ମନ୍ଦିର ଦକ୍ଷିଣାରେ କେମିତି ପଢ଼ିବ ମେଧାବୀ ଝିଅ?

ପୁରୁଣା ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଝିଅ ପାଇଛି ଏ-୧ ଗ୍ରେଡ୍‌। ୫୬୨ ନମ୍ବର ରଖି ଝିଅ ବିଦ୍ୟାଳୟ ଟପ୍ପର୍‌‌ ହୋଇଛି। କିନ୍ତୁ ଏବେ ବାପାଙ୍କ ସ୍ବଳ୍ପ ରୋଜଗାର ଝିଅର ଉଚ୍ଚ ଶିକ୍ଷାରେ ବାଧକ ସାଜିଛି। ମନ୍ଦିରରେ ପୂଜା ପାଠ କରି ପାଉଥିବା ଦକ୍ଷିଣା ପଇସା ଝିଅର ଉଚ୍ଚ ଶିକ୍ଷା ପାଇଁ ଯଥେଷ୍ଟ ହେବ ନାହିଁ ବୋଲି ବାପା ବୁଝିଗଲେଣି। ତେଣୁ ପରୀକ୍ଷା ଫଳ ବାହାରିବାବେଳର ଖୁସି ଏବେ ମିଳେଇ ଯାଇଛି। ପୂରା ପରିବାର ଏବେ ଚିନ୍ତାରେ ପଡ଼ିଯାଇଛି। ଭଲ କଲେଜରେ ପଢ଼ିବା ପାଇଁ ହେଲେ ପୁଳାପୁଳା ଟଙ୍କା ଆବଶ୍ୟକ ବୋଲି ବୁଝିବା ପରେ ବାପା ମନ ଏବେ ଗୁମୁରି ଉଠୁଛି। ଏହା ହେଉଛି ପୁରୁଣା ଭୁବନେଶ୍ବରର ରାମକୃଷ୍ଣ ମିଶନ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଟପ୍ପର୍‌ ବିଷ୍ଣୁପ୍ରିୟା ସଙ୍ଗୀତ୍ରାଙ୍କ ବାପା ଅଶୋକଙ୍କ ମନର ବ୍ୟଥା।

ବିଷ୍ଣୁପ୍ରିୟାଙ୍କ ବାପା ଅଶୋକ ଜଣେ ଗରିବ ବ୍ରାହ୍ମଣ। ଘରଡିହକୁ ବାଦ୍‌ ଦେଲେ ଅନ୍ୟ କିଛି ବି ସମ୍ବଳ ନାହିଁ। ବାଣୀବିହାର କଲୋନିରେ ଥିବା ଏକ ମନ୍ଦିରରୁ ମିଳୁଥିବା ଦକ୍ଷିଣାରୁ ଯେତିକି ରୋଜଗାର ହୁଏ, ସେତିକିରେ ଚାରି ପ୍ରାଣୀ କୁଟୁମ୍ବ ବଡ଼ କଷ୍ଟରେ ଚଳନ୍ତି। ମାର୍ଚ୍ଚ ମାସରୁ ମନ୍ଦିର ବନ୍ଦ ଥିବାରୁ ମିଳୁଥିବା ଦାନ ଦକ୍ଷିଣା ସବୁ ବନ୍ଦ। ଏମିତି ସ୍ଥିତିରେ ଏ-୧ ଗ୍ରେଡ୍‌ ପାଇଥିବା ଝିଅ ବିଷ୍ଣୁପ୍ରିୟାର କଲେଜ ପଢ଼ାକୁ ନେଇ ଅଶୋକଙ୍କ ମୁଣ୍ଡ ବିନ୍ଧା ବଢ଼ିଯାଇଛି। ଝିଅର ସଫଳତା ପାଇଁ ସବୁ ଆଡ଼ୁ ପ୍ରଶଂସା ମିଳୁଛି, ହେଲେ ଅଶୋକଙ୍କର ମନ ବୁଝୁନି। ଯୁକ୍ତ ଦୁଇ ବିଜ୍ଞାନ ପରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ମନ ବଳାଇଛନ୍ତି ବିଷ୍ଣୁପ୍ରିୟା। କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥର ଆବଶ୍ୟକ ବୋଲି ଅଶୋକ ଜାଣିଛନ୍ତି। ଏତେ ଟଙ୍କା ସେ ଯୋଗାଡ଼ କରିବାର ଜୁ’ ନାହିଁ ବୋଲି ସେ କହିଛନ୍ତି। ମନ୍ଦିର ଦକ୍ଷିଣାରେ ଝିଅକୁ ଯୁକ୍ତ ଦୁଇ ବିଜ୍ଞାନ ପଢ଼ାଇବା ପାଇଁ ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ଅଶୋକ ବୁଝି ସାରିଛନ୍ତି। ତେଣୁ ଏବେ ସେ ଘୋର ମାନସିକ ବିଷାଦରେ ପଡ଼ିଛନ୍ତି। ପଇସା ଅଭାବରୁ ଝିଅର ଭବିଷ୍ୟତ ଉଜୁଡ଼ି ଯିବା ଆଶଙ୍କାରେ ସେ ବିବ୍ରତ ହୋଇ ପଡ଼ିଛନ୍ତି। ତେଣୁ କୌଣସି ସହୃଦୟ ବ୍ୟକ୍ତିଙ୍କ ସହଯୋଗ ପାଇଁ ସେ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର