ଭୁବନେଶ୍ବର: ଭୁବନେଶ୍ବରରେ କେତେ ବାଂଲାଦେଶୀ?  ସେମାନେ କ’ଣ କରୁଛନ୍ତି? ବାଂଲାଦେଶୀ ଅନୁପ୍ରବେଶ ନେଇ କେନ୍ଦ୍ର ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିବା ପରେ ରାଜଧାନୀକୁ ନେଇ ଏଭଳି ପ୍ରଶ୍ନ ଉଠିଲାଣି। ଜଗତସିଂହପୁରରୁ ବାଂଲାଦେଶୀ ଅନୁପ୍ରବେଶକାରୀ ଧରାପଡ଼ିବା ସହ ସେମାନଙ୍କଠାରୁ ମାରଣାସ୍ତ୍ର ଜବତ ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଓଡ଼ିଶା ସରକାର ଅନୁପ୍ରବେଶକାରୀଙ୍କୁ ବାହାର କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ କିଛି ଜିଲ୍ଲାରେ ବାଂଲାଦେଶୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସନ୍ଦିଗ୍ଧଙ୍କ କାର୍ଯ୍ୟକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଟବର୍ତ୍ତୀ ଅଞ୍ଚଳର ପୁଲିସକୁ ସଶକ୍ତ କରାଯିବା ସହ କୋଷ୍ଟଗାର୍ଡ ଦ୍ବାରା ନିରୀକ୍ଷଣ ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ଯେ ଭୁବନେଶ୍ବରରେ ୧୭ଜଣ ବାଂଲାଦେଶୀ ରହୁଛନ୍ତି। ପ୍ରତିଥର ବିଧାନସଭା ଅଧିବେଶନ ସମୟରେ ବିଭାଗୀୟ ମନ୍ତ୍ରୀ ଭୁବନେଶ୍ବରରେ ବାଂଲାଦେଶୀଙ୍କ ସଂଖ୍ୟାକୁ ନେଇ ଏଭଳି ଉତ୍ତର ରଖୁଛନ୍ତି। ସଂଖ୍ୟା ବଢ଼ୁନି କି କମୁ ନାହିଁ। କେବେ ଓ କେଉଁ ସର୍ଭେ ଆଧାରରେ ରାଜ୍ୟ ସରକାର ଏଭଳି ତଥ୍ୟ ଦେଉଛନ୍ତି ତାହା ଜଣାପଡ଼ି ନାହିଁ। ହେଲେ ବିଗତ ଏକ ଦଶନ୍ଧି ମଧ୍ୟରେ କୌଣସି ପ୍ରକାର ସର୍ଭେ କରାଯାଇ ନ ଥିବା ଜଣାପଡ଼ିଛି। କେବଳ ବାଂଲାଦେଶୀ ନୁହେଁ, କେଉଁ ଦେଶ କିମ୍ବା ରାଜ୍ୟରୁ କେତେ ଲୋକ ରାଜଧାନୀକୁ ଆସୁଛନ୍ତି କିମ୍ବା ଯାଉଛନ୍ତି ତାହାର କୌଣସି ଖବର କାହା ପାଖରେ ନାହିଁ। ପୁଲିସ ଜଗିଥିବା କହୁଥିଲେ ମଧ୍ୟ ଅନେକ ସମୟରେ ବିଦେଶୀ ଏଠାରେ ଆସି ନିଜର ପତିଆରା ଜାହିର କରି ପଳାଇ ଯାଉଛନ୍ତି। ଏମିତିକି ବସ୍ତି ଅଞ୍ଚଳରେ ସେମାନେ ଆଡ଼ା ଜମାଉଥିବା କୁହାଯାଉଥିଲେ ମଧ୍ୟ ନିୟମିତ ଯାଞ୍ଚ ହେଉ ନାହିଁ।

Advertisment

ଅଭିଯୋଗ ହେଉଛି ଭୁବନେଶ୍ବରକୁ ବାଂଲାଦେଶୀଙ୍କ ପ୍ରମୁଖ ପ୍ରବେଶପଥ ହେଉଛି ଟ୍ରେନ୍‌। ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ଅଭିଯୋଗରେ ପୂର୍ବରୁ ଯେତେ ବି ବାଂଲାଦେଶୀ ଗିରଫ ହୋଇଛନ୍ତି ସେମାନେ ବସ୍ତି ଅଞ୍ଚଳକୁ ହିଁ ନିଜର କର୍ମକ୍ଷେତ୍ର ଭାବେ ଆପଣାଉଛନ୍ତି। ସେଥିପାଇଁ ଟ୍ରେନ୍‌ ଚଳପ୍ରଚଳ କରୁଥିବା ଅଞ୍ଚଳ ଯଥା ରେଳଧାରଣା ନିକଟ ବସ୍ତି, କଲୋନି କିମ୍ବା ଅଧିକ ଜନଗହଳିପୂର୍ଣ୍ଣ ବଜାର ନିକଟରେ ରହୁଛନ୍ତି। ମାଷ୍ଟରକ୍ୟାଣ୍ଟିନ୍‌, ଲିଙ୍ଗରାଜ ଷ୍ଟେସନ, ମଞ୍ଚେଶ୍ବର ଷ୍ଟେସନ ଅଞ୍ଚଳରେ ଏମାନେ ଅଧିକ ସଂଖ୍ୟାରେ ରହୁଥିବା ସନ୍ଦେହ କରାଯାଉଛି। ଏବେ ଏମ୍‌ସକୁ ବହୁ ସଂଖ୍ୟାରେ ପଶ୍ଚିମବଙ୍ଗ ରୋଗୀ ଆସୁଥିବାରୁ ସେମାନଙ୍କ ମଧ୍ୟରେ ବାଂଲାଦେଶୀ ରହିଥିବା ନେଇ ଆଶଙ୍କା କରାଯାଉଛି। ୨୦୨୦ରେ ବାଂଲାଦେଶୀ ରାଣୀ ମହୁମାଛି ଅଞ୍ଜଳି ଦିଦିକୁ ଗିରଫ ହେଉ କି ୬ ଜଣ ବାଂଲାଦେଶୀ ରୂପଜୀବୀଙ୍କୁ ଉଦ୍ଧାର,  ଏସବୁ ଲକ୍ଷ୍ମୀସାଗର ଓ ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ହିଁ ହୋଇଥିଲା। ସେହିପରି ଖାରବେଳନଗର ଥାନା ଅଧୀନ ମାଳିସାହିରେ ଜଣେ ବାଂଲାଦେଶୀ ଦେହଜୀବୀ ଆତ୍ମହତ୍ୟା କରିଥିଲେ। ଘଟଣାରେ ପୁଲିସ ମଧ୍ୟ ନକଲି ଆଧାର କାର୍ଡ ଜବତ କରିଥିଲା। ବରିଷ୍ଠ ନାଗରିକ ଡମ୍ବରୁଧର ନାୟକଙ୍କ କହିବାନୁଯାୟୀ ରାଜଧାନୀ ଓ ସହର ଉପକଣ୍ଠରେ ବିଭିନ୍ନ କୋଠା ନିର୍ମାଣଠାରୁ ଆରମ୍ଭ କରି କବାଡ଼ିଆ, ବିଭିନ୍ନ ଫେରି ବ୍ୟବସାୟରେ ବାଂଲାଦେଶୀଙ୍କ ସଂପୃକ୍ତି ରହୁଛି। ରାଜମିସ୍ତ୍ରି, ଟାଇଲ୍‌ ମିସ୍ତ୍ରି, ପାଣି ପାଇପ୍‌ ମିସ୍ତ୍ରି ଭାବେ ଅନେକ ବାଂଲାଦେଶୀ ଭୁବନେଶ୍ବରରେ ରହୁଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ସମ୍ଭବପର ନୁହେଁ। କାରଣ ସେମାନେ ଭାରତର ନାଗରିକ ହୋଇ ନଥିଲେ ମଧ୍ୟ ନକଲି ଆଧାର କାର୍ଡ ପ୍ରସ୍ତୁତ କରି ନିଜକୁ ପଶ୍ଚିମବଙ୍ଗର ବୋଲି ଦର୍ଶାଉଛନ୍ତି। ସହରରେ ନିର୍ମାଣ ଚାଲିଥିବା ବିଭିନ୍ନ ଆପାର୍ଟମେଣ୍ଟ, ରାସ୍ତାଘାଟ  ନିର୍ମାଣ କାର୍ଯ୍ୟରେ ସେମାନେ ସାମିଲ ହେଉଛନ୍ତି। ଓଡ଼ିଶାର ଶ୍ରମିକଙ୍କୁ ଅଧିକ ପାରିଶ୍ରମିକ ଦେବାକୁ ପଡ଼ୁଥିବାରୁ ନିର୍ମାଣକାରୀ ସଂସ୍ଥାମାନେ ମଧ୍ୟ ବାହାରୁ ସେମାନଙ୍କୁ  ଆଣିବା ସହ କମ୍‌ ଖର୍ଚ୍ଚରେ କାମ ଚଳାଇ ନେଉଛନ୍ତି।  

ତିନିଦିନ ତଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲେ ଯେ ବାଂଲାଦେଶୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆଗକୁ ଜାରି ରହିବ। ଯେଉଁଠି  ବି ଅନୁପ୍ରବେଶକାରୀ ଅଛନ୍ତି, ସେମାନଙ୍କୁ ଚିହ୍ନଟ କରାଯିବ। ସେମାନଙ୍କୁ ଦେଶରୁ ବିତାଡ଼ିତ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସରକାର ଏନେଇ ସବୁ ବ୍ୟବସ୍ଥା ଗ୍ରହଣ କରିବେ। ଏ ବାବଦରେ କେନ୍ଦ୍ର ସରକାରର ଯାହା ଭୂମିକା ରାଜ୍ୟ ସରକାରଙ୍କ ମଧ୍ୟ ସମାନ ଭୂମିକା ରହିଛି। ରାଜ୍ୟବାସୀଙ୍କୁ ଆହୁରି ସୁରକ୍ଷିତ ରଖିବାକୁ ସରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ସେଥିପାଇଁ ଅନୁପ୍ରବେଶକାରୀ, ଉଗ୍ରବାଦୀଙ୍କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଥିବା ସେ କହିଥିଲେ।

ଧରାପଡ଼ିଥିଲେ ୩୫ ବାଂଲାଦେଶୀ

ଭୁବନେଶ୍ବର: ରାଜଧାନୀରେ ବାଂଲାଦେଶୀ ଲୁଚି ରହିଥିବା ନେଇ ବାରମ୍ବାର ଅଭିଯୋଗ ପରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପୁଲିସ ପ୍ରଶାସନ ଆକ୍ସନ୍‌ ମୋଡ୍‌କୁ ଆସିଥିଲା। ଏନେଇ ଗୋପନୀୟ ଭାବେ ଯାଞ୍ଚ ସମୟରେ ୩୫ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଥିଲା। ସଂପୃକ୍ତ ଅନୁପ୍ରବେଶକାରୀମାନଙ୍କୁ ଜେରା କରାଯିବା ପରେ ସେନାକୁ ହସ୍ତାନ୍ତର କରାଯାଇଥିଲା। ଏହି ବାଂଲାଦେଶୀମାନଙ୍କୁ ଖାରବେଳନଗର, ଖଣ୍ଡଗିରି, ଧଉଳି ଓ ପିପିଲି ଥାନା ଅଞ୍ଚଳରୁ କ୍ରାଇମ୍‌ ବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପୁଲିସ ଉଠାଇ ଆଣିଥିବା ବେଳେ ଏହି ଥାନା ଅଞ୍ଚଳରେ ଥିବା ଅନେକ ଅନୁପ୍ରବେଶକାରୀ ଧରାପଡ଼ିଯିବା ଭୟରେ ଛତ୍ରଭଙ୍ଗ ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ‌ଯାଞ୍ଚ ବେଳେ ଏହି ବାଂଲାଦେଶୀମାନେ ନକଲି ଆଧାରକାର୍ଡ ଓ ଭୋଟର ପରିଚୟପତ୍ର ବ୍ୟବହାର କରିଥିଲେ। ଏସ୍‌ଟିଏଫ୍‌ ଏସ୍‌ପି ରବି ଶତପଥୀଙ୍କ ସୂଚନା ମୁତାବକ, କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଭୁବନେଶ୍ବର ପକ୍ଷରୁ ବିଭିନ୍ନ ବସ୍ତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା। କୌଣସି ସନ୍ଦିଗ୍ଧ ନଜରକୁ ଆସିଲେ ସେମାନଙ୍କୁ ଟ୍ରାକ୍‌ କରାଯାଉଥିଲା। ଏନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ କମିସନରେଟ୍‌ ପୁଲିସର ସହଯୋଗରେ ଏସ୍‌ଟିଏଫ୍‌ ୩୫ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ସନ୍ଦିଗ୍ଧମାନଙ୍କୁ ନୟାଗଡ଼ରେ ଅଜ୍ଞାତବାସରେ ରଖାଯିବା ପରେ ସେମାନଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରାଯାଇଥିଲା। ଚଢ଼ଉ ଓ ଯାଞ୍ଚ ହେବା ଜାଣି କିଛି ବାଂଲାଦେଶୀ ଅନ୍ୟ ରାଜ୍ୟକୁ ଚାଲିଯାଇଥିଲେ। ଏବେ ବି ବିଭିନ୍ନ ବସ୍ତି ଉପରେ ନଜର ରଖାଯାଇଛି। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି।

ବାଂଲାଦେଶୀ ରୂପଜୀବୀ
ବିଭିନ୍ନ ସମୟରେ ସହରରୁ ଧରାପଡ଼ୁଥିବା ‌ସେକ୍ସ ରୢାକେଟ୍‌ରେ ବାଂଲାଦେଶୀ ରୂପଜୀବୀଙ୍କୁ ଦେଖିବାକୁ ‌ମିଳୁଛି। ପଶ୍ଚିମବଙ୍ଗରୁ ଆସୁଥିବା କହୁଥିଲେ ମଧ୍ୟ ସେମାନେ ମୁଖ୍ୟତଃ ବାଂଲାଦେଶୀ। ସେମାନେ ପଶ୍ଚିମବଙ୍ଗରେ ଅନୁପ୍ରବେଶ କରିବା ସହ ସେଠାକାର ଆଧାର କାର୍ଡ ପ୍ରସ୍ତୁତ କରି ଓଡ଼ିଶା ମୁହାଁ ହେଉଛନ୍ତି। ୨୦୨୦ରେ କମିସନରେଟ୍‌ ପୁଲିସ ପଞ୍ଝାରେ ଏକ ବାଂଲାଦେଶୀ ରୂପଜୀବୀ ରୢାକେଟ୍‌ ଧରାପଡ଼ିଥିଲା। ପୁରୁଣା ଭୁବନେଶ୍ବରର ଏକ ଭଡ଼ା ଘରେ ଚଢ଼ଉ ବେଳେ ୬ ବାଂଲାଦେଶୀ ଯୁବତୀ ଉଦ୍ଧାର ହୋଇଥିଲେ। ମାମଲାରେ ଲକ୍ଷ୍ମୀସାଗର ଥାନା ପୁଲିସ ୩ଜଣ ଓଡ଼ିଆ ଦଲାଲଙ୍କୁ ମଧ୍ୟ ଗିରଫ କରିଥିଲା। ମାଷ୍ଟରମାଇଣ୍ଡ ପିପିଲିରୁ ଧରାପଡ଼ିଥିଲା। ଯେଉଁମାନେ କି ବାଂଲାଦେଶୀ ରୂପଜୀବୀଙ୍କୁ ଭୁବନେଶ୍ବର ଆଣିବା ସହ ଏଠାରେ ବିଭିନ୍ନ କାର୍ଯ୍ୟରେ ଲଗାଉଥିଲେ। ଉଦ୍ଧାର ଯୁବତୀମାନେ ଅଭିଯୋଗ କରିଥିଲେ ଯେ ଏହି ଦଲାଲମାନେ ସେମାନଙ୍କ ନକଲି ଆଧାରକାର୍ଡ ସହ ସମସ୍ତ ପ୍ରକାରର ଜାଲ କାଗଜପତ୍ର ପ୍ରସ୍ତୁତ କରୁଥିଲେ। ସେମାନଙ୍କୁ ଏଠାରେ ସେକ୍ସ ରୢା‌କେଟ୍‌ରେ ମିଶାଇ ଟଙ୍କା ରୋଜଗାର କରୁଥିଲେ। ୨୦୨୦ର ଏହି ଘଟଣା ପରେ ବାଂଲାଦେଶୀ ରୂପଜୀବୀଙ୍କ ଆଗମନ କିଛି ମାତ୍ରାରେ କମିଥିଲା। କିନ୍ତୁ ଏବେ ବି ଅନେକ ରୂପ‌ଜୀବୀ ସହରର ବିଭିନ୍ନ ମସାଜ୍‌ ସେଣ୍ଟର, ସ୍ପାରେ କାର୍ଯ୍ୟରତ ରହିଥିବା ବିଭିନ୍ନ ସମୟରେ ଅଭିଯୋଗ ଆସୁଛି।

ଭୁବନେଶ୍ବରରେ ଯାଞ୍ଚ କେବେ?
ଗୁଇନ୍ଦା ରିପୋର୍ଟ ଆଧାରରେ ଦେଶର ପ୍ରମୁଖ ସହରରେ ବାଂଲାଦେଶୀଙ୍କ ଯାଞ୍ଚ ପ୍ରକ୍ରିୟାର ହୋଇଛି। କେଉଁଠି କେତେ ରହିଛନ୍ତି ତାହାର ଅନୁଧ୍ୟାନ କରାଯାଉଥିଲେ ମଧ୍ୟ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଯାଞ୍ଚ ହୋଇନାହିଁ। ଗତ ନଭେମ୍ବର ମାସରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରୋହିଙ୍ଗ୍ୟା ଓ ବାଂଲାଦେଶୀ ପ୍ରବାସୀମାନଙ୍କ ଉପସ୍ଥିତି ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ଏକ ରିପୋର୍ଟ ଅନୁଯାୟୀ, ଲକ୍ଷ୍ନୌ ପୌର ନିଗମର ଆଉଟ୍‌ସୋର୍ସିଂ କମ୍ପାନି ଓ ଠିକାଦାରମାନେ ନିଜ ସ୍ୱାର୍ଥ ପାଇଁ ଏହି ବିଦେଶୀ ପ୍ରବାସୀଙ୍କୁ ବଡ଼ ପରିମାଣରେ ସଫେଇ କର୍ମଚାରୀ ଭାବରେ ନିଯୁକ୍ତି ଦେଉଛନ୍ତି। ରାଜ୍ୟର ୧୦ଟି ପ୍ରମୁଖ ନଗର ନିଗମରେ ଦେଢ଼ ଲକ୍ଷରୁ ଅଧିକ ସନ୍ଦିଗ୍ଧ ସଫେଇ କର୍ମଚାରୀ ନିଯୁକ୍ତ ହୋଇଥିବା ଗୁଇନ୍ଦା ବିଭାଗର ସୂଚନା ପରେ ଲକ୍ଷ୍ନୌ ନଗର ନିଗମ ସମସ୍ତ ଆଉଟ୍‌ସୋର୍ସିଂ ଏଜେନ୍ସି କର୍ମଚାରୀଙ୍କ ପୁଲିସ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଭୁବନେଶ୍ବରରେ ଯାଞ୍ଚ ପ୍ରକ୍ରିୟା ଆଗେଇପାରୁ ନାହିଁ। ନା ଭୁବନେଶ୍ବର ମହାନଗର ନିଗମ ଏଥିପ୍ରତି ଦୃଷ୍ଟି ଦେଉଛି ନା କମିସନରେଟ୍‌ ପୁଲିସ। କେବେ ସେମାନଙ୍କୁ ଚିହ୍ନଟ କରାଯିବ ସେନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି।

ଡକାୟତିରେ ମଧ୍ୟ ସାମିଲ ଥିଲେ
କେବଳ ଯେ ରୂପଜୀବୀ ଭାବେ ଆସୁଛନ୍ତି ତାହା ନୁହେଁ, ଡକାୟତିରେ ବି ସାମିଲ ହୋଇଥିବାର ଇତିହାସ ରହିଛି। ୨୦୧୯ରେ ଇନ୍‌ଫୋସିଟି ଥାନା ଅଧୀନ ଲକ୍ଷ୍ମୀବିହାର ଓ ଚନ୍ଦ୍ରଶେଖରପୁର ଥାନା ଅଧୀନ କାନ ବିହାର ଫେଜ୍‌-୧ରେ ଦୁଇଟି ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇଥିଲା। ଦୁଇଜଣ ଅବସରପ୍ରାପ୍ତ ସୈନିକଙ୍କ ଘରେ ପଶି ଡକାୟତମାନେ ପରିବାର ଲୋକଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ପାଖାପାଖି ୪୦ ଲକ୍ଷ ଟଙ୍କା ଡକାୟତି କରିଥିଲେ। ବ୍ୟାପକ ଖୋଳତାଡ଼ ପରେ ଜଣାପଡ଼ିଥିଲା ଯେ ଦୁଇଜଣ ବାଂଲାଦେଶୀ ଡକାୟତ ସେକ୍ ନଜରୁଲ ଓ ସେକ୍ ସାଇଦୁଲ ଭୁବନେଶ୍ୱରରେ ଡକାୟତି କରିଥିଲେ। କମିସନରେଟ୍‌ ପୁଲିସ ଏମାନଙ୍କୁ ରିମାଣ୍ଡରେ ଆଣିଥିବା ବେଳେ ସେମାନେ ପୁଲିସ ନିକଟରେ ସ୍ୱୀକାର କରିଥିଲେ, ୨୦ଜଣ ବାଂଲାଦେଶୀ ଯୁବକ ଏକାଠି ହୋଇ ନକଲି ପାସପୋର୍ଟ ଜରିଆରେ ଭାରତରେ ପ୍ରବେଶ କରି ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଦିଲ୍ଲୀ, ତାମିଲନାଡୁ ଓ କର୍ଣ୍ଣାଟକରେ ସଶସ୍ତ୍ର ଡକାୟତି କରୁଥିଲେ। ନକଲି ନୋଟ୍‌ କାରବାର ସହ ବ୍ରାଉନ୍‌ସୁଗାର୍‌ କାରବାରରେ ଅନେକ ବାଂଲାଦେଶୀ ଗିରଫ ହୋଇଛନ୍ତି। ବା ସହ ବିଭିନ୍ନ ପ୍ରକାରର ଅପରାଧରେ ସଂପୃକ୍ତ ରହୁଛନ୍ତି।