କେତେ ଅଙ୍ଗାରକାମ୍ଳ ଶୋଷୁଛନ୍ତି ରାଜଧାନୀର ୪ ଜଙ୍ଗଲ?

ଖଣ୍ଡଗିରି: ଖଣ୍ଡଗିରି, ଉଦୟଗିରି, ଧଉଳି, ଶିଖରଚଣ୍ଡୀ ଭଳି ପ୍ରାକୃତିକ ଜଙ୍ଗଲ ନିଜ ଭିତରେ କେତେ ଅଙ୍ଗାରକାମ୍ଳ ଷ୍ଟକ୍‌ କରି ରଖିଛନ୍ତି, ତା’ର ଆକଳନ କରୁଛି ବାୟୋଡାଇଭର୍‌ସିଟି ବୋର୍ଡ। ବୈଜ୍ଞାନିକ ପ୍ରସାଦ କୁମାର ଦାସଙ୍କ ନେତୃତ୍ବରେ ୨୩ ଜଣିଆ ଟିମ୍‌ ଏହି କାର୍ଯ୍ୟ କରୁଛନ୍ତି। ଏଥିରେ ପଣ୍ଡୀଚେରି ବିଶ୍ବବିଦ୍ୟାଳୟର କିଛି ବିଦ୍ୟାର୍ଥୀ ମଧ୍ୟ ସାମିଲ ଅଛନ୍ତି।

ଖୁବ୍‌ ଶୀଘ୍ର ଏହାର ରିପୋର୍ଟ ଆସିଯିବ ବୋଲି ଆଶା ରହିଛି। ବିଶେଷଜ୍ଞଙ୍କ ଅନୁସାରେ ଅଙ୍ଗାରକାମ୍ଳ ଶୋଷିବା ହିଁ ଗଛର ପ୍ରକୃତିକୁ ସବୁଠାରୁ ବଡ଼ ଅବଦାନ। ଗଛର ପ୍ରକାର ଅନୁଯାୟୀ ଅଙ୍ଗାରକାମ୍ଳ ଗ୍ରହଣ କରେ। ସ୍ବୟଂ ସମ୍ପୂର୍ଣ୍ଣ ଗଛ ହାରାହାରି ୪୮ ପାଉଣ୍ଡ ଅଙ୍ଗାରକାମ୍ଳ ଗ୍ରହଣ କରେ। କେବଳ ସମ୍ପୂର୍ଣ୍ଣ ଭାବରେ ଗଛକୁ ହାଣି ଦେଲେ ନୁହେଁ, ଗଛର ପତ୍ରଟିଏ ଛିଣ୍ଡାଇଦେଲେ ମଧ୍ୟ ତା’ର ଅଙ୍ଗାରକାମ୍ଳ ଗ୍ରହଣ କ୍ଷମତା ସେତେ ହ୍ରାସ ପାଏ। ତେଣୁ ଯେତେ ଗଛ ନଷ୍ଟ ହେବ, ପରିବେଶ ପ୍ରତି ବିପଦ ସୃଷ୍ଟି କରିବ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଉପକଣ୍ଠସ୍ଥିତ ଏହି ଚାରି ପ୍ରାକୃତିକ ଜଙ୍ଗଲର ଗଛ ସଂଖ୍ୟା, ଗଛର ପ୍ରକାର ସଂଖ୍ୟା ଏବଂ କେତେ ଅଙ୍ଗାରକାମ୍ଳ ଶୋଷୁଛନ୍ତି ତାକୁ ନେଇ ଆକଳନ କରାଯାଉଛି। ଏଥିମଧ୍ୟରୁ ବିରଳ, ଔଷଧୀୟ ବୃକ୍ଷ ଚିହ୍ନଟ, ଜଳବାୟୁ ପରିବର୍ତ୍ତନ ପାଇଁ କେତେ ଅଙ୍ଗାରକାମ୍ଳ ଷ୍ଟକ୍‌ ସେଠାରେ ରହିଛି, ତାହା ଜାଣିବା ଏହି ଆକଳନର ଉଦ୍ଦେଶ୍ୟ ବୋଲି କହିଛନ୍ତି ବୈଜ୍ଞାନିକ ପ୍ରସାଦ କୁମାର।

ସମ୍ବନ୍ଧିତ ଖବର