ବସ୍ତି‌ରେ ୧,୦୦,୮୭୦ ଘର, ପକ୍କା ଘର ପାଇଛନ୍ତି ୪୦୧
ବିଏଲ୍‌ସି ଯୋଜନାରେ ୨ ଲକ୍ଷ ଲେଖାଏଁ ପାଇଛନ୍ତି ୧୧୪ ଜଣ
ରାଜଧାନୀରେ ମାତ୍ର ୮୬୩୫ ‘ରେ’ ହିତାଧିକାରୀ

Advertisment

ଭୁବନେଶ୍ୱର, (ବିଶ୍ୱଜିତ୍‌ ଦାଶ): କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ୨୦୨୨ ସୁଦ୍ଧା କେହି ବାସହରା ରହିବେନି। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ସମସ୍ତଙ୍କୁ ଘର ମିଳିବ। ସହରାଞ୍ଚଳରେ ଲୋକଙ୍କୁ ଜମି କିମ୍ବା ଘର ଯୋଗାଇ ଦିଆଯିବ। ଭୁବନେଶ୍ବର ଓ କଟକ ଭଳି ମହାନଗର ନିଗମ ଅଞ୍ଚଳରେ ସବୁ ବାସହରାଙ୍କୁ ଜମି ଯୋଗାଇବା ସମ୍ଭବ ନଥିବାରୁ ଏଠାରେ ବିଭିନ୍ନ ଯୋଜନାରେ ଘର ଯୋଗାଇ ଦିଆଯିବ। ହେଲେ ସରକାରଙ୍କ ଘୋଷଣା ଏବଂ ବାସହରାଙ୍କୁ ଘର ଯୋଗାଇବା ନେଇ ଭୁବନେଶ୍ବରରେ ଯେଉଁଭଳି କାମ ହେଉଛି, ସେଥିରେ ଏଠାରେ ସବୁ ବାସହରାଙ୍କୁ ଆସନ୍ତା ୧୦ ବର୍ଷ ଭିତରେ ବି ଘର ମିଳିବା ସମ୍ଭାବନା ଦେଖାଯାଉନି। କିନ୍ତୁ ରାଜ୍ୟ ସରକାର ଯୋଜନା କରିଛନ୍ତି ଯେ ଆଉ ଦୁଇ ବର୍ଷରେ ସମସ୍ତଙ୍କୁ ଘର ମିଳିଯିବ।

publive-image Telegraph India

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ୪୩୬ଟି ବସ୍ତିରେ ୧ ଲକ୍ଷ ୮୭୦ଟି ଘରେ ୪,୨୬,୭୮୦ଜଣ ବାସ କରୁଛନ୍ତି। ରାଜଧାନୀର ମୋଟ୍‌ ଜନସଂଖ୍ୟାର ୪୦.୧୭% ଲୋକ ଏହିଠାରେ ରହୁଛନ୍ତି। ଏହି ଲୋକମାନେ ସରକାରୀ ଜମି ଜବରଦଖଲ କରି ଘର ନିର୍ମାଣ କରିଥିବାରୁ ସେମାନେ ବାସହରା। କାରଣ ସରକାର ସେମାନଙ୍କୁ ଯେକୌଣସି ମୁହୂର୍ତ୍ତରେ ଉଠାଇ ପାରିବେ। କିନ୍ତୁ ଭୋଟ୍‌ ବ୍ୟାଙ୍କ କାରଣରୁ ଏହି ବସ୍ତିକୁ ଉଚ୍ଛେଦ ପାଇଁ ସରକାରୀ ବାବୁମାନଙ୍କ ହାତ ଯାଉନି। ବସ୍ତି ଭାଙ୍ଗି ପାରୁନାହାନ୍ତି କି ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇ ପାରୁନାହାନ୍ତି। ଫଳରେ ରାଜଧାନୀ ଏବେ ବସ୍ତିମୟ ହୋଇଗଲାଣି। ଅପରପକ୍ଷେ ବସ୍ତିବାସିନ୍ଦା ଯେଉଁ ବସ୍ତିରେ ରହୁଛନ୍ତି, ସେଠାରେ ସେମାନଙ୍କୁ ପକ୍କାଘର ନିର୍ମାଣ କରିବାକୁ ଅନୁମତି ଦିଆଯାଉନି। ରାଜ୍ୟ ସରକାର ବିଏମ୍‌ସି ପକ୍ଷରୁ ୨୦୧୨-୧୩ରେ ହୋଇଥିବା ରାଜୀବ ଆବାସ ଯୋଜନା (ରେ) ସର୍ଭେ ଅନୁସାରେ ଘର ଯୋଗାଉଛନ୍ତି। କାହାକୁ ମାଗଣାରେ ଘର ଯୋଗାଯାଉନି। ସୁଲଭ ମୂଲ୍ୟରେ ଘର ଯୋଗା ଯାଉଛି। ଘର ପିଛା ୧ଲକ୍ଷ ୨୦ହଜାର ଟଙ୍କା ନେଇ ଘର ଦେଉଛନ୍ତି।

