ଭୁବନେଶ୍ବର: ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ପକ୍ଷରୁ ଅନୁଗୁଳରେ ‘ଅନୁଗୁଳ ଏନକ୍ଲେଭ୍’ ନାମରେ ଏକ ଗୃହ ପ୍ରକଳ୍ପ ହେବ। ୧୬୪କୋଟି ଟଙ୍କା ବ୍ୟୟରେ ଏଠାରେ ୬୧୩ଟି ଘର (ଫ୍ଲାଟ୍) ନିର୍ମାଣ ହେବ। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ହାଉସିଂବୋର୍ଡ କାର୍ଯ୍ୟାଳୟରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
ଅନୁଗୁଳ ସହରରେ ନିର୍ମାଣ ହେବାକୁ ଥିବା ଏହି ଗୃହ ପ୍ରକଳ୍ପର ଖୁବ୍ ଶୀଘ୍ର ଶିଳାନ୍ୟାସ ହେବାକୁ ଥିବା ବେଳେ ୪ବର୍ଷ ଭିତରେ ଏହାର ସମସ୍ତ କାମ ଶେଷ କରି ଲୋକଙ୍କୁ ଘର ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅନୁଗୁଳ ଜିଲ୍ଲା ହସ୍ପିଟାଲ, ନୂଆ ବସ୍ଷ୍ଟାଣ୍ଡ ନିକଟରେ ନିର୍ମାଣ ହେବାକୁ ଥିବା ଏହି ଗୃହ ପ୍ରକଳ୍ପରେ ମୋଟ ୬୧୩ଟି ଘର ହେବାକୁ ଥିଲେ ହେଁ ଏବେ ୩୩୧ଟି ଫ୍ଲାଟ୍ ପାଇଁ ବୁକିଂ କରାଯିବ। ଏଥିରେ ଏବେ ୩୦ଟି ଥ୍ରି ବିଏଚ୍କେ(ଏଚ୍ଆଇଜି), ୧୯୨ଟି ୨ବିଏଚ୍କେ(ଏମ୍ଆଇଜି), ୭୨ଟି ୧ବିଏଚ୍କେ (ଏଲ୍ଆଇଜି) ଏବଂ ୩୭ଟି ଇଡବ୍ଲ୍ୟୁଏସ୍ ଘର ନିର୍ମାଣ ହେବ। ଏଥିରେ ଏଚ୍ଆଇଜି ଏମ୍ଆଇଜି ଘର ପାଇଁ ବର୍ଗଫୁଟ ପିଛା ୩୬୦୦ଟଙ୍କା, ଏଲ୍ଆଇଜି ପାଇଁ ୩୦୩୦ଟଙ୍କା ଏବଂ ଇଡବ୍ଲ୍ୟୁଏସ୍ ଘର ପାଇଁ ବର୍ଗଫୁଟ ପିଛା ୨୭୪୫ଟଙ୍କା ରହିଛି। ଏହି ପ୍ରକଳ୍ପ ପାଇଁ ଅକ୍ଟୋବର ୪ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସୂଚନା ପୁସ୍ତିକା ଉପଲବ୍ଧ ହେବ। ଏହି ପୁସ୍ତିକା ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ, ଅନୁଗୁଳ, କଟକ, ରାଉରକେଲା ଓ ସମ୍ବଲପୁରରେ ଥିବା କ୍ଷେତ୍ରୀୟ କାର୍ଯ୍ୟାଳୟରେ ଉପଲବ୍ଧ ହେଉଛି ବୋଲି ହାଉସିଂବୋର୍ଡ ପକ୍ଷରୁ କୁହାଯାଇଛି। ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ଗଙ୍ଗାଧର ପାତ୍ର ସ୍ବାଗତ ଭାଷଣ ଦେବା ସହ ଏହି ପ୍ରକଳ୍ପ ବିଷୟରେ ସୂଚନା ଦେଇଥିଲେ। ଶେଷରେ ସଂସ୍ଥାର ମୁଖ୍ୟ ଯନ୍ତ୍ରୀ ମଦନ ମୋହନ ବିଶ୍ବାଳ ଧନ୍ୟବାଦ ଦେଇଥିଲେ।
ଅପରପକ୍ଷେ ଏହି ପ୍ରକଳ୍ପଟି ଓରେରା ଦ୍ବାରା ପଞ୍ଜୀକୃତ ହୋଇଥିଲେ ହେଁ ଓରେରା ନିୟମ ଅନୁଯାୟୀ ଘରର କାର୍ପେଟ୍ ଏରିଆ ଉପରେ ବୁକିଂ କରିବାକୁ ନିୟମ ଅଛି। ହେଲେ ହାଉସିଂବୋର୍ଡ ସୁପର୍ ବିଲ୍ଟ ଅପ୍ ଏରିଆ ଉପରେ ମୂଲ୍ୟ ଧାର୍ଯ୍ୟ କରିଥିବାରୁ ଏଥିରେ ସଂଶୋଧନ ହେବ କି ନାହିଁ ସେନେଇ ଏବେ ଦ୍ବନ୍ଦ୍ବ ଉପୁଜିଛି।