ଡେଙ୍ଗୁରେ କେତେ ଆକ୍ରାନ୍ତ? କାହା ପାଖରେ ହିସାବ ନାହିଁ

ନୀଳାଦ୍ରିବିହାରରେ ଡେଙ୍ଗୁ ପରୀକ୍ଷା କ୍ୟାମ୍ପ, ୩୦ରୁ ଅଧିକ ନମୁନା ପରୀକ୍ଷା, ଆଜି ରିପୋର୍ଟ

ଚନ୍ଦ୍ରଶେଖରପୁର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କେତେ? ଏକ ଅଙ୍କରେ ଅଛି, ନା ଦୁଇ ଅଙ୍କ ପାର୍‌ ହୋଇଛି। ନା ତିନି ଅଙ୍କରେ ପହଞ୍ଚିଲାଣି। ତାହାର ଖବର କାହା ପାଖରେ ନାହିଁ। ବିଏମ୍‌ସି ଅଧିକାରୀ ହିସାବ ରଖିଛନ୍ତି ନା ସ୍ବାସ୍ଥ୍ୟ ଅଧିକାରୀ। କେହି ବି ଜାଣିନାହାନ୍ତି ସଂଖ୍ୟା କେତେ? ତିନି ଦିନ ତଳେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଥିଲେ ଯେ ୬ ଜଣ ଆକ୍ରାନ୍ତ ହୋଇଛନ୍ତି। ‌ତା’ପୂର୍ବରୁ ଓ ପରେ କେତେ ଆକ୍ରାନ୍ତ ହେଲେଣି ସେନେଇ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଖବର ନାହିଁ। ଯେତେବେଳେ କି ନୀଳାଦ୍ରିବିହାର ଓ ଶୈଳଶ୍ରୀବିହାରରେ ଡେଙ୍ଗୁ କାୟା ମେଲାଇ ଚାଲିଛି। ପ୍ରତିଦିନ କୌଣସି ନା କୌଣସି ଘରୁ ଜଣେ କିମ୍ବା ଦୁଇ ଜଣ ଜ୍ବରରେ ପୀଡ଼ିତ ହେଉଛନ୍ତି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଡେଙ୍ଗୁ କେବଳ ଏହି ଅଞ୍ଚଳରେ ବ୍ୟାପୀ ନାହିଁ। ବରଂ କଳ୍ପନା ଅଞ୍ଚଳରେ ବି ବଢ଼ିଚାଲିଛି। ଲୋକେ ଜ୍ବରରେ ପଡ଼ୁଥିଲେ ମଧ୍ୟ ପରୀକ୍ଷା କରୁ ନ ଥିବାରୁ ସ୍ପଷ୍ଟ ଚିତ୍ର ପଦାକୁ ଆସିପାରୁନି। ଅଧିକାଂଶ ଲୋକ ଘରୋଇ ମେଡିକାଲରେ ଡେଙ୍ଗୁ ପରୀକ୍ଷା କରୁଥିବାରୁ ସେମାନଙ୍କ ହିସାବ ସ୍ବାସ୍ଥ୍ୟ କି ବିଏମ୍‌ସି ଅଧିକାରୀଙ୍କ ପାଖରେ ରହୁନି। କେବଳ କ୍ୟାପିଟାଲ ହସ୍ପିଟାଲ ଓ ଆରଏମ୍‌ଆରସି ରିପୋର୍ଟ ଆଧାରରେ ଏତେ ଆକ୍ରାନ୍ତ ହେଲେ ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ ରିପୋର୍ଟ ପ୍ରଦାନ କରୁଛନ୍ତି। ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ପଦାକୁ ଆସୁ ନ ଥିବାରୁ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ଆଜି ସନ୍ଧ୍ୟାରେ ନୀଳାଦ୍ରିବିହାର ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତାହା ଡେଙ୍ଗୁ ଜନିତ ବୋଲି ଗୁଜବ ସୃଷ୍ଟି ହୋଇଥିବାରୁ ଲୋକେ ଡରିଯାଇଛନ୍ତି।

ଅନ୍ୟପକ୍ଷରେ ଡେଙ୍ଗୁ ମୁକାବିଲା ନେଇ ଅଣ୍ଟା ଭିଡ଼ିଛି ବିଏମ୍‌ସି। ଲଗାତାର ତୃତୀୟ ଦିନ ପାଇଁ ନୀଳାଦ୍ରିବିହାର ଓ ଶୈଳଶ୍ରୀ ବିହାରରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ଘରକୁ ଘର ବୁଲି ସାଚତନତା କରାଯିବା ସହ ସନ୍ଦେହ ଘେରକୁ ଆସୁଥିବା ବ୍ୟକ୍ତିଙ୍କ ଡେଙ୍ଗୁ ପରୀକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଆରଏମ୍‌ଆରସି ପକ୍ଷରୁ ନୀଳାଦ୍ରିବିହାର ସହରାଞ୍ଚଳ ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜିଠାରୁ ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୪୦ ଜଣଙ୍କର ଏଲିସା ଟେଷ୍ଟ ହୋଇଛି। ରାତି ସୁଦ୍ଧା କୌଣସି ରିପୋର୍ଟ ଆସି ନାହିଁ।

ବିଏମ୍‌ସି ଉତ୍ତର ଜୋନ୍‌ ଡେପୁଟି କମିସନର ପୁରନ୍ଦର ନନ୍ଦଙ୍କ କହିବାନୁଯାୟୀ ଡେଙ୍ଗୁ ରୋଗ ମୁକାବିଲା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁମାନଙ୍କଠାରେ ଲକ୍ଷଣ ପରିଲକ୍ଷିତ ହେଉଛି ସେମାନେ ତୁରନ୍ତ ପରୀକ୍ଷା କରି ନିଅନ୍ତୁ। ନୀଳାଦ୍ରିବିହାର ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଆଜିଠାରୁ ଆରଏମ୍‌ଆରସି ସହାୟତାରେ ଟେଷ୍ଟିଂ ଆରମ୍ଭ ହୋଇଛି। ଆଗକୁ ଏଠାରେ ବି କ୍ୟାମ୍ପସ ଜାରି ରହିବ। ଲୋକେ ଏଠାକୁ ଆସି ଡେଙ୍ଗୁ ପରୀକ୍ଷା କରିପାରିବେ। ଆଜି ସ୍ବଚ୍ଛ ସାଥୀ, ସ୍ବୟଂ ସହାୟକ ଗୋଷ୍ଠୀ, ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ସହାୟତାରେ ଲୋକଙ୍କୁ ସଚେତନ କରାଯାଉଛି। ମଶା ଧୂଆଁ ଓ ତେଲ ପକା ଜାରି ରହିଛି। ରାସ୍ତା‌ପାର୍ଶ୍ବ ସଫେଇ ଉପରେ ବି ପ୍ରାଥମିକତା ଦିଆଯାଇଛି।

ତେବେ ବସ୍ତି ଅଞ୍ଚଳରେ ଠିକ୍‌ ଭାବେ ସଫେଇ ହେଉ ନ ଥିବାରୁ ଲୋକେ ଅଭିଯୋଗ କରିଛନ୍ତି। ବସ୍ତିବାସିନ୍ଦା ରାଜଦୀପ୍ ନାୟକ କହିଛନ୍ତି ଯେ ବସ୍ତିରେ ଯୁଆଡ଼େ ଦେଖିବେ ଅପରିଷ୍କାର। ନାଳ ହେଉ କି ନର୍ଦମା ସବୁଠି ମଶା। ବର୍ତମାନ ବିଏମସି ପକ୍ଷରୁ ଅଧିକାରୀମାନେ ଘର ଘର ବୁଲି ସଚେତନ କରାଉଛନ୍ତି। ମାତ୍ର ସଚେତନତା ବାର୍ତା ମାନିବାକୁ ବସ୍ତିବାସିନ୍ଦା ନାରାଜ। ଲୋକେ ନିଜ ଅଗଣା ସଫାସୁତୁରା ରଖୁ ନଥିବାରୁ ପରିବେଶ ଅପରିଷ୍କାର ହେବା ସହ ଡେଙ୍ଗୁ ବ୍ୟାପୁଛି। ରାଣୀପ୍ରିୟା ଦାସ ଅଭିଯୋଗ କରିଛନ୍ତି ଯେ ସଠିକ୍‌ ଭାବେ ମଶା ଧୂଆଁ ଦିଆଯାଉ ନାହିଁ। କେଉଁଠି କେଞ୍ଚାଏ ତପୁଣି କେଉଁଠି ମେଞ୍ଜାଏ ଧୂଆଁ ମାଡ଼ି ଯାଉଛି। ‌ଜମି ରହିଥିବା ସନ୍ତସନ୍ତିଆ ସ୍ଥାନରେ ସଠିକ୍‌ ଭାବେ ‌ଓୗଷଧ ପକାଯାଉ ନାହିଁ। ବସ୍ତି ଅଞ୍ଚଳ ପ୍ରତି ବିଏମ୍‌ସି ନଜର ପଡ଼ୁ।

ସମ୍ବନ୍ଧିତ ଖବର