ଭାଷାଭିତ୍ତିରେ ଓଡ଼ିଶା ପ୍ରଥମ ରାଜ୍ୟ। ଓଡ଼ିଆ ଭାଷାକୁ ବି ଶାସ୍ତ୍ରୀୟ ମାନ୍ୟତା ମିଳିଛି। ହେଲେ ଭାଷାର ଯେଉଁ ବିକାଶ ହେବା କଥା, ତାହା ହୋଇପାରିନି। ଓଡ଼ିଆରେ ସରକାରୀ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ, ଘୋଷଣାର ରହିଯାଇଛି। ସରକାରୀ କାର୍ଯ୍ୟାଳୟରୁ ସତେଯେପରି ‘ଓଡ଼ିଆ’ ଉଭାନ ହୋଇଯାଇଛି। ବସ୍, ଦୋକାନମାନଙ୍କରେ ବି ଓଡ଼ିଆ ନାମଫଳକ ଦେଖିବାକୁ ମିଳୁନି। ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ଲାଗି ବିଶେଷ କାର୍ଯ୍ୟ ହେଉନି। ସବୁଠୁ ବଡ଼ କଷ୍ଟ ଦେଉଛି ଓଡ଼ିଆରେ ହିନ୍ଦୀ, ଇଂରାଜୀର ଖଣ୍ଡି ପ୍ରୟୋଗ। ଏହାଦ୍ବାରା ଓଡ଼ିଆର ଗୌରବ ନଷ୍ଟ ହେଉଛି। ସ୍ବତନ୍ତ୍ର ପ୍ରଦେଶ ଗଠନର ୮୬ ବର୍ଷ ପରେ ବି ଓଡ଼ିଶା ଓ ଓଡ଼ିଆ ଭାଷା କେତେ ଅଗ୍ରଗତି କରିଛି, ତାହା ବିଚାର କରିବାର ସମୟ ଆସିଛି। ପବିତ୍ର ଉତ୍କଳ ଦିବସ ଅବସରରେ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ମତକୁ ନେଇ ‘ସମ୍ବାଦ’ର ଏହି ସ୍ବତନ୍ତ୍ର ଉପସ୍ଥାପନା...
ଓଡ଼ିଆ ଗୀତରେ ହିନ୍ଦୀ, ଇଂରାଜୀ ଶବ୍ଦ ବ୍ୟବହାର ନ ହେଉ
ଓଡ଼ିଆଣୀ ବୋଲି ମୁଁ ନିଜକୁ ବହୁତ ଗର୍ବିତ ମନେ କରେ। ଓଡ଼ିଶାର ଭାଷା, ଗୀତ, ନୃତ୍ୟ, ଇତିହାସ ସବୁ ଖୁବ୍ ମିଠା ଓ ସୁନ୍ଦର। ସଙ୍ଗୀତ ସହ ଯୋଡ଼ି ହୋଇଥିବା ମଣିଷଟିଏ ହୋଇଥିବାରୁ ଓଡ଼ିଆ ସଙ୍ଗୀତକୁ ନେଇ ଟିକିଏ ଚିନ୍ତିତ। ଏବେ ବନ୍ଦେ ଉତ୍କଳ ଜନନୀ ଗୀତଟି ଅନେକ ଲୋକ ବିଭିନ୍ନ ଧୁନ୍ରେ ତିଆରି କରୁଛନ୍ତି। ହେଲେ ପୂର୍ବ ପାରମ୍ପରିକ ଧୁନ୍ରେ ଗୀତଟି ଅଧିକ ମନଛୁଆଁ ଓ ମଧୁର। ଏବେ ଓଡ଼ିଆ ସଂସ୍କୃତିକୁ ଅନୁସରଣ ନକରି ଯୁବପିଢ଼ି ଅନ୍ୟ ସଂସ୍କୃତିକୁ ଅଧିକ ଅନୁସରଣ କରିବା ଦେଖିବାକୁ ମିଳୁଛି। ଓଡ଼ିଶାର ଭାଷା ଓ ଶବ୍ଦ ଅତି ଉଚ୍ଚକୋଟୀର ହୋଇଥିଲେ ମଧ୍ୟ ଓଡ଼ିଆ ଗୀତରେ ହିନ୍ଦୀ ଓ ଇଂରାଜୀ ଶବ୍ଦ ବ୍ୟବହାର କରି ଏହାର ଗାରିମାକୁ କ୍ଷୁଣ୍ଣ କରାଯାଉଛି, ଯାହା ଗ୍ରହଣୀୟ ନୁହେଁ। କେବେ କେବେ ଟିକିଏ ଅଲଗା ଭଲ ଲାଗେ। ହେଲେ କେହି ନିଜ ସଂସ୍କୃତି, ପରମ୍ପରାକୁ ଭୁଲି ଆଗକୁ ବଢ଼ିବା ଠିକ୍ ନୁହେଁ।
ଗୀତା ଦାସ, ଗାୟିକା
୧୫୦ ଦେଶରେ ଓଡ଼ିଶୀ ପରିବ୍ୟାପ୍ତ ହେବା କିଛି କମ୍ କଥା ନୁହେଁ
ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ପଙ୍କଜ ଚରଣ ଦାସ, ଗୁରୁ ଦେବପ୍ରସାଦ ଦାଶ ତିଆରି କରିଯାଇଥିବା ଓଡ଼ିଶୀ ଶିକ୍ଷାକୁ ସମଗ୍ର ପୃଥିବୀ ଆଜି ସ୍ବାଗତ କରିଛି। ପ୍ରତ୍ୟେକ ଓଡ଼ିଆ ଆଜି ଗର୍ବ କରିବା କଥା ଯେ ଓଡ଼ିଶାରୁ ଓଡ଼ିଶୀ ବାହାରି ଏବେ ୧୫୦ଟି ଦେଶରେ ପରିବ୍ୟାପ୍ତ। ସେଠାକାର ବାସିନ୍ଦା ମଧ୍ୟ ଓଡ଼ିଶୀ ନୃତ୍ୟର ଅଭ୍ୟାସ କରୁଛନ୍ତି। ସମଗ୍ର ରାଜ୍ୟ ପାଇଁ ଏହା ଉତ୍ସବଠାରୁ କିଛି କମ୍ ନୁହେଁ। ଓଡ଼ିଶୀକୁ ଆହୁରି ସୁଦୂର ପ୍ରସାରୀ କରିବାକୁ ଚେଷ୍ଟା କରିବା ପାଇଁ ଉତ୍କଳ ଦିବସରେ ପ୍ରତ୍ୟେକ ଓଡ଼ିଆ ଶପଥ ନେବା ଉଚିତ।
ରତିକାନ୍ତ ମହାପାତ୍ର, ଓଡ଼ିଶୀ ନୃତ୍ୟଶିଳ୍ପୀ
ବଙ୍ଗୋପସାଗରର ନାମ କଳିଙ୍ଗସାଗର ହେଉ
ଓଡ଼ିଶାରେ ସୀମାନ୍ତ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ କାମ କରିବା ଆବଶ୍ୟକ। ସୀମା ସମସ୍ୟା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସୀମାନ୍ତ ଅଞ୍ଚଳ ବିକାଶ ପରିଷଦ ଗଠନ କରିବା ଆବଶ୍ୟକ। ସେହିପରି ଓଡ଼ିଶାରେ ୫୦୦ କିମିରୁ ଅଧିକ ବେଳାଭୂମି ଥିଲେ ମଧ୍ୟ ଏହାର ନାମ ବଙ୍ଗୋପସାଗର ରଖାଯାଇଛି। ଏହାର ନାମ ଆଗରୁ କଳିଙ୍ଗସାଗର ଥିଲା। ଉକ୍ତ ନାମକୁ ପୁନଃ କଳିଙ୍ଗ ସାଗରକୁ ବଦଳାଇବା ଆବଶ୍ୟକ। ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ, ହେଲେ ବିଚ୍ଛିନ୍ନାଞ୍ଚଳରେ ଅନେକ ଓଡ଼ିଆ ରହିଯିବା ଫଳରେ ଆମ ଓଡ଼ିଆ ଭାଷା ବିଲୁପ୍ତ ହେଉଛି। ଏହାର ସୁରକ୍ଷା ଓ ବିକାଶର ଆବଶ୍ୟକତା ରହିଛି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଡ଼ିଆ ଭାଷାର ବିକାଶ ପାଇଁ କିଛି କରାଯାଇପାରୁନାହିଁ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମୂର୍ତ୍ତି ସଂସଦ ଭବନରେ ପ୍ରତିଷ୍ଠା କରାଯିବା ଆବଶ୍ୟକ। ଓଡ଼ିଆ ଜାତିର ଉନ୍ନତି ପାଇଁ ଏହି ପଦକ୍ଷେପ ନେଲେ, ଓଡ଼ିଶାର ଲୋକେ ନିଜକୁ ଓଡ଼ିଆ କହିବା ପାଇଁ ଆହୁରି ଗର୍ବ ଅନୁଭବ କରିବେ।
ଦିଲ୍ଲୀପ ଦାଶଶର୍ମା, ସଭାପତି,
ଉତ୍କଳ ସମ୍ମିଳନୀ, ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଶାଖା, ଭୁବନେଶ୍ବର
ନିଖୁଣ କଳା ପ୍ରଦର୍ଶନ ପାଇଁ ଖାଲି ଅଭ୍ୟାସ ଦରକାର
ନିଜ କଳାକୁ ନିଜେ ହିଁ ସୁନ୍ଦର କରି ଗଢ଼ି ତୋଳିବାର ଆବଶ୍ୟକତା ରହିଛି। ନିଖୁଣ କଳା ପ୍ରଦର୍ଶନ କରିବା ପାଇଁ ଏବେ କେବଳ ଅଭ୍ୟାସର ଆବଶ୍ୟକତା ରହିଛି। କଟକ, ଭୁବନେଶ୍ୱର, ରାଉରକେଲା ଭଳି ସହରରେ କଳା ସୀମିତ ନ ରହି ସମଗ୍ର ରାଜ୍ୟରେ ଏହାର ପ୍ରସାର କରିବା ଦରକାର। ଏଥିରେ ଅଭିଭାବକମାନଙ୍କ ନିଷ୍ପତ୍ତି ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଛୋଟବେଳୁ ଶିକ୍ଷା ନେଉଥିବା ପିଲା ନୃତ୍ୟରେ ଭଲ କରି ଆସିବା ବେଳକୁ ତାର ଉଚ୍ଚଶିକ୍ଷା ପାଇଁ ଅଭିଭାବକ ତାଙ୍କୁ କାଳରୁ ଦୂରେଇ ଦେଉଛନ୍ତି। ଏହା ଉଭୟ ଗୁରୁ ଓ ଆଗାମୀ ପିଢ଼ିର କଳାକାରଙ୍କ ପାଇଁ ଦୁଃଖଦାୟକ। ସମନ୍ବୟ ରକ୍ଷା କରି ଶିକ୍ଷା ଓ କଳା ଚାଲିଲେ ରାଜ୍ୟର ସଂସ୍କୃତି ଆହୁରି ଆଗକୁ ଯାଇପାରିବ।
ଗୁରୁ ଶରତ ଦାସ, ସଙ୍ଗୀତଜ୍ଞ