publive-image

କିନ୍ତୁ ପିପିପି ମୋଡ୍‌ରେ ଘର ନିର୍ମାଣ କରି ଲୋକଙ୍କୁ ଦିଆଯାଉଥିବାରୁ ସବୁ ଅସୁବିଧା ହେଉଛି। ରାଜ୍ୟ ସରକାର ଜମି ଦେଉଛନ୍ତି, ଘରୋଇ ସଂସ୍ଥା ଅଧା ଜାଗାରେ ବ୍ୟାବସାୟିକ ପ୍ରତିଷ୍ଠାନ କରି ବିକ୍ରି କରୁଛି, ଅଧା ଜାଗାରେ ଘର କରି ବସ୍ତି ବାସିନ୍ଦାଙ୍କୁ ଦେଉଛି। ସମସ୍ୟା ହେଉଛି, ରାଜ୍ୟ ସରକାର ଯୋଜନା ଅନୁଯାୟୀ, ଭୁବନେଶ୍ବରରେ ଜମି ଯୋଗାଇ ପାରୁନାହାନ୍ତି। ଯେଉଁଠି ଜମି ଯୋଗାଉଛନ୍ତି ସେଠାରେ ଘରୋଇ ସଂସ୍ଥା ଗୃହ ପ୍ରକଳ୍ପ କରିବାକୁ ରାଜି ହେଉନାହାନ୍ତି। ଫଳରେ ବାସହରାଙ୍କୁ ଘର ଯୋଗାଇବା ଯୋଜନା ଏବେ ବି ବାସ୍ତବ ରୂପ ନେଇପାରୁନି। ସରକାରଙ୍କ ପିପିପି ମୋହ ଯୋଜନାକୁ ବାଟବଣା କରିଦେଇଛି।

publive-image tathya.in

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ଏବେ ରାଜୀବ ଆବାସ ଯୋଜନା ହିତାଧିକାରୀଙ୍କୁ ଘର ଦିଆଯାଉଛି। ତାହା ପୁଣି ବସ୍ତିରୁ ବସ୍ତି ସର୍ଭେ ହୋଇ ପ୍ରକଳ୍ପ ଅନୁଯାୟୀ ଘର ଆବଣ୍ଟନ ହେଉଛି। ବିଏମ୍‌ସି ହିତାଧିକାରୀଙ୍କ ତାଲିକା ଦେଉଛି। ବିଡିଏ ଗୃହ ନିର୍ମାଣ କରି ଘର ଆବଣ୍ଟନ କରୁଛି। ବିଡିଏ ଘର ନିର୍ମାଣରେ ବିଳମ୍ବ କରୁଥିବାରୁ ବହୁ ଲୋକଙ୍କୁ ଘର ଠିକ୍‌ ସମୟରେ ମିଳିପାରୁନି।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ରାଜଧାନୀରେ ଯେତିକି ଗୃହ ପ୍ରକଳ୍ପ ହେଉଛି ସେଥିରେ ‘ରେ’ ହିତାଧିକାରୀଙ୍କୁ ଘର ଯୋଗାଯାଉଛି। ରାଜଧାନୀରେ ଏବେ ୮୬୩୫ଜଣ ରେ’ ହିତାଧିକାରୀ ଥିବା ବେଳେ ଏବେ ସୁଦ୍ଧା ମହିଷାଖାଲ ବସ୍ତି ଏବଂ ପଥର ବନ୍ଧ ବସ୍ତିରେ ୪୦୧ଜଣଙ୍କୁ ଘର ଦିଆଯାଇଛି। ଏହି ୮୬୩୫ଜଣଙ୍କୁ ଘର ଦେବା ପରେ ବାକି ଲୋକଙ୍କ ପାଇଁ ଘର ନିର୍ମାଣ ହେବ।

ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୨୬୭୭ଜଣ ହିତାଧିକାରୀଙ୍କୁ ‘ରେ’ ଯୋଜନାରେ ୪ଟି ସ୍ଥାନରେ ଘର ଦେବାକୁ ଗୃହ ପ୍ରକଳ୍ପ ହୋଇଥିବା ବେଳେ ଏଥିରେ ୩୨୪୦ଟି ଘର ନିର୍ମାଣ ହେଉଛି। ଏଥିରୁ ୧୪୪୦ଟି ଗୃହ ନିର୍ମାଣ ସରିଛି। କିନ୍ତୁ ବିଏମ୍‌ସି ମାତ୍ର ୭୬୮ଜଣଙ୍କୁ ଅସ୍ଥାୟୀ ଆବଣ୍ଟନ ପତ୍ର ଦେଇଥିବା ବେଳେ ଏଥିରୁ ୪୦୧ଜଣଙ୍କୁ ଘର ଦେଇଛି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିଏଲ୍‌ସି (ବେନିଫିସିଆରି ଲେଡ୍‌ କନଷ୍ଟ୍ରକସନ୍‌)ରେ ୧୧୪ଜଣ ହିତାଧିକାରୀଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଘର ନିର୍ମାଣ କରିବାକୁ ଦିଆଯାଇଛି।

publive-imageବିଡିଏର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଆମେ ଯେତିକି ଘର ନିର୍ମାଣ କରିଛୁ ସେଠାରେ ବି ବିଏମ୍‌ସି ଲୋକଙ୍କୁ ଘର ଯୋଗାଇ ପାରୁନି। ବିଏମ୍‌ସି ତାଲିକା ଦେଇପାରୁ ନଥିବାରୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନି। ରାଜ୍ୟ ସରକାର ଯେଉଁ ଭଳି ଯୋଜନା କରୁଛନ୍ତି, ସେହି ଅନୁଯାୟୀ ଘର ଯୋଗାଯାଉଛି।

ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପରେ ୮ଟି ବସ୍ତିର ଲୋକଙ୍କୁ ଘର ଯୋଗାଇବାକୁ ଘର ନିର୍ମାଣ ହୋଇଛି। ଏବେ ମହିଷାଖାଲ, ପଥରବନ୍ଧ, ମଣ୍ଡପ ବସ୍ତି ପ୍ରକଳ୍ପରେ ଅଧିକ ଗୃହ ନିର୍ମାଣ ହେଉଛି। ଏହାବାଦ୍‌ ଶାନ୍ତିପଲ୍ଲୀ ବସ୍ତିରେ ଶାନ୍ତିନଗର ଆବାସ ଯୋଜନାରେ ୧୦ ଏକର ଜମିରେ ଘର ନିର୍ମାଣ ହେଉଛି, ମହାବୀର ଆବାସ ଯୋଜନାରେ ଗାଡ଼କଣରେ ୩.୮୨ଏକର ଜମିରେ, ନୀଳମାଧବ ଆବାସ ଯୋଜନାରେ ୮.୧୮ଏକର ଜମିରେ, ଚନ୍ଦ୍ରଶେଖରପୁର ସୁଲଭ ମୂଲ୍ୟରେ ଗୃହ ପ୍ରକଳ୍ପରେ ୨୦ଏକର ଜମିରେ ଗୃହ ପ୍ରକଳ୍ପ ନିର୍ମାଣ ହେଉଛି। ଏଠାରେ ପ୍ରାୟ ୧୦ହଜାର ଘର ନିର୍ମାଣ ହେଉଛି।