଗୌରଶଙ୍କର ଭୂୟାଁ କହିଛନ୍ତି ଯେ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ଅନୁଯାୟୀ ଆମେ ପ୍ଲାନ୍ ଆବେଦନ ଓ ଅନୁମୋଦନ ପ୍ରକ୍ରିୟାକୁ ସହଜ କରୁଛୁ। ଏହାଦ୍ବାରା ଲୋକ ଘରେ ବସି ପ୍ଲାନ୍ ଆବେଦନ କରିବେ ଏବଂ ପ୍ଲାନ୍ ପାଇପାରିବେ। ଏଥିପାଇଁ ବିଡିଏ ୱେବସାଇଟ୍‌କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଛି।

ଶ୍ରୀ ଭୂ୍ୟାଁଙ୍କ ସୂଚନା ଅନୁଯାୟୀ, ବିଡିଏ ପକ୍ଷରୁ ୱେବସାଇଟ୍‌ରେ କିଛି ପ୍ଲଟ୍‌ ସାଇଜ୍‌ର ପ୍ଲାନ୍ ପ୍ରସ୍ତୁତ କରି ଛଡ଼ାଯିବ। ଏଥିରେ ସାଧାରଣତଃ ୪୦ରେ ୩୦ଫୁଟ, ୫୦ରେ ୩୦ଫୁଟ, ୬୦ରେ ୩୦ଫୁଟ, ୪୫ରେ ୩୦ଫୁଟ, ୬୦ରେ ୩୦ଫୁଟ, ୫୦ରେ ୪୦ଫୁଟ, ୬୦ରେ ୪୦ ଫୁଟ, ୫୦ରେ ୬୦ଫୁଟ, ୭୦ରେ ୪୦ଫୁଟ, ୫୦ରେ ୪୫ଫୁଟ ଏହିଭଳି କିଛି ପ୍ଲଟ୍ ଉପରେ ଡମି ଡିଜାଇନ୍ ପ୍ରସ୍ତୁତ କରାଯାଉଛି। ସର୍ବାଧିକ ୩ ହଜାର ବର୍ଗଫୁଟ ପାଇଁ ଏହି ଡମି ଡିଜାଇନ୍ ମାଧ୍ୟମରେ ଲୋକ ଆବେଦନ କରିପାରିବେ। ଗୋଟିଏ ଗୋଟିଏ ପ୍ଲଟ୍ ପାଇଁ ୫ରୁ ୬ ପ୍ରକାରର ଡିଜାଇନ୍ ରହିବ। ସାଧାରଣତଃ ଲୋକମାନେ ଯେଉଁ ଡିଜାଇନ୍‌ର ଘର ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି, ଘରକୁ ଯେପରି ଅଧିକ ଆଲୋକ ପଡ଼ିବ ଏବଂ ବାୟୁ ଚଳାଚଳ ହେଉଥିବ, ସେହିଭଳି ଡିଜାଇନ୍‌ର ପ୍ଲାନ୍ ପ୍ରସ୍ତୁତ କରାଯିବ।

କେବଳ ଏତିକି ନୁହେଁ, ଘରର ଫ୍ରଣ୍ଟ ଏଲିଭେସନ୍, ଥ୍ରିଡି ଇମେଜ୍, ଫର୍ଣ୍ଣିଚର ଡିଜାଇନ୍ ବି ରହିବ। ଡିଜାଇନ୍‌ର ଥ୍ରିଡି ଇମେଜ୍ ରହିଲେ ଲୋକ ଯେଉଁ ପ୍ଲାନ୍ ନେବେ ସେଥିରେ ଘର କିପରି ଦେଖାଯିବ ତାହା ବି ଦେଖିପାରିବେ। ଫଳରେ ତାଙ୍କ ସମ୍ମୁଖରେ ଯେଉଁ ସମ୍ଭାବ୍ୟ ଡିଜାଇନ୍ ଥିବ ସେଥିରୁ ସହଜରେ ସେ ତାଙ୍କ ପସନ୍ଦର ଡିଜାଇନ୍‌ ବାଛି ପାରିବେ। ଏପରିକି ଫର୍ଣ୍ଣିଚର୍ ଡିଜାଇନ୍ ଦେଖିଲେ ଘରେ କେଉଁଠି ‌ଟିଭି ଲଗାଇବେ, କେଉଁଠି ସୋଫା ପକାଇବେ, କେଉଁଠି ବେଡ୍ ପକାଇବେ, କେଉଁଠି ଡାଇନିଂ ପକାଇବେ ତାହା ବି ଜାଣିପାରିବେ। ଏହାବାଦ୍ ଫ୍ରଣ୍ଟ୍‌ ଏଲିଭେସନ୍‌ରେ ଲୋକ ତାଙ୍କ ଘରର ସମ୍ମୁଖ ଭାଗର ଡିଜାଇନ୍ ବି ବାଛି ପାରିବେ।

ସବୁ ଅପ୍ସନ୍‌କୁ ଯାଇ ପସନ୍ଦର ଡିଜାଇନ୍ ବାଛିବା ପରେ ଘର ନିର୍ମାଣକାରୀ ଆବଶ୍ୟକୀୟ ତଥ୍ୟ ଅପଲୋଡ୍‌ କରିବେ। ଏହାପରେ ତାଙ୍କୁ ଘରର ସାଇଜ୍ ଅନୁଯାୟୀ ଅନୁମୋଦନ ଫି’ ଏବଂ ଅନ୍ୟାନ୍ୟ ଫି’ ଜମା କରିବାକୁ ମେସେଜ୍ ଯିବ। ଫି’ ଜମା କରିବା ପରେ ତାଙ୍କ ପ୍ଲାନ୍ ମଞ୍ଜୁର ହୋଇଯିବ। ଏହି ବ୍ୟବସ୍ଥାର ସବୁଠୁ ବଡ଼ ସୁବିଧା ହେଲା ଯେଉଁମାନେ ଡମି ଡିଜାଇନ୍ ଅନୁଯାୟୀ ପ୍ଲାନ୍ ଆବେଦନ କରିବେ ତାଙ୍କ ପ୍ଲାନ୍ ଦୁଇରୁ ତିନି ଦିନ ଭିତରେ ଅନୁମୋଦନ ହୋଇଯିବ।

ଶ୍ରୀ ଭୂୟାଁଙ୍କ ସୂଚନା ଅନୁଯାୟୀ, ଏହି ଡମି ଡିଜାଇନ୍‌ରେ ଘର ପ୍ଲାନ୍ ଅନୁମୋଦନ କରିବାକୁ ହେଲେ ଏଥିପାଇଁ ୟେଲୋ ଜୋନ୍‌ରେ ଜମି ଥିବା ଦରକାର। ଏହାସହ ଘର ଆଗରେ ୩୦ ଫୁଟ୍‌ର ରାସ୍ତା ଥିବ। ଯେଉଁଠି ୨୦ ଫୁଟ୍‌ ରାସ୍ତା ଥିବ, ସେଠାରେ ନିୟମ ଅନୁଯାୟୀ ଫି’ ଜମା କରି ଏହାକୁ ନିୟମିତ କରିବା ପରେ ହିଁ ଏହାର ପ୍ଲାନ୍ ଅନୁମୋଦନ ହେବ। ଯେଉଁମାନେ ଜମିର ଲେ-ଆଉଟ୍ ପ୍ଲାନ୍ ଅନୁମୋଦନ କରି ଜମି ବିକୁଛନ୍ତି, ସେଠାରେ ବିଶେଷ କିଛି ସମସ୍ୟା ରହିବନି। ସେହିପରି ବିଡିଏ ପକ୍ଷରୁ ଦିଆଯିବାକୁ ଥିବା ଘରର ଡମି ଡିଜାଇନ୍‌ଗୁଡ଼ିକୁ ଏପରି ପ୍ରସ୍ତୁତ କରାଯାଇଛି ଯେ ଏହି ଅନୁଯାୟୀ ଘର କଲେ କାହାର କିଛି ଅଭିଯୋଗ ରହିବନି।

ସୂଚନାଯୋଗ୍ୟ ଯେ ବିଡିଏ କର୍ତ୍ତୃପକ୍ଷ କିଛି ଦିନ ତଳେ ନୂଆ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଯୋଜନା କରିଥିଲେ। ଏହା ଅନୁଯାୟୀ, ଲୋକମାନେ ବିଡିଏରେ ଆବେଦନ ନକରି ବିଡିଏ ଦ୍ବାରା ପଞ୍ଜୀକୃତ ଆର୍କିଟେକ୍ଟ ଏବଂ ଇଞ୍ଜିନିୟରମାନଙ୍କ ନିକଟରେ ପ୍ଲାନ୍ ଆବେଦନ କଲେ ସେମାନେ ହିଁ ଏହାକୁ ଅନୁମୋଦନ କରିପାରିବେ। ଏହି ଯୋଜାନ ଏବେ ସୁଦ୍ଧା ଲାଗୁ ହୋଇନି। ଏହି ଦୁଇଟି ଯୋଜନା ଲାଗୁ ହେଲେ ଭୁବ‌ନେଶ୍ବର ଏବଂ ଏହା ଉପକଣ୍ଠ ଲୋକଙ୍କର ଆଉ ଘର ନିର୍ମାଣ କ୍ଷେତ୍ରରେ ପ୍ଲାନ୍ ମଞ୍ଜୁର କରିବାରେ ଆଉ କିିଛି ସମସ୍ୟା ରହିବନି। ବିଡିଏ କର୍ତ୍ତୃପକ୍ଷ କହିଛନ୍ତି ଯେ ଆର୍କିଟେକ୍ଟ ଓ ଇଞ୍ଜିନିୟର ଯେଉଁ ପ୍ଲାନ୍ ଅନୁମୋଦନ କରିବେ ସେଠାରେ ଲୋକ ଯେଉଁଭଳି ଘର ଚାହିଁବେ ସେହଭିଳି ପ୍ଲାନ୍ ପ୍ରସ୍ତୁତ କରିପାରିବେ। କିନ୍ତୁ ଅନ୍ୟ ନିୟମଟିରେ ଲୋକଙ୍କୁ ବିଡିଏର ଡମି ପ୍ଲାନ୍ ଅନୁଯାୟୀ ପ୍ଲାନ୍ ଆବେଦନ କରିବାକୁ ହେବ।

ସମ୍ବନ୍ଧିତ ଖବର