କେତେ ସୁରକ୍ଷିତ ଶ୍ରୀଲିଙ୍ଗରାଜ ମନ୍ଦିର! ତନ୍ନତନ୍ନ କରି ଯାଞ୍ଚ କଲା ଏନ୍‍ଏସ୍‍ଜି ଟିମ୍

ଆତଙ୍କୀ ହମ୍‌ଲା ହେଲେ ମୁକାବିଲା ହେବ କେମିତି, ମନ୍ଦିର ଚାରିପଟେ ବୁଲିଲା ଡ୍ରୋନ୍‌ କ୍ୟାମେରା

ପୁରୁଣା ଭୁବନେଶ୍ୱର: ଆଜି ଶ୍ରୀଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ତନ୍ନତନ୍ନ କରି ଅନୁଧ୍ୟାନ କରିଛି ନ୍ୟାସ୍‍ନାଲ୍‍ ସିକ୍ୟୁରିଟି ଗାର୍ଡ (ଏନ୍‍ଏସ୍‍ଜି)ର ସ୍ବତନ୍ତ୍ର ଟିମ୍। ବିଶେଷକରି ଆତଙ୍କୀ ହମ୍‌ଲା ସମୟରେ ମନ୍ଦିରର ସୁରକ୍ଷା ପାଇଁ କି ବ୍ୟବସ୍ଥା ରହିଛି, ତାହା ଉପରେ ତଦାରଖ କରିଛନ୍ତି। ପ୍ରାୟ ଅଢ଼େଇ ଘଣ୍ଟାର ଯାଞ୍ଚ ପ୍ରକ୍ରିୟାରେ ମନ୍ଦିରରେ ଲାଗିଥିବା ସିସିଟିଭି, ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ବନ୍ଧୁକଧାରୀ ସୁରକ୍ଷାକର୍ମୀ, ୱାଚ୍‌ ଟାୱାର ବ୍ୟବସ୍ଥା, ସମ୍ବେଦନଶୀଳ ସ୍ଥାନ ଓ ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟା ଆଦି ବାବଦରେ ଏନ୍‌ଏସ୍‌ଜି ଅଧିକାରୀମାନେ ପଚାରି ବୁଝିଛନ୍ତି।

ଆଜି ମଧ୍ୟାହ୍ନରେ ଏନ୍‍ଏସ୍‍ଜିର ତିନି ଅଧିକାରୀ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିରର ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସବୁକୁ ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ପୁଲିସ ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତମାନଙ୍କ ସହ ବୁଲି ମନ୍ଦିର ଭିତର ଓ ବାହାର ନକ୍ସା ଦେଖିଥିଲେ। କମିସନରେଟ୍‌ ପୁଲିସ ପକ୍ଷରୁ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି, ସ୍ବତନ୍ତ୍ର ଯାତ୍ରା ଓ ଭିଡ଼ ବେଳେ ଅଧିକ କି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯା‌ଏ ବୋଲି ପଚାରି ବୁଝିଥିଲେ। ସେହିଭଳି ମନ୍ଦିରର କେତୋଟି ପ୍ରବେଶ ପଥ ରହିଛି, କେଉଁ ସମୟରେ କେତେ ଭକ୍ତ ଆସୁଛନ୍ତି, କେତୋଟି ସିସିଟିଭି କ୍ୟାମେରା ଲାଗିଛି, ଓଡ଼ିଶା ପୁଲିସ କେତେ ଜଣ ଡ୍ୟୁଟି କରୁଛନ୍ତି, ରାତିରେ କିପରି ଡ୍ୟୁଟି କରାଯାଉଛି, କେତେ ଜଣ ବନ୍ଧୁକଧାରୀ କେଉଁ ସମୟରେ ରହୁଛନ୍ତି, ସେବାବଦରେ ତଦାରଖ କରିଥିଲେ। ସେହିପରି ମେଟାଲ୍‌ ଡିଟେକ୍ଟର ଅଛି କି ନାହିଁ ଓ ୱାଚ୍‌ ଟାୱାର୍ ରେ ସୁରକ୍ଷା କର୍ମଚାରୀ କିଭଳି କର୍ତ୍ତବ୍ୟ ସମ୍ପାଦନ କରନ୍ତି, ସେ ସମ୍ପର୍କରେ ପଚାରିଥିଲେ। ମନ୍ଦିରଠାରୁ ଥାନାର ଦୂରତା, ମନ୍ଦିର ପାଚେରିର ଉଚ୍ଚତା ଓ ମନ୍ଦିରରୁ ବାହାରିବା ପରେ କେଉଁ କେଉଁ ଦିଗକୁ ରାସ୍ତାସବୁ ଯାଇଛି, ସେ ସମ୍ପର୍କରେ ବୁଝିଥିଲେ। ଅପରାହ୍ନରେ ମନ୍ଦିର ଚତୁଃପାର୍ଶ୍ବରେ ଏନ୍‍ଏସ୍‍ଜି ପକ୍ଷରୁ ଏକ ଡ୍ରୋନ୍‌ କ୍ୟାମେରା ବୁଲି ଭିଡିଓ ଚିତ୍ର ଉତ୍ତୋଳନ କରିଥିଲା। ପ୍ରଶାସନ ଓ ସେବାୟତମାନଙ୍କ ତଥ୍ୟ ସହିତ ଭିଡିଓ ଚିତ୍ରକୁ ପରେ ଅଧିକାରୀମାନେ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି।

ପ୍ରବେଶ ପଥ ସହ ସଂଯୋଗ ରାସ୍ତା ଯାଞ୍ଚ କଲେ
ରାତିରେ ସୁରକ୍ଷାକର୍ମୀଙ୍କ ଡ୍ୟୁଟି ପରଖିଲେ
ୱାଚ୍‌ ଟାୱାର ନାହିଁ କି ମେଟାଲ୍‌ ଡିଟେକ୍ଟର ନାହିଁ

ସୂଚନାଯୋଗ୍ୟ ଯେ ବିଶ୍ବ ପ୍ରସିଦ୍ଧ ଏହି ମନ୍ଦିରରେ କେବେ ହଠାତ୍‌ ଆତଙ୍କୀ ଆକ୍ରମଣ ହେଲେ, ଏନ୍‍ଏସ୍‍ଜି ଟିମ୍‌ ହାଇଦ୍ରାବାଦ୍‌ରୁ ଆସିବା ବେଳକୁ ବହୁ ବିଳମ୍ବ ହୋଇଯାଇଥିବ। ଏଣୁ ପ୍ରଥମେ ଓଡ଼ିଶା ପୁଲିସ ହିଁ ମୁକାବିଲା କରିବ। ଏଥିପାଇଁ କମିସନରେଟ୍‌ ପୁଲିସର ଅଭିଜ୍ଞ ଅଧିକାରୀମାନଙ୍କୁ ସ୍ବତନ୍ତ୍ର ତାଲିମ୍ ଦିଆଯିବ। ସେହିଭଳି ମନ୍ଦିର ସହ ଜଡ଼ିତ ଥିବା ପୁଲିସ କର୍ମଚାରୀ ଓ ସ୍ଥାନୀୟ ଥାନାରେ ଥିବା ପୁଲିସ କର୍ମଚାରୀଙ୍କୁ ମଧ୍ୟ ଏହି ତାଲିମ୍‌ରେ ସାମିଲ କରାଯିବ। ଏଥିପାଇଁ ଏକ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯିବ। ପରେ ଏନ୍‍ଏସ୍‍ଜି ପକ୍ଷରୁ ତାଲିମ୍‌ ଦିଆଯିବ। ଏହା ପରେ ଆଗାମୀ ଦିନରେ ମକ୍‌ଡ୍ରିଲ୍‌ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି।

ଏ ନେଇ ପୂର୍ବତନ ପୁଲିସ ମହାନିର୍ଦେଶକ ସଞ୍ଜୀବ ମାରିକ୍‌ଙ୍କ କହିବା କଥା ପୁରୀ ଶ୍ରୀମନ୍ଦିର ପରି ଶ୍ରୀଲିଙ୍ଗରାଜ ମନ୍ଦିର ଏକ ଜାତୀୟ ଐତିହ୍ୟ କୀର୍ତିରାଜି। ଏହାର ସୁରକ୍ଷା ଏନ୍‍ଏସ୍‍ଜିର ଦାୟିତ୍ବ। ତେବେ ପ୍ରଥମେ ଓଡ଼ିଶା ପୁଲିସ ସମ୍ଭାବ୍ୟ ଆକ୍ରମଣକୁ ମୁକାବିଲା କରିବା ଲାଗି କାଳ୍ପନିକ ପ୍ରଶିକ୍ଷଣ ଦିଆଯିବା ଏକ ଉପଯୁକ୍ତ ପଦକ୍ଷେପ। ଓଡ଼ିଶା ପୁଲିସକୁ ଏନ୍‌ଏସ୍‌ଜି ପକ୍ଷରୁ ଏହି ତାଲିମ୍ ଦିଆଯିବା ଜରୁରୀ। ପ୍ରତିବର୍ଷ ଏପରି ତାଲିମ୍‌ର ଆବଶ୍ୟକତା ରହିଛି ବୋଲି ଶ୍ରୀ ମାରିକ୍‌ କହିଛନ୍ତି। ଏନେଇ ବରିଷ୍ଠ ଆଇନଜୀବୀ ଆତ୍ମ ପ୍ରକାଶ ମହାନ୍ତିଙ୍କ କହିବା ଅନୁଯାୟୀ ପୂର୍ବରୁ ୨୦୧୭ ଓ ୨୦୧୮ମସିହାରେ ଏନ୍‌ଏସ୍‌ଜି ପକ୍ଷରୁ ମକ୍‌ଡ୍ରିଲ୍‌ କରାଯାଇଥିଲା। ଏହାପରେ ଆଉ କରାଯାଇନାହିଁ। କେବଳ ମହାଶିବରାତ୍ରୀ ଆସିଲେ, ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଏ। ମନ୍ଦିରରେ ମେଟାଲ୍‌ ଡିଟେକ୍ଟର ନାହିଁ। ମନ୍ଦିର ଚାରିପଟେ ଓ୍ୱାଚ୍‌ ଟାଓ୍ୱାର ନିର୍ମାଣ ପ୍ରସ୍ତାବ ଫାଇଲ୍‌ରେ ଖତ ଖାଉଛି। ଏକାମ୍ର ବିକାଶ ଯୋଜନାରେ ୱାଚ୍‌ ଟାୱାର ରହିବା ପାଇଁ ଘୋଷଣା ହୋଇଥିଲା। ଏହା ତିଆରି ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ।

ଆଜି ଏନ୍‌ଏସ୍‌ଜି ଟିମ୍‌ ସହ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଏଏସ୍ଆଇର ଅଧିକାରୀ ସୁଶାନ୍ତ ଗୋଚ୍ଛାୟତ, ବିକେ ଦାଶ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ନିଯୋଗ ପକ୍ଷରୁ ବିରଞ୍ଚି ପତି, କମଳା ବଡ଼ୁ, ସଚ୍ଚିକାନ୍ତ ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଅଧିକାରୀମାନଙ୍କୁ ମନ୍ଦିର ଗର୍ଭଗୃହକୁ ପ୍ରବେଶ କରାଇ ଆଡ଼କାଠ ନିକଟରୁ ଠାକୁରଙ୍କୁ ଦର୍ଶନ କରାଇଥିଲେ।

ସମ୍ବନ୍ଧିତ ଖବର