ସ୍କୁଲକୁ କେମିତି ଆସିବେ ଶିକ୍ଷକ? ଲକ୍‌ଡାଉନ୍‌ରେ ପରିବହନ ସେବା ବନ୍ଦ

ସ୍ପଷ୍ଟ କରୁନି ଗଣଶିକ୍ଷା ବିଭାଗ, ଦ୍ବନ୍ଦ୍ବରେ ଶିକ୍ଷକ, ବଢ଼ୁଛି ଅଧିକାରୀଙ୍କ ଚାପ

ଭୁବ‌ନେଶ୍ବର: କରୋନା ସଂକ୍ରମଣ ବଢ଼ିବାରୁ ଗତ ମାସଠାରୁ ସ୍କୁଲ ବନ୍ଦ ହୋଇଯାଇଛି। ଏବେ ପୁଣି ସରକାର ଆସନ୍ତାକାଲିଠାରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ମାତ୍ର ଏହି ସମୟରେ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନେ ରୋଷ୍ଟର୍‌ ଡ୍ୟୁଟି କରୁଛନ୍ତି। ତେବେ ରାଜ୍ୟରେ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି କରାଯାଇଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସ୍କୁଲ ଆସିବେ କି ନାହିଁ, ସେ ନେଇ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି। ଏନେଇ ଗଣଶିକ୍ଷା ବିଭାଗ ମଧ୍ୟ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହିଁ। ଅପରପକ୍ଷେ ସାଧାରଣ ପରିବହନ ସେବା ବନ୍ଦ ରହିବାକୁ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନେ କେମିତି ସ୍କୁଲ ଆସିବେ, ସେମାନଙ୍କ ଚିନ୍ତା ବଢ଼ିଯାଇଛି।

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି) ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହା ଆଧାରରେ ରାଜ୍ୟ ସରକାରଙ୍କ ‌କେତେକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ଶିକ୍ଷାନୁଷ୍ଠାନରେ ଆସନ୍ତା ମେ’ ୫ରୁ ୩୧ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା ହୋଇଛି। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଶିକ୍ଷକ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶାଳୟ ଦ୍ବାରା ପରିଚାଳିତ ଶିକ୍ଷକ ଶିକ୍ଷା ତାଲିମ୍‌ ପ୍ରତିଷ୍ଠାନଗୁଡ଼ିକରେ ଗ୍ରୀଷ୍ମ ଛୁଟି ଆରମ୍ଭ ହୋଇଗଲାଣି। ତେବେ ଗଣଶିକ୍ଷା ବିଭାଗ ଅଧୀନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲ ଆସିବେ କି ନାହିଁ କୁହାଯାଇ ନ ଥିବାରୁ ସମସ୍ତେ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ସେପଟେ ପୂର୍ବ ବିଜ୍ଞପ୍ତିକୁ ଆଧାର କରି ବିଇଓ, ସିଆରସିସି, ଡିଇଓମାନେ ଏବେଠାରୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଉପରେ ଚାପ ପକାଇବା ଆରମ୍ଭ କରି ଦେଇଛନ୍ତି। ଲକ୍‌ଡାଉନ୍‌ରେ ବି ‌ବିଦ୍ୟାଳୟକୁ ଆସି ରୋଷ୍ଟର ଡ୍ୟୁଟି କରିବାକୁ କେତେକ ଜିଲ୍ଲାରେ କୁହାଯାଇ ଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲକ୍‌ଡାଉନ୍‌ରେ ପରିବହନ ସେବା ବନ୍ଦ ରହୁଥିବାରୁ କିଭଳି ଭାବେ ସ୍କୁଲ ଆସି ଡ୍ୟୁଟି କରିବେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ କରୋନା ସଂକ୍ରମଣ ଏବେ ବଢ଼ି ଚାଲିଛି। ଡ୍ୟୁଟିରେ ଥାଇ ବର୍ଷକ ମଧ୍ୟରେ ୫୦ରୁ ଅଧିକ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ତା’ପରେ ବି ଜୀବନକୁ ବାଜିରେ ଲାଗାଇ ଆମେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରଖିଛୁ। ୨୦୨୧-୨୨ ଶିକ୍ଷାବର୍ଷ କ୍ୟାଲେଣ୍ଡର ଅନୁଯାୟୀ ମେ’ ୬ରୁ ଗ୍ରୀଷ୍ମ ଛୁଟି ହେବା କଥା। ଏଭଳି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଲକ୍‌ଡାଉନ୍‌ରେ କାର୍ଯ୍ୟ କରିବାକୁ କହିବା ଚିନ୍ତାର ବିଷୟ। ଅଧିକାଂଶ ଶିକ୍ଷକ ଦୂର ଦୂରାନ୍ତରୁ ଆସି ସ୍କୁଲରେ ଡ୍ୟୁଟି କରିଥାନ୍ତି। କିଏ ବସ୍‌ ତ ଆଉ କିଏ ଟ୍ରେନ୍‌ରେ ଯିବା ଆସିବା କରିଥା’ନ୍ତି। ଲକ୍‌ଡାଉନ୍‌ ସମୟରେ ସେମାନେ କିଭଳି ଯିବା ଆସିବା‌ କରିବେ ତାହା ଉପରେ ବିଚାର କରାଯାଉ।

‌ତେବେ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସ୍କୁଲ ଛୁଟି ରହିଥିଲେ ମଧ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲ ଆସୁଛନ୍ତି। ରୋଷ୍ଟର ଡ୍ୟୁଟି କରିବା ସହ ସେମାନଙ୍କ ମଧ୍ୟରୁ କେତେଜଣ କୋଭିଡ୍‌-୧୯ ପରିଚାଳନା ଦାୟିତ୍ବରେ ରହିଛନ୍ତି। ତେଣୁ ସ୍କୁଲକୁ ସମ୍ପୂର୍ଣ୍ଣ ଛୁଟି କରିବା ଦ୍ବାରା ସେମାନଙ୍କ ମନୋବଳ ଭାଙ୍ଗିଯିବ। ପରବର୍ତ୍ତୀ ସମୟରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର