ହାଉସିଂବୋର୍ଡ଼ ଅଞ୍ଚଳରେ ଯୁବକଙ୍କୁ ହତ୍ୟା ମାମଲା : ବ୍ୟବସାୟିକ ଶତ୍ରୁତା ନା ଆଉ କିଛି?

ନଳୀ ନାମକ ଯୁବକର ସଂପୃକ୍ତିକୁ ନେଇ ଚର୍ଚ୍ଚା
ଆଜି ସରଜମିନ୍‌ ତଦନ୍ତ କରିବେ ଡିସିପି

ଚନ୍ଦ୍ରଶେଖରପୁର : ଶୁକ୍ରବାର ହାଉସିଂବୋର୍ଡ ଅଞ୍ଚଳରେ ରହୁଥିବା ଧନେଶ୍ୱର ଦାଶଙ୍କ ମୃତଦେହ ମିଳିବା ଘଟଣା କ୍ରମଶଃ ଜଟିଳ ହେବାରେ ଲାଗିଛି। କେହି କେହି ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ କହୁଥିବା ବେଳେ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା କିନ୍ତୁ ଏହାକୁ ହତ୍ୟା ବୋଲି ଦାବି କରୁଛନ୍ତି। କିନ୍ତୁ ମୃତକଙ୍କର ଶରୀରକୁ ଅନୁଧ୍ୟାନ କଲେ ଏହା ଦୁର୍ଘଟଣାଜନିତ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ସିଙ୍ଗିରି ଅଞ୍ଚଳର ଧନେଶ୍ୱର ଚନ୍ଦଶେଖରପୁର ହାଉସିଂବୋର୍ଡ ଅଞ୍ଚଳରେ ରହି ଟେଣ୍ଟ୍‌ ବ୍ୟବସାୟ କରୁଥିଲେ। ଏହା ସହିତ ନିକଟରେ ନିଜ ଟେଣ୍ଟ୍‌ ଦୋକାନ ଆଗରେ ଏକ ଫାଷ୍ଟ୍‍ଫୁଡ୍‌ ଦୋକାନ ମଧ୍ୟ କରିଥିଲେ। ଉକ୍ତ ଦୋକାନରେ ମିସ୍ତ୍ରି କାମ କରୁଥିବା ଯୁବକଙ୍କ ସହିତ ଧନେଶ୍ୱରଙ୍କ ପାଟିତୁଣ୍ଡ ହୋଇଥିଲା। ସେହିପରି କିଛିଦିନ ତଳେ ନଳୀ ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ବଚସା ହୋଇଥିଲା ବୋଲି ପରିବାରବର୍ଗ ସୂଚନା ଦେଇଛନ୍ତି। ବର୍ତମାନ ନଳୀର କୌଣସି ଖୋଜ୍‌ଖବର ମିଳୁ ନଥିବାରୁ ଏହି ଘଟଣାରେ ତା’ର ସଂପୃକ୍ତିକୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି ମୃତକଙ୍କ ବଡ଼ ଭାଇ। ବ୍ୟବସାୟିକ ଓ ରାଜନୈତିକ ଶତ୍ରୁତା ମଧ୍ୟ ଏହି ଘଟଣାରେ ଏକ ଦିଗ ହୋଇପାରିବାନେଇ ସ୍ଥାନୀୟ ଲୋକ ଚର୍ଚ୍ଚା କରୁଛନ୍ତି। ଗୁରୁବାର ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଧନେଶ୍ୱର ଅନ୍‌ଲାଇନ୍‌ ଥିଲେ। ଘରକୁ ଆସିବାକୁ ତାଙ୍କ ବଡ଼ ଭଉଣୀ ଫୋନ୍‌ କରିବା ସମୟରେ ତାଙ୍କ ପାଖରେ କେହି ଜଣେ ଥିବା ସେ ଶୁଣିଛନ୍ତି। ଚାଲ୍‌ ତତେ ଘରେ ଛାଡ଼ିଦେବି କହୁଥିବା ଫୋନ୍‌ରେ ଶୁଭିଥିବା ମୃତକଙ୍କ ବଡ଼ ଭଉଣୀ ସୂଚନା ଦେଇଛନ୍ତି। ଏକ ଧଳା କାର୍‌ରେ କିଛି ଲୋକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ଗୁରୁତର ସହିତ ନେଇ ପୁଲିସ୍‌ ତଦନ୍ତ କରିବାକୁ ପରିବାରବର୍ଗ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ମୃତକଙ୍କର ୫ ଭଉଣୀ ଓ ଗୋଟିଏ ଭାଇ ଅଛନ୍ତି। ମୃତକଙ୍କର ବାପା ସ୍ଥାନୀୟ ମନ୍ଦିରରେ ପୂଜକ ଭାବରେ କାର୍ଯ୍ୟରତ। ଏହି ଘଟଣାରେ ପୁଲିସ୍‌ ୩୦୨ ଦଫାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ଆଜି ନିଜେ ଡିସିପି ଘଟଣାସ୍ଥଳକୁ ଆସି ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି।

ଭିସେରା ରିପୋର୍ଟକୁ ଅପେକ୍ଷା

ମୃତକଙ୍କର ଭିସେରାକୁ ପରୀକ୍ଷା ପାଇଁ ରଖାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଭିସେରା ରିପୋର୍ଟ ଆସିବା ପରେ ମୃତକ ଜଣଙ୍କ ମଦ୍ୟପାନ କରିଥିଲେ କି ନାହିଁ ଆଦି ବିଷୟରେ ସବିଶେଷ ସୂଚନା ମିଳିପାରିବ। ଏହା ତଦନ୍ତରେ ମଧ୍ୟ ସାହାଯ୍ୟ କରିବ ବୋଲି ସୂଚନା ମିଳିଛି। ଶୁକ୍ରବାର ଭୋର୍‌ ପ୍ରାୟ ସାଢ଼େ ୫ଟାରେ ହାଉସିଂବୋର୍ଡ ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ମଡର୍ଣ୍ଣ କଣ୍ଟ୍ରୋଲ୍‌ ରୁମ୍‌ରୁ ଫୋନ୍‌ ଆସିଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ପ୍ରାଥମିକ ତଦନ୍ତରୁ ଘଟଣାସ୍ଥଳରେ ଗାଡ଼ିର ଭଙ୍ଗା କାଚ ପଡ଼ିଥିବା, ମୃତକଙ୍କର ବାମ ପଟ ଆଣ୍ଠୁ ତଳକୁ ଭାଙ୍ଗି ଯାଇଥିବା ଓ ଶରୀରର ସାମ୍ନା ପଟ ଆଘାତପ୍ରାପ୍ତ ହୋଇଥିବା ଦେଖି ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁବୋଲି ଜଣାପଡ଼ିଥିଲା। ସେହିପରି ନିକଟସ୍ଥ ଦୋକାନଗୁଡ଼ିକରେ ଲାଗିଥିବା ସିସି ଟିଭି ଫୁଟେଜ୍‌ରେ କେବଳ ଗାଡ଼ି ଯିବାଆସିବା କରୁଥିବା ଦେଖାଯାଉଛି।

ବିଜେପି ପକ୍ଷରୁ ଥାନା ଆଗରେ ଧାରଣା

ଚନ୍ଦ୍ରଶେଖରପୁର : ପୁଲିସର ଲାଠିମାଡ଼ କରିଥିଲା। ଏହା ପ୍ରତିବାଦରେ ଆଜି ସନ୍ଧ୍ୟାରେ ବିଜେପି ଚନ୍ଦ୍ରଶେଖରପୁର ମଣ୍ଡଳ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନା ଆଗରେ ଗଣଧାରଣା ଦିଆଯିବା ସହ ଥାନା ଅଧିକାରୀଙ୍କ ବଦଳି ମଧ୍ୟ ଦାବି କରାଯାଇଥିଲା। ଘଟଣାସ୍ଥଳରେ ଡିସିପି ସତ୍ୟବ୍ରତ ଭୋଇ, ଏସିପି ସୀତାରାମ ଶତପଥୀ, ଇନ୍‌ଫୋସିଟି ଆଇଆଇସି ବନୀତା ମହାରଣା ପ୍ରମୁଖ ପହଞ୍ଚି କର୍ମୀମାନଙ୍କୁ ବୁଝାସୁଝା କରିବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା। ବିଜେପି ପକ୍ଷରୁ ମୀନାକ୍ଷୀ ପ୍ରିୟଦର୍ଶନୀ, ମାନସୀ ରାୟ ପାଢ଼ୀ, ସୁଶାନ୍ତ କୁମାର ସାବତ, ଶିଶିର ମହାରଣା, ଅଞ୍ଜନ ନାଥ ପ୍ରମୁଖ ଆଜିର ଗଣଧାରଣାର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର