ଭୁବନେଶ୍ବର,୧୨/୧(ଇମିସ): ରାଜଧାନୀର ରାସ୍ତାଘାଟକୁ ଦେଖିଲେ ଏହା ଏକ ସ୍ବଚ୍ଛ ସହର ବୋଲି କେହି କହିବେନି। ସହରକୁ ସଫା କରିବାକୁ ପ୍ରାୟ ୨୩୦୦ ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି। ରାତିରେ ଯାନ୍ତ୍ରିକ ସଫେଇ ହେଉଛି। ବର୍ଷକୁ ପ୍ରାୟ ୯୦କୋଟି ଟଙ୍କା ଖର୍ଚ୍ଚ ହେଉଛି। ପରିମଳ ବ୍ୟବସ୍ଥା ତଦାରଖ କରିବାକୁ ପ୍ରତି ୱାର୍ଡରେ ୱାର୍ଡ ଅଫିସର, ସାନିଟାରି ଇନ୍ସପେକ୍ଟର ଅଛନ୍ତି। ବିଏମ୍ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ୫ଟି ଲେଖାଏଁ ୱାର୍ଡ ବଣ୍ଟାଯାଇଛି। ନଗର ସ୍ବାସ୍ଥ୍ୟ ଅଧିକାରୀ ପଦବିରେ ଜଣେ ଡାକ୍ତର ଅଛନ୍ତି। ଏସବୁକୁ ତଦାରଖ କରିବା ଓ ତ୍ବରିତ ପଦକ୍ଷେପ ନେବାକୁ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ ଡେପୁଟି କମିସନର (ପରିମଳ) ଦାୟିତ୍ବରେ ଅଛନ୍ତି।
ଯେଉଁ ସହରର ପରିମଳ ବ୍ୟବସ୍ଥା ଯାଞ୍ଚ କରିବା, ତଦାରଖ କରିବା ପାଇଁ ଏତେ ଅଧିକାରୀ ଅଛନ୍ତି ସେଠାରେ ରାସ୍ତାକଡ଼ରେ ମାସ ମାସ ଧରି ଅଳିଆ, ଆବର୍ଜନା, ମାଟି, ଇଟା ଆଦି ଗଦା ହୁଏ, ନିୟମିତ ରାସ୍ତା ସଫେଇ ହୁଏନି, ଚତୁର୍ଦିଗ ପଚା ପଚା ଗନ୍ଧାଏ କେହି ବିଶ୍ବାସ କରିବେନି। ରାଜଧାନୀକୁ ଏବେ ଯିଏ ଦେଖୁଛି ସେ କହୁଛି ଗତ ୧୦/୧୨ ବର୍ଷ ମଧ୍ୟରେ ଏମିତି ସ୍ଥିତି କେବେ ହୋଇନଥିଲା। ଚାରିଆଡ଼େ ପୁତିଗନ୍ଧମୟ ପରିବେଶ। ନା ସଫେଇ ସଂସ୍ଥା ଅଳିଆ ଉଠାଉଛନ୍ତି ନା ବିଏମ୍ସିର କେହି ତାଗିଦ୍ କରୁଛନ୍ତି। ସମସ୍ତେ ପୂରା ବେଫିକର।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଜାନୁଆରି ୧ରୁ ସାରା ଦେଶରେ ସ୍ବଚ୍ଛ ସର୍ବେକ୍ଷଣ-୨୦୨୧ ଆରମ୍ଭ ହୋଇଯାଇଥିବାବେଳେ ବିଏମ୍ସି କର୍ତ୍ତୃପକ୍ଷ ଭୁବନେଶ୍ବରକୁ ଭଲ ରୢାଙ୍କ ମିଳିବା ନେଇ କେବଳ କାଗଜକଲମରେ ପ୍ରସ୍ତୁତି ଚଲାଇଛନ୍ତି। ସହରର ବାସ୍ତବ ସ୍ଥିତି ସଜାଡ଼ିବାକୁ ଗୁରୁତ୍ବ ଦେଉନାହାନ୍ତି। ଯେଉଁଥିପାଇଁ ଏବେ ରାଜଧାନୀରେ ଯେଉଁଠି ଅାଖି ପଡ଼ୁଛି ସେଠାରେ ଅଳିଆ ଗଦା।
ଇ-ଟଏଲେଟ୍ରେ ତାଲା ରାସ୍ତାକଡ଼ରେ ‘ଏକ’ ତଥାପି ଓଡିଏଫ୍++ ସାର୍ଟିଫିକେଟ୍
ଦୁଇ ଦିନ ତଳେ ବାହ୍ୟମଳତ୍ୟାଗ ମୁକ୍ତ ସହର ପାଇଁ ବିଏମ୍ସି ଓଡିଏଫ୍++ ସାର୍ଟିଫିକେଟ୍ ପାଇଛି। ଅର୍ଥାତ୍ ରାଜଧାନୀରେ କେହି ବାହାରେ ଝାଡ଼ା, ପରିସ୍ରା କରୁନାହାନ୍ତି। ସମସ୍ତଙ୍କ ଘରେ ପାଇଖାନା ଅଛି। ବାହାରକୁ ଆସୁଥିବା ଲୋକଙ୍କ ପାଇଁ ଆବଶ୍ୟକ ଗୋଷ୍ଠୀ ଶୌଚାଳୟ ଅଛି। କିନ୍ତୁ ରାଜଧାନୀରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଠି ଟିକେ ଖୋଲାସ୍ଥାନ ଦେଖାଯାଉଛି ବା ଲମ୍ବା ପାଚେରି ଦେଖାଯାଉଛି ସେଠାରେ କିଏ ବସିଛି ନହେଲେ ଛିଡ଼ା ହୋଇ ପରିସ୍ରା କରୁଛି। ସବୁ ପାଚେରି କଡ଼ରେ ପରିସ୍ରା ଗନ୍ଧ ଅତି ଉତ୍କଟ ପରିସ୍ଥିତି ସୃଷ୍ଟି କରୁଛି। ଅଥଚ କିଛି ବର୍ଷ ତଳେ ସହର ସାରା ତିଆରି ହୋଇଥିବା ଇ-ଟଏଲେଟ୍ରେ ତାଲା ପଡ଼ିଛି। ଆଉ ବିଏମ୍ସି କଳ,ବଳ, କୌଶଳ ଲଗାଇ ଭଲ ରୢାଙ୍କ ପାଇବା ପାଇଁ ହେଉଥିବା ସ୍ବଚ୍ଛ ସର୍ବେକ୍ଷଣରେ ଓଡିଏଫ୍++ ସାର୍ଟିଫିକେଟ୍ ହାସଲ କରିନେଇଛି।