ପଲିଥିନ ତଳେ ଆଉ କେତେ କାଳ? ପ୍ରତିଶ୍ରୁତିରେ ଲଟକିଛି ଆବାସ ଯୋଜନା

ବାଲିଅନ୍ତା: ସରକଣା ପଞ୍ଚାୟତ ବାଲିଗୁଣ୍ଡି ଗାଁର ପ୍ରଫୁଲ୍ଲ ଭୋଇ ଜଣେ ଦଳିତ ବର୍ଗର ଗରିବ ବ୍ୟକ୍ତି। ପତ୍ନୀ ସୁବାସିନୀ, ୪ ଝିଅ ଓ ଏକମାତ୍ର ପୁଅ ଏମିତି ୬ ପ୍ରାଣୀ କୁଟୁମ୍ବକୁ ନେଇ ପ୍ରଫୁଲ୍ଲଙ୍କ ପରିବାର। ଗାଁର ସ୍ଥାୟୀ ବାସିନ୍ଦା। ମାତ୍ର ବର୍ଷ ବର୍ଷ ଧରି ଗାଁ ମୁଣ୍ଡ ଧନୁଆ ନଦୀବନ୍ଧରେ ଝାଟିମାଟିର ଖଣ୍ଡିଆ ଦଦରା କାନ୍ଥ ଓ ପଲିଥିନ୍‌ ଛପର ଘରେ ମୁଣ୍ଡ ଗୁଞ୍ଜିଛି ଏହି ପରିବାର। ଭୂମିହୀନ ହୋଇଥିଲେ ବି ପ୍ରଫୁଲ୍ଲଙ୍କୁ ମିଳିପାରିନି ଜମି। ତେଣୁ ଆବାସ ଯୋଜନାରେ ଘର ତାଙ୍କ ପାଇଁ ସ୍ବପ୍ନ ପାଲଟିଛି। ବର୍ଷ ସାରା ଖରା, ବର୍ଷା ଓ ଶୀତ କାକରରେ ଗୋଟିଏ ବଖରା ଭଙ୍ଗା ଦଦରା ଘରେ ବଡ଼ ହୀନସ୍ତାରେ ଚଳୁଛି ପ୍ରଫୁଲ୍ଲଙ୍କ ପରିବାର।

ଜେଜେବାପାଙ୍କ ଅମଳରୁ ପ୍ରଫୁଲ୍ଲ ଭୂମିହୀନ। ତେଣୁ ବସୁନ୍ଧରା ଯୋଜନାରେ ଘରଡିହ ପାଇଁ ଜମି ଯୋଗାଇ ଦେବାକୁ ସେ ବ୍ଲକ୍‌ ପ୍ରଶାସନର ଦ୍ବାରସ୍ଥ ହୋଇ ହୋଇ ହତାଶ ହୋଇପଡ଼ିଲେଣି। ସ୍ଥାୟୀ ଜମି ନଥିବାରୁ ଆବାସ ଯୋଜନାରେ ପକ୍କା ଘର ମିଳୁନାହିଁ। ୧୯୯୯ ମସିହା ମହାବାତ୍ୟା ଓ ଫନି ବାତ୍ୟାରେ ଦୁଇ ଦୁଇ ଥର ତାଙ୍କ ଝୁମ୍ପୁଡ଼ି ଘର କ୍ଷତିଗ୍ରସ୍ତ ହୋଇଥିଲା। ମାତ୍ର ସେଇଟି ସରକାରୀ ଜମିରେ ଜବରଦଖଲ ଘର ବୋଲି ତାଙ୍କୁ କିଛି ବି ସହାୟତା ମିଳିଲା ନାହିଁ। ପୂର୍ବତନ ସରପଞ୍ଚ ସୂର୍ଯ୍ୟନାରାୟଣ ଦାସ ଏନେଇ ବାଲିଅନ୍ତା ତହସିଲଦାରଙ୍କୁ ଜଣାଇଥିଲେ।

ମାତ୍ର ଫଳ ଶୂନ। ଜିଲ୍ଲାପାଳକଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ପ୍ରଫୁଲ୍ଲ ଅନେକଥର ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାହା ବି କାର୍ଯ୍ୟକାରୀ ହୋଇପାରିନାହିଁ। ବିଧାୟକ ଅରବିନ୍ଦ ଢାଲିଙ୍କୁ ମଧ୍ୟ ପ୍ରଫୁଲ୍ଲ ଗୁହାରି କରିଛନ୍ତି। ହେଲେ ସବୁଠି ତାଙ୍କୁ କେବଳ ପ୍ରତିଶ୍ରୁତି ମିଳିଛି। ଏବେ ପ୍ରଫୁଲ୍ଲ ଅସହାୟ ହୋଇପଡ଼ିଛନ୍ତି। ସବୁ ଦିଗରୁ ଆଶା ମଉଳି ଯାଇଛି। ତେଣୁ ଭାଗ୍ୟକୁ ଆଦରି ପଡ଼ି ରହିବା ଛଡ଼ା ସେ ଆଉ କ’ଣ କରି‌ପାରିବେ ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି।

ସମ୍ବନ୍ଧିତ ଖବର