ବାଲିଅନ୍ତା: ମହୁଖଣ୍ଡା ସେବା ସମବାୟ ସମିତି ପରିଚାଳିତ ଧାନମଣ୍ଡିରେ ୧୭୪ ଚାଷୀଙ୍କ ନାଁ ନଥିବା ନେଇ ଆଜି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ ଉତ୍ତ୍ୟକ୍ତ ଚାଷୀମାନେ ଆଜି ସମବାୟ ସମିତି ସଭାପତି ଓ ସମ୍ପାଦକଙ୍କୁ ଘେରାଉ କରି ହୋ-ହଲ୍ଲା କରିଥିଲେ। ସେମାନଙ୍କ ନାମ ପଞ୍ଜୀକରଣ କରିବାକୁ ଦାବି କରିବା ସହ ସେମାନଙ୍କୁ ଚଳିତ ବର୍ଷ ଧାନ ବିକିବାକୁ ସୁଯୋଗ ଦେବାକୁ କହିଥିଲେ। ନଚେତ୍ ଧାନମଣ୍ଡି ଚଳାଇଦେବେ ନାହିଁ ବୋଲି ଚେତାବନୀ ଦେଇଥିଲେ।

Advertisment

ପଞ୍ଜୀକରଣ କରାଯିବ ବୋଲି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଚାଷୀମାନଙ୍କ ଅଭିଯୋଗ ଅନୁସାରେ ଏଠାରେ ମଣ୍ଡି ଖୋଲିବାର ଦୁଇ ସପ୍ତାହ ହେଲାଣି। ମାତ୍ର ଏବେ ବି ବହୁ ଚାଷୀଙ୍କ ମୋବାଇଲ ଫୋନ୍‌କୁ ମେସେଜ୍‌ ଆସିନାହିଁ କି ସେମାନଙ୍କୁ ଟୋକନ୍‌ ମିଳିନାହିଁ। ସେମାନଙ୍କ ନାମ ପଞ୍ଜୀକରଣ ହୋଇନଥିବା କୁହାଯାଉଛି। ଏନେଇ ବ୍ଲକ୍‌ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣିଙ୍କ ନେୃତୃତ୍ବରେ ଚାଷୀ ପ୍ରତିନିଧିମଣ୍ଡଳୀ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଏନେଇ ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ତେଣୁ ଆଜି ଅପରାହ୍ନରେ ସମବାୟ ସମିତି ସଂପାଦକ ବାନାମ୍ବର ସେଠୀ ଚାଷୀ କମିଟିକୁ ଆଲୋଚନା ପାଇଁ ଡାକିଥିଲେ। ଆଲୋଚନା ବେଳେ ଉତ୍ତେଜନା ଦେଖାଦେଇଥିଲା। ଶତାଧିକ ଚାଷୀ ସଂପାଦକ ଶ୍ରୀ ସେଠୀ ଓ ସଭାପତି ତାପସ ଜେନାଙ୍କୁ ଦୀର୍ଘ ସମୟ ଧରି ଘେରାଉ କରିଥିଲେ। ଏତେ ସଂଖ୍ୟାରେ ଚାଷୀ କିଭଳି ତାଲିକାରୁ ବାଦ୍‌ ପଡ଼ିଲେ ବୋଲି ପ୍ରଶ୍ନ କରିଥିଲେ।