ଐତିହ୍ୟ ସୁରକ୍ଷାରେ କେତେ ତତ୍ପର ପ୍ରଶାସନ! ଲାଗିପାରୁନି ଖଣ୍ଡଗିରିର ଭଙ୍ଗା ଓଭରହେଡ୍‌ ବ୍ୟାରିଅର୍‌

ଖଣ୍ଡଗିରି: ଐତିହ୍ୟ ସୁରକ୍ଷା ପାଇଁ ଆମ ପ୍ରଶାସନ କେତେ ଉଦାସୀନ, ତାହା ଖଣ୍ଡଗିରି-ଉଦୟଗିରିରେ ବର୍ଷେ ହେଲା ଭାଙ୍ଗି ପଡ଼ିଥିବା ଭାରୀଯାନ ବ୍ୟାରିଅର୍‌ ପ୍ରସଙ୍ଗରୁ ଜଳଜଳ ହୋଇ ଦେଖାଯାଉଛି। ପାହାଡ଼ଯୁଗଳରେ ଥିବା ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ପ୍ରତି ଭାରୀଯାନ ଚାଳାଚଳ ବିପଦ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସଂଲଗ୍ନ ରାସ୍ତାରେ ଓଭରହେଡ୍‌ ବ୍ୟାରିଅର୍‌ ଲଗାଯାଇଥିଲା। ମାତ୍ର ତାହା ଭାଙ୍ଗି ପଡ଼ିବା ପରେ ବର୍ଷେ ହେଲା ପୁଣି ସେହି ରାସ୍ତାରେ ବେଧଡ଼କ ଭାବେ ଭାରୀଯାନ ଚଳାଚଳ କରୁଛି। ଅଥଚ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ପରେ ବି ପୂର୍ତ୍ତ ବିଭାଗର ନିଦ ଭାଙ୍ଗୁନାହିଁ। ତେଣୁ ଐତିହ୍ୟପ୍ରେମୀମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି।

ସୂଚନାଯୋଗ୍ୟ, ଖଣ୍ଡଗିରି-ଉଦୟଗିରି ମଧ୍ୟ ଦେଇ ଚନ୍ଦକା ଆଡ଼କୁ ପଡ଼ିଥିବା ରାସ୍ତାରେ ଭାରୀଯାନ ଚଳାଚଳ କରିବା ଯୋଗୁଁ ଦୁଇ ପାହାଡ଼ର ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜି ପ୍ରତି ବିପଦ ଦେଖାଯାଇଥିଲା। ଲଗାତାର କମ୍ପନ ଯୋଗୁଁ କୀର୍ତ୍ତିରାଜି ଭାଙ୍ଗି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଥିଲା। ତେଣୁ ଐତିହ୍ୟ ସୁରକ୍ଷା ପାଇଁ ଏହି ରାସ୍ତାରେ ଭାରୀଯାନ ଚଳାଚଳକୁ ନିଷେଧ କରାଯାଇଥିଲା। ଖଣ୍ଡଗିରି ଟ୍ରାଫିକ୍‌ ଛକ ପଟୁ ଏହି ରାସ୍ତାରେ ଏକ ଓଭରହେଡ୍‌ ବ୍ୟାରିଅର୍‌ ଲଗାଯାଇଥିଲା। ଫଳରେ ଏହି ରାସ୍ତାରେ କେବଳ କାର୍‌ ଓ ଦୁଇଚକିଆ ଗାଡ଼ି ଚଳାଚଳ କରୁଥିଲା। ମାତ୍ର ପ୍ରାୟ ବର୍ଷକ ତଳେ ଏକ ଭାରଯାନ ଦୁର୍ଘଟଣାରେ ଏହି ବ୍ୟାରିଅର୍ ଭାଙ୍ଗି ପଡ଼ିଥିଲା। ଏହା ପରେ ଏଠାରେ ନିର୍ମାଣାଧୀନ ଥିବା ଫ୍ଲାଏ ଓଭରବ୍ରିଜ୍‌ ପାଇଁ ଉକ୍ତ ଲୁହା ବ୍ୟାରିଅର୍‌କୁ କାଢ଼ି କିଛି ଦୂରରେ ରଖାଯାଇଥିଲା। ଏବେ ଫ୍ଲାଏଓଭରବ୍ରିଜ୍ କାମ ସରିଛି ଓ ଓଭରବ୍ରିଜ୍ ତଳ ଟ୍ରାଫିକ୍ ଛକରେ ବି କାମ ସରିଛି। କିନ୍ତୁ ଉକ୍ତ ଓଭରହେଡ୍‌ ବ୍ୟାରିଅର୍ ସେମିତି ରାସ୍ତା କଡ଼ରେ ଭଗ୍ନ ଅବସ୍ଥାରେ ପଡ଼ିଛି। ଫଳରେ ଖଣ୍ଡଗିରି-ଉଦୟଗିରି ଦେଇ ଯାଇଥିବା ରାସ୍ତାରେ ପୁଣି ଭାରୀଯାନ ଚଳାଚଳ ଲାଗିରହିଛି। ସେପ୍ଟେମ୍ବର ୩ରେ ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା ଓ ପୂର୍ତ୍ତବିଭାଗ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦଳାଇ ମତାମତ ଦେଇ ଖୁବ୍‌ ଶୀଘ୍ର ଉକ୍ତ ବ୍ୟାରିଅର୍‌ ଲଗାଇବାକୁ ପଦକ୍ଷେପ ନେବେ ବୋଲି କହିଥିଲେ। ପ୍ରାୟ ସପ୍ତାହକ ମଧ୍ୟରେ ଏହି କାମ ହୋଇଯିବ ବୋଲି ସେ କହିଥିଲେ। ମାତ୍ର ଏହା ଭିତରେ ଦେଢ଼ ମାସ ବିତିବା ପରେ ବି ଉକ୍ତ ବ୍ୟାରିଅର୍‌ ଲାଗି ପାରିଲା ନାହିଁ।

ଏହି ରାସ୍ତାରେ ଭାରୀଯାନ ଚଳାଚଳ ଦ୍ବାରା ଐତିହ୍ୟ ଅସୁରକ୍ଷିତ ହୋଇପଡ଼ୁଥିବା ଯେତିକି ଚିନ୍ତା‌ଜନକ, ଏବେ ଦୁଇ ପାହାଡ଼ ପାଦଦେଶରେ ହେଉଥିବା ଭିଡ଼ ପର୍ଯ୍ୟଟକଙ୍କ ପାଇଁ ସେତିକି ବିପଦର କାରଣ ପାଲଟିଛି। ଭାରୀଯାନ ଚଳାଚଳ କାରଣରୁ ଏହି ରାସ୍ତାରେ ଟ୍ରାଫିକ ଭିଡ଼ ହେଉଛି ଓ ପର୍ଯ୍ୟଟକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ଏହି ବ୍ୟାରିଅର୍‌ ମରାମତି କରି ଲଗାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର