ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ବସ୍ତିବାସିନ୍ଦା ଥଇଥାନ ଯୋଜନାରେ ୫ ବସ୍ତିର ୧୭୬ ପରିବାରକୁ ଲଟେରି ଜରିଆରେ ଆଜି ଆବାସ ବଣ୍ଟନ କରାଯାଇଛି। ହିତାଧିକାରୀଙ୍କ ଭିତରେ ୨୫ଜଣ ଭିନ୍ନକ୍ଷମ ରହିଛନ୍ତି। ବୁଦ୍ଧବିହାରରେ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମିତ ବହୁତଳ କୋଠାରେ ୧୭୪ ହିତାଧିକାରୀଙ୍କୁ ଘର ଦିଆଯାଇଛି। ଯେଉଁମାନେ ଘର ପାଇଁ ଧାର୍ଯ୍ୟ ରିହାତି ଟଙ୍କା ଜମା କରିଛନ୍ତି, ସେମାନଙ୍କୁ ଘର ସହ ତତ୍କାଳ ବିଜୁଳି, ଗ୍ୟାସ ସଂଯୋଗ ଆଦି ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପିଲାଙ୍କ ପାଠପଢ଼ାର ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଟଙ୍କା ପଇଠ କରିନାହାନ୍ତି, ସେମାନଙ୍କୁ ଜାତୀୟ ବ୍ୟାଙ୍କ ଜରିଆରେ ଋଣ ବ୍ୟବସ୍ଥା କରାଯାଇଛି। ନିମ୍ନ ଆୟ ପ୍ରମାଣପତ୍ରର ବି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆଜିର ବୈଠକରେ ଭୁବନେଶ୍ବର ତହସିଲଦାରଙ୍କ ସହ ବିଦ୍ୟୁତ୍ ବିଭାଗ, ଯୋଗାଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏଲ୍ଡିଏମ୍ଙ୍କ ସହ ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ। ଘର ପାଇବା ପରେ ବସ୍ତିବାସିନ୍ଦାମାନେ ଖୁସିବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏହି ଅବସରରେ ମେୟର ସୁଲୋଚନା ଦାସ କହିଛନ୍ତି, ବସ୍ତିବାସିନ୍ଦାଙ୍କୁ ଯେବେ ଉଠାଗଲା, ସେମାନେ ଅନିଚ୍ଛା ପ୍ରକାଶ କରୁଥିଲେ। ଘର ପାଇବେ କି ନାହିଁ, ସେ ଦ୍ବନ୍ଦ୍ବ ଆଜି ଦୂର ହୋଇଛି। ସରକାରଙ୍କ ଉପରେ ଭରସା ବଢ଼ିଛି ଓ ଏ ଭରସା ଆଗକୁ ଅତୁଟ ରହିବ। ବାକି ଯେଉଁମାନେ ଘର ପାଇନାହାନ୍ତି, ସେମାନଙ୍କୁ ପର୍ଯ୍ୟାୟକ୍ରମେ ଘର ମିଳିବ। ଶ୍ରୀମତୀ ଦାସ କହିଛନ୍ତି, ଆମେ ଆବାସ ବଣ୍ଟନରେ ସ୍ବଚ୍ଛତା ଅବଲମ୍ବନ କରିଛୁ। ତଥାପି ଯଦି କେହି ଜାଲିଆତି କରି ଘର ପାଇଥାନ୍ତି, ଧରା ପଡ଼ିଲେ, ଆମେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବୁ। ଥାନାରେ ଅଭିଯୋଗ କରି ତାଙ୍କୁ ବାନ୍ଧିବୁ। ଶ୍ରୀମତୀ ଦାସ କହିଛନ୍ତି, ସୁବିଧା ଦୃଷ୍ଟିରୁ ଭିନ୍ନକ୍ଷମଙ୍କୁ ତଳ ମହଲାରେ ଘର ଦିଆଯାଇଛି। କିନ୍ତୁ ଲଟେରି ଜରିଆରେ ଏହି ଘର ବଣ୍ଟନ କରାଯାଇଛି। କମିସନର୍ ଚଞ୍ଚଳ ରାଣା କହିଛନ୍ତି, ବସ୍ତିବାସିନ୍ଦାଙ୍କୁ ଆମେ ଘର ସହ ବିଜୁଳି, ଗ୍ୟାସ୍ ଭଳି ଅନ୍ୟାନ୍ୟ ଆବଶ୍ୟକତା ଯୋଗାଇ ଦେଇଛୁ। ବସ୍ତିବାସିନ୍ଦାଙ୍କ ପିଲାମାନଙ୍କ ପାଠପଢ଼ା ଓ ନାମଲେଖାର ବ୍ୟବସ୍ଥା କରାଯାଇଛି। ମାସେ ଭିତରେ ସବୁ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ରାଣା କହିଛନ୍ତି।
ବସ୍ତିବାସିନ୍ଦା ଥଇଥାନ ଯୋଜନାରେ ଆଜି ୪୮ ନମ୍ବର ୱାର୍ଡ ଭେଙ୍କେଟେଶ୍ବର ବସ୍ତିର ୨୯ଜଣ, ୧୧ ନମ୍ବର ୱାର୍ଡ ମହାବୀର ବସ୍ତି(ଟିଟିଏସ୍)ର ୨ଜଣ, ୪୦ ନମ୍ବର ୱାର୍ଡ ତାରିଣୀ ବସ୍ତିର ଜଣେ, ୧୧ ନମ୍ବର ୱାର୍ଡ ଟିଟିଏସ୍ ବସ୍ତିର ୩୨ଜଣ, ପାନବରଜ ବସ୍ତି ୪୩ ନମ୍ବର ୱାର୍ଡର ୩୨ଜଣ ଓ ୪୪ ନମ୍ବର ୱାର୍ଡର ୨୩ଜଣ, ନିକୋ ପାର୍କ ବସ୍ତିର ୩୨ଜଣ ଲଟେରିରେ ଘର ପାଇଛନ୍ତି। ଆଜିର ଏହି ଆବାସ ବଣ୍ଟନ କାର୍ଯ୍ୟକ୍ରମକୁ ଅତିରିକ୍ତ କମିସନର୍ ରତ୍ନାକର ସାହୁ, ଡେପୁଟି କମିସନର୍ ଅଜୟ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।
ମେୟର ଧରିଲେ ଜାଲିଆତି
ଆବାସ ବଣ୍ଟନ ବେଳେ ଜାଲିଆତି ଧରିଛନ୍ତି ମେୟର ସୁଲୋଚନା ଦାସ। ହିତାଧିକାରୀଙ୍କ ବଦଳରେ ନିଜ ନାମ ଲେଖାଇ ଲଟେରି ଉଠାଇ ସାରିଥିବା ଜଣେ ମହିଳାଙ୍କୁ ଶ୍ରୀମତୀ ଦାସ ଧରିବା ପରେ ତାଙ୍କ ଘର ବଣ୍ଟନକୁ ସ୍ଥଗିତ ରଖିଛନ୍ତି। ପ୍ରକୃତ ହିତାଧିକାରୀ ଆସିବା ସହ ଚିହ୍ନଟ ପରେ ଯାଇ ଘର ଦିଆଯିବ ବୋଲି କମିସନର୍ ଚଞ୍ଚଳ ରାଣା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ପ୍ରକୃତ ହିତାଧିକାରୀ ନ ଆସିବେ, ସେ ପର୍ଯ୍ୟନ୍ତ ତାଙ୍କୁ ଘର ନଦେବାକୁ ଅଧିକାରୀଙ୍କୁ କୁହାଯାଇଛି।
ମିଳିଥିବା ସୂଚନା ମୁତାବକ, ଲଟେରି ଜରିଆରେ ଟୋକନ୍ ଉଠାଣ ବେଳେ ପାନବରଜ ବସ୍ତିର ଜଣେ ମହିଳା ଆସି ଟୋକନ୍ ଉଠାଇଥିଲେ। ଏହି ସମୟରେ ଶ୍ରୀମତୀ ଦାସ ଆପତ୍ତି ଉଠାଇଥିଲେ। ମହିଳାଙ୍କୁ ପରିଚୟ ପଚାରିବା ବେଳେ ସେ ଥଙ୍ଗଥଙ୍ଗ ହୋଇଯାଇଥିଲେ। ଖୋଳତାଡ଼ ପରେ ଜଣାପଡ଼ିଥିଲା କି ମହିଳାଙ୍କ ମାଆ ହିତାଧିକାରୀ। କିନ୍ତୁ ସଂପୃକ୍ତ ମହିଳା ତାଙ୍କ ମାଆଙ୍କ ବଦଳରେ ତଞ୍ଚକତା ପୂର୍ବକ ନିଜ ନାମକୁ ହିତାଧିକାରୀ ଭାବେ ଦର୍ଶାଇଥିଲେ। ସତ ଜଣାପଡ଼ିବାରୁ ତାଙ୍କ ଟୋକନ୍କୁ ଅଧିକାରୀମାନେ ନିଜ ହେପାଜତରେ ରଖିଥିଲେ। ପ୍ରକୃତ ହିତାଧିକାରୀ ଆସିବା ପରେ ଯାଇ ଘର ଆଲଟ୍ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା।