ଭୁବନେଶ୍ୱର: ଲୋକଙ୍କୁ ୩ବର୍ଷରେ ଘର ମିଳିବ। ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଦେବେ। ଯେତିକି ବେଡ୍ରୁମ୍ର ଘର ନେବେ ସେହି ଅନୁଯାୟୀ ଅର୍ଥ ଦେବେ। ଏହିଭଳି ପ୍ରଚାର କରି ହାଉସିଂବୋର୍ଡ ହିତାଧିକାରୀଙ୍କ ସହ ଚୁକ୍ତି କଲା। ଏହାପରେ ହିତାଧିକାରୀ ଅର୍ଥ ଜମା କରି ଚାଲିଲେ। କିନ୍ତୁ ହାଉସିଂବୋର୍ଡ ଘର ଦେଲାନି। ୩ବର୍ଷରେ ଘର ଦେବେ କହି ୭ବର୍ଷ ପରେ ବି ଘର ଦେଉନାହାନ୍ତି। ବରଂ ଦାଦାଗିରି ଦେଖାଉଛନ୍ତି ଘର ପାଇବାର ଅଛି ତ ଆଉ ୨୦ଲକ୍ଷ ଅଧିକ ଦିଅ। ନଚେତ୍ ଘର ଆବଣ୍ଟନ ବାତିଲ୍ ହୋଇଯିବ। ଏହିଭଳି ଧମକ କୌଣସି ବିଲଡର୍ ସଂସ୍ଥା ଦେଉନି। ଏହି ଧମକ ଦେଇଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ। ହାଉସିଂବୋର୍ଡର ଏହି ଦାଦାଗିରି ନେଇ ହିତାଧିକାରୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳୁନଥିବାରୁ ଏବେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ପକ୍ଷରୁ ୨୦୧୧ ମସିହାରେ ଜାଗମରାରେ ଖାରବେଳ ଏନ୍କ୍ଲେଭ୍ ଗୃହ ପ୍ରକଳ୍ପ ଯୋଜନାରେ ଘର ଦେବ ବୋଲି ବିଜ୍ଞାପନ ପ୍ରକାଶ ପାଇଥିଲା। ସରକାରୀ ସଂସ୍ଥା ରାଜଧାନୀରେ ଘର ବିକ୍ରି କରୁଥିବାରୁ ବହୁ ଲୋକ ଆବେଦନ କରିଥିଲେ। ଏହାପରେ ଲଟେରି ମାଧ୍ୟମରେ ଘର ଆବଣ୍ଟନ ହୋଇଥିଲା। ୧୦୪ଜଣଙ୍କୁ ଘର ଆବଣ୍ଟନ ହୋଇଥିଲା। ଆଉ ୨୦୧୪ ମଧ୍ୟରେ ୬ଟି କିସ୍ତିରେ ଅର୍ଥ ଦେବେ ବୋଲି ଚୁକ୍ତି ହୋଇଥିଲା। ଏପରିକି ଦୁଇଟିି କିସ୍ତିରେ ୨୫% ଅର୍ଥ ନେଇସାରିଲେଣି। ମୁଖ୍ୟମନ୍ତ୍ରୀ ଏହି ଗୃହ ପ୍ରକଳ୍ପର ଶିଳାନ୍ୟାସ କରିଥିବାରୁ ଏହା ଠିକ୍ ସମୟରେ ଆରମ୍ଭ ହୋଇ ଶେଷ ହେବ ବୋଲି ହିତାଧିକାରୀ ଭାବିଥିଲେ। କିନ୍ତୁ ୭ବର୍ଷ ପରେ ବି ଏହି ପ୍ରକଳ୍ପ ନିମଟାଲ୍ ପର୍ଯ୍ୟନ୍ତ ଉଠିପାରିଲାନି। ଏପଟେ ହାଉସିଂବୋର୍ଡ କର୍ତ୍ତୃପକ୍ଷ ଘର ଦାମ୍ ୨୦ଲକ୍ଷ ଲେଖାଏଁ (ପ୍ରାୟ ୪୦%) ବଢ଼ାଇ ଦେଇଛନ୍ତି। କର୍ତ୍ତୃପକ୍ଷ ଯୁକ୍ତି ବାଢ଼ିଛନ୍ତି ବଜାର ଦାମ୍ ବଢ଼ିଯିବାରୁ ଗୃହ ଦାମ୍ ବଢ଼ିଗଲା। ବକେୟା ରାଶି ତୁରନ୍ତ ଜମା କର। ଯିଏ ବିରୋଧ କରୁଛନ୍ତି ସେମାନଙ୍କୁ କୁହାଯାଉଛି ଯଦି ଅର୍ଥ ନଦେଇପାରିବ ଯଦୁପୁରରେ ନିର୍ମାଣ ହେଉଥିବା ପ୍ରକଳ୍ପରେ ଘର ନିଅ। ଖାରବେଳ ଗୃହ ପ୍ରକଳ୍ପ ଏବେ ନିକଟ ଭବିଷ୍ୟତରେ ସରିବନି।
୩ ବର୍ଷରେ ଦେବେ ବୋଲି କହିଥିଲେ, ୭ ବର୍ଷ ବିତିଲାଣି
ଘର ପିଛା ଅଧିକ ୨୦ଲକ୍ଷ ମାଗୁଛନ୍ତି
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ହିତାଧିକାରୀ
୬ବର୍ଷ ହେଲା ୧୫କୋଟିର ସୁଧ ଖାଉଛି ହାଉସିଂବୋର୍ଡ
କର୍ତ୍ତୃପକ୍ଷଙ୍କ ଏହିଭଳି ଉତ୍ତର ଶୁଣି ହିତାଧିକାରୀ ହତବାକ୍ ହୋଇଯାଇଛନ୍ତି। ସେମାନେ କହିଛନ୍ତି ଯେ, ଆମକୁ ଏହି ଗୃହ ପ୍ରକଳ୍ପରେ କେବଳ ୩ ବେଡରୁମ, ୪ ବେଡରୁମ୍ ଏବଂ ୪ ବେଡରୁମ୍ ଡିଲକ୍ସ ଭଳି ଘର ଦେବାକୁ କୁହାଯାଇଥିଲା। କିନ୍ତୁ ଅନ୍ୟ ପ୍ରକଳ୍ପକୁ ସ୍ଥାନାନ୍ତର କରିବାର କାରଣ ଆମେ କିଛି ଜାଣିପାରୁନୁ। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିବାରୁ ସେ ହିଁ ଏହାର ସମାଧାନ କରନ୍ତୁ। ନଚେତ୍ ଆମେ ରାଜରାସ୍ତାକୁ ଓହ୍ଲାଇବୁ। ଖାରବେଳ ଏନକ୍ଲେଭ୍ ଗୃହ ପ୍ରକଳ୍ପ ବିଳମ୍ବ ହେବା ନେଇ ହିତାଧିକାରୀଙ୍କୁ କର୍ତ୍ତୃପକ୍ଷ ଜଣାଇଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ଜମି ଜବରଦଖଲ ହୋଇଥିବାରୁ ଏହାକୁ ହଟାଇବାରେ ଅଧିକ ସମୟ ଲାଗିଲା, ଘର ନିର୍ମାଣ ପାଇଁ ଟେଣ୍ଡର ଅନୁମୋଦନରେ ବିଳମ୍ବ ହେଲା, ଏଏସ୍ଆଇ ଏହି ପ୍ରକଳ୍ପ ନିର୍ମାଣ ଉପରେ ପ୍ରତିବାଦ କରିଥିଲା, ଘର ନକ୍ସା ପ୍ରସ୍ତୁତରେ ବିଳମ୍ବ ହେଲା, ପିଏଚ୍ ଆଇଟମ୍, ବିଭିନ୍ନ ବିଦ୍ୟୁତ ସରଞ୍ଜାମ, ଡିଜି ସେଟ୍ ଆଦି କେଉଁ କମ୍ପାନିର ଲାଗିବ, କେତେ ଟଙ୍କାର ଲାଗିବ ତାହା ଧାର୍ଯ୍ୟ ହୋଇ ନପାରିବାରୁ ପ୍ରକଳ୍ପ ଆରମ୍ଭରେ ବିଳମ୍ବ ହୋଇଛି। ଏହି ସବୁକୁ ଏବେ ହିସାବ କରିବାରୁ ଘର ଦାମ୍ ବଢ଼ୁଛି। ତେଣୁ ବର୍ଦ୍ଧିତ ଅର୍ଥ ଦେଲେ ଘର ଆବଣ୍ଟନ ଠିକ୍ ସମୟରେ ହୋଇପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ହିତାଧିକାରୀମାନେ କହିଛନ୍ତି ଯେ, ଏହି ସବୁ ସମସ୍ୟା ପ୍ରକଳ୍ପ ଆରମ୍ଭ ହେବାରୁ ନିଷ୍ପତ୍ତି ହେବା କଥା। କିନ୍ତୁ ହିତାଧିକାରୀଙ୍କଠାରୁ ପ୍ରାୟ ୧୫ କୋଟି ଟଙ୍କା ନେବା ପରେ କାମ ଆରମ୍ଭ କଲେନି। ୬ବର୍ଷରୁ ଅଧିକ ହେଲା ୧୫କୋଟି ଟଙ୍କାର ସୁଧ ଖାଉଛି ହାଉସିଂବୋର୍ଡ। ଏହାପରେ ବି ଘର ଦାମ୍ ବଢ଼ାଉଛନ୍ତି। ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Housing-board.jpg)