ଭୁବନେଶ୍ବର: ଚନ୍ଦକା ଜଗନ୍ନାଥ ପ୍ରସାଦର ବାସୁଦେବ ବିହାରରେ ଜମି ଯୋଗାଇ ଦେବାପାଇଁ ଏପ୍ରିଲ ୨୦୨୨ ମସିହାରେ ଓଡିଶା ରାଜ୍ୟ ହାଉସିଂ ବୋର୍ଡ(ଓଏସ୍ଏଚ୍ବି) ବିଜ୍ଞପ୍ତି ପ୍ରକାଶ କରିଥିଲା। ଲଟେରି ଜରିଆରେ ୧୬୬ ହିତାଧିକାରୀ ଚୟନ ହେବା ସହ ସମ୍ପୂର୍ଣ୍ଣ ଅର୍ଥ ଜମା କରିଥିଲେ ମଧ୍ୟ ଏ ଯାବତ୍ ଓଏସ୍ଏଚ୍ବି ଜମି ଯୋଗାଇ ପାରୁ ନାହିଁ। ଫଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପୃକ୍ତ ଜମିରେ କୌଣସି ଅଗ୍ରଗତି ହେଉ ନାହିଁ ବା ଜମି ଯେମିତି ପଡ଼ି ରହିଥିଲା ସେମିତି ପଡ଼ିଛି। ସୀମା ନିର୍ଦ୍ଧାରଣ ମଧ୍ୟ ହୋଇନାହିଁ। ଏଣୁ ଏହା କେବେ ମିଳିବ ସେ ନେଇ ମଧ୍ୟ କାହା ପାଖରେ ଉତ୍ତର ନାହିଁ। ୨୦୨୨ ମସିହା ମେ ମାସରେ ୧୬୬ ଆବେଦନକାରୀ ଆବଶ୍ୟକ କାଗଜପତ୍ର ସହ ସମ୍ପୂର୍ଣ୍ଣ ଅର୍ଥ ରାଶି ଅର୍ଥାତ୍ ୨୬ କୋଟି ୩୯ ଲକ୍ଷ ୫୩ ହଜାର ଟଙ୍କା ଜମା କରିଥିଲେ। ୨୦୨୩ ଜାନୁଆରିରେ ପ୍ଲଟ୍ ହସ୍ତାନ୍ତର ପାଇଁ ଓଏସ୍ଏଚ୍ବି ଆଲଟ୍ମେଣ୍ଟ ଲେଟର ଦେଇଥିଲା ବୋର୍ଡ। କୁହାଯାଇଥିଲା କି ୧୮ ମାସ ମଧ୍ୟରେ ଜମି ମିଳିବ, କିନ୍ତୁ ଏ ଯାଏଁ ମାଲିକଙ୍କୁ ଜମି ମିଳିଲା ନାହିଁ। ହାଉସିଂ ବୋର୍ଡ ପାଖରେ ମଧ୍ୟ ଏ ନେଇ କୌଣସି ଉତ୍ତର ନାହିଁ। ବର୍ତ୍ତମାନ ସୁଦ୍ଧା ଠିକାଦାର ପ୍ଲଟର ଡେଭଲପମେଣ୍ଟ କାମ ଆରମ୍ଭ କରିନଥିବାରୁ ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ହିତାଧିକାରୀ ମାନସିକ ଚାପରେ ରହିଛନ୍ତି।
ସରକାରୀ ଭାବି କିଣିଥିଲେ, ଠକ ବିଲ୍ଡର ଠାରୁ ଅଧିକ ହଇରାଣ ହେଲେ
ବାସୁଦେବ ବିହାରରେ କେବେ ମିଳିବ ଜମି?
ଗତ ଅଗଷ୍ଟ ମାସରେ ଓଏସ୍ଏଚ୍ବି ସେକ୍ରେଟାରିଙ୍କୁ ଭେଟି ଅବହେଳାର ତଦନ୍ତ କରି ଡେଭଲପମେଣ୍ଟ କାମ ଆରମ୍ଭ କରିବା ସହ କେବେ ମିଳିବ ସେ ନେଇ ଲିଖିତ ପ୍ରତିଶୃତି ଦେବାକୁ ଦାବି କରିଥିଲେ। ଏହି ଦରଖାସ୍ତ ଆଧାରରେ ସେକ୍ରେଟାରି ଓଏସ୍ଏଚ୍ବିର ଇଞ୍ଜିନିୟରିଂ ବିଭାଗକୁ ରିପୋର୍ଟ ତଲବ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ତେବେ ଚଳିତ ମାସ ଡିସେମ୍ବର ଶେଷ ସୁଦ୍ଧା ପ୍ଳଟ ମିଳିବ ବୋଲି ମୌଖିକ ପ୍ରତିଶ୍ରୁତି ମିଳିଥିଲା। ଏହା ପୂର୍ବରୁ ମେ’ ୨୦୨୪ ଜୁନ୍ ସୁଦ୍ଧା ପ୍ଲଟ ମିଳିବ କହିଥିଲେ। ଏଭଳି ସମୟ ଗଡ଼ିବା ଯୋଗୁ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। କୌତୁହଳପ୍ରଦ ହେଉଛି ଗତ ଜାନୁଆରିରେ ପ୍ଲାନ୍ ରିଭିଜନ୍ କରିବା ପାଇଁ ଓଏସ୍ଏଚ୍ବି ଏହି ହିତାଧିକାରୀଙ୍କ ଠାରୁ ସ୍ବୀକୃତି ନେଇଛି। ଅର୍ଥାତ୍ ପ୍ଲାନ୍ ରିଭିଜନ୍ ହେବ। ସେପଟେ ଠିକାଦାରକୁ ପଇସା ମିଳିନଥିବାରୁ ସେ ଡେଭଲପ୍ମେଣ୍ଟ କାମ କରୁନଥିବା ଅଭିଯୋଗ ହୋଇଛି। ଏଭଳି ସମସ୍ୟା ଯୋଗୁ ଏହି ପ୍ଲଟ୍ ଯୋଗାଇବା ସମ୍ଭବ ହେଉନଥିବା କୁହାଯାଉଛି। ଏ ନେଇ ରାମଚନ୍ଦ୍ର ବେହେରା, ତୃପ୍ତିରେଖା ନାଏକ, ନୀଳମଣି ଗୌଡ଼, ସଞ୍ଜୟ ପାଢ଼ୀ, ରାଜାରାମ୍ ମହାପାତ୍ର, କସ୍ତୁରୀ ସେଠୀ ପ୍ରମୁଖଙ୍କ ସହ ଶତାଧିକ ହିତାଧିକାରୀ ମାନସିକ ଚାପରେ ଥିବା କହିଛନ୍ତି। ଜୀବନର ସବୁ ରୋଜଗାର ବାଜିରେ ଲଗାଇ ବାହାରେ ରହି ଭଡ଼ା ଗଣୁଛୁ। ସରକାରୀ ସଂସ୍ଥା ହୋଇଥିବାରୁ କୌଣସି ବିବାଦ ରହିବ ନାହିଁ ଭାବି କିଣିଥିଲୁ। ହେଲେ ଏବେ ଅବସ୍ଥା ଖରାପ ହେଲାଣି। ଆମେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛୁ। ଏ ନେଇ ହାଉସିଂ ବୋର୍ଡ ପକ୍ଷରୁ କୁହାଯାଇଛି କି ଠିକାଦାରଙ୍କ ସହ ଆଲୋଚନା ହୋଇଛି। ଖୁବ୍ଶୀଘ୍ର ସେମାନେ ଏହାର ଡେଭଲପ୍ମେଣ୍ଟ କରିବେ। ଏହା ପରେ ସମସ୍ତଙ୍କୁ ପ୍ଲଟ୍ ଯୋଗାଇ ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/27/6BX7DOZystX7u3wV9iXw.jpg)