କେତେ ସୁରକ୍ଷିତ ଅଣବ୍ରାଣ୍ଡେଡ୍‌ ବାଟି ସୋଡ଼ା?

ବିନା ଯାଞ୍ଚ ଓ ପ୍ରମାଣପତ୍ରରେ ବେଧଡ଼କ ବିକ୍ରି

ଭୁବନେଶ୍ବର : ରାଜଧାନୀ ବଜାରରେ ସବୁଠି ମିଳୁଛି ବାଟି ସୋଡ଼ା। ପ୍ରଚୁର ବିକ୍ରି ବି ହେଉଛି। କିନ୍ତୁ ଏହାର ମାନ କିଭଳି ରହିଛି, ତାହା ପରୀକ୍ଷା କରାଯାଉନାହିଁ। ବିନା ଯାଞ୍ଚ ଓ ବିନା ପ୍ରମାଣପତ୍ରରେ ବେନାମୀ କମ୍ପାନିମାନଙ୍କ ଏହି ଉତ୍ପାଦ ବେଶ୍ ‌ବିକ୍ରି ହେଉଛି। ରାଜଧାନୀ ଭିତରେ ଓ ଉପକଣ୍ଠରେ ଏହି କମ୍ପାନିଗୁଡ଼ିକ ‌ଲୁଚାଚୋରାରେ ଉତ୍ପାଦନ କରୁଥିଲେ ବି ଖୋଲା ବଜାରରେ ବିକ୍ରି କରୁଛନ୍ତି। ଏଥିପ୍ରତି ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କ ଦୃଷ୍ଟି ପଡ଼ୁନଥିବାରୁ ଏହି ଅସାଧୁ ବେପାର ବେଧଡ଼କ ଚାଲିଛି।

ସାଧାରଣତଃ ବଜାରରେ ଉପଲବ୍‌ଧ ଖାଦ୍ୟ ସାମଗ୍ରୀକୁ ନେଇ ସାଧାରଣ ଲୋକେ ଅଭିଯୋଗ କରିନଥାଆନ୍ତି। ସେମିତି କିଛି ଅଘଟଣ ନଘଟିଲେ, ସାଧାରଣରେ ଅଭିଯୋଗ ନଥାଏ। ମାତ୍ର ବଜାରରେ ବିକ୍ରି ହେଉଥିବା ଖାଦ୍ୟ ବା ପାନୀୟର ମାନ ପରୀକ୍ଷା କରିବାକୁ ଖାଦ୍ୟ ସୁରକ୍ଷା ବିଭାଗ ରହିଛି। ଏମିