ଜଟଣୀ: ବରିଷ୍ଠ ନାଗରିକ ତଥା ସାଧାରଣ ଲୋକଙ୍କ ସୁବିଧା ପାଇଁ କମିସନରେଟ ପୁଲିସ ପକ୍ଷରୁ ‘ସହାୟତା’ ମୋବାଇଲ ଆପ୍ ଆରମ୍ଭ କରାଯାଇଛି। ଲୋକେ ଥାନାକୁ ନ ଯାଇ ଏହି ଆପ୍ ମାଧ୍ୟମରେ ସବିଶେଷ ତଥ୍ୟ ପାଇବା ସହ ଅଭିଯୋଗ ମଧ୍ୟ କରିପାରିବେ। କିନ୍ତୁ ଜଟଣୀ ଥାନା ଅଞ୍ଚଳରେ ରହୁଥିବା ଲୋକ ଏହାର ଫାଇଦା ନେଇପାରୁନାହାନ୍ତି। ଆପ୍‌ରେ କମିସନରେଟ୍‌ ପୁଲିସ୍‌ର ପ୍ରାୟ ବାକି ସବୁ ଥାନାର ସବିଶେଷ ତଥ୍ୟ ମିଳୁଥିବା ବେଳେ ଜଟଣୀ ଥାନାରେ ହୋଇଥିବା ସାଧାରଣ ଏଫ୍‌ଆଇଆର୍‌ କପିଟିଏ ବି ଖୋଲୁନି। ଏହି ଥାନାରେ ଏପର୍ଯ୍ୟନ୍ତ ୧୧୪ ମାମଲା ପଞ୍ଜିକୃତ ହୋଇଥିବା ଆପ୍‌ରେ ସୂଚନା ମିଳୁଥିଲେ ହେଁ ଅଭିଯୋଗପତ୍ର ଖୋଲୁନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ସୂଚନାଯୋଗ୍ୟ, ୨୦୧୮ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆପ୍‌କୁ ଉଦ୍‌ଘାଟନ କରିଥିଲେ। ତତ୍କାଳୀନ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ ସାହୁ ହଜାର ହଜାର ବରିଷ୍ଠ ନାଗରିକଙ୍କୁ ଡାକି ଏହି ଆପ୍ ବିଷୟରେ ଅବଗତ କରାଇଥିଲେ। ଯେକୌଣସି ସମୟରେ ସସମ୍ୟାର ସମ୍ମୁଖୀନ ହେଲେ ବା ପୁଲିସର ସାହାଯ୍ୟ ଆବଶ୍ୟକ ମନେ କଲେ, ‘ସହାୟତା’ ଆପ୍‌ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଆପ୍ ମାଧ୍ୟମରେ ବିଭିନ୍ନ ଥାନା ଅଞ୍ଚଳର ତଥ୍ୟ ମଧ୍ୟ ପାଇହେବ ବୋଲି କୁହାଯାଇଥିଲା। ହେଲେ ଜଟଣୀ ଥାନା ଅଞ୍ଚଳର ଲୋକମାନେ ଏହି ଆପ୍ ସେବାରୁ ବଞ୍ଚିତ ହେଉଛନ୍ତି। ଦୀର୍ଘ ଦିନ ହେଲା, ଏହି ଆପ୍‌ରେ ସମସ୍ୟା ଦେଖାଯାଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ।

ସୂଚନାଥାଉକି, ସହାୟତା ଆପ୍‌‌ ଜରିଆରେ ୧୮ ପ୍ରକାରର ସେବା ପାଇ ହେବ। ଅଭିଯୋଗ ଦାଖଲଠାରୁ ଆରମ୍ଭ କରି ଚାର୍ଜସିଟ୍‌ ନକଲ, ଶୋଭାଯାତ୍ରା ପାଇଁ ଆବେଦନ, ଚାରିତ୍ରିକ ପ୍ରମାଣପତ୍ର, ଭଡ଼ାଟିଆ ବିବରଣୀ ପର୍ଯ୍ୟନ୍ତ ସୂଚନା ମିଳିପାରୁଛି। ଏହାବ୍ୟତୀତ ଯେକୌଣସି ଜାଗାରେ ରହି ‘ଏସ୍‌ଓଏସ୍‌’ ବଟନ୍‌ ଟିପିଲେ, ଏହି ଆପ୍‌ ସେହି ଜାଗାର ସଂପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଦେବ। ଥାନା କେତେ ଦୂରରେ ଅଛି, କେଉଁ ଦିଗରେ ଯିବାକୁ ହେବ, ତାହା ମଧ୍ୟ ସୂଚାଇ ଦେଉଛି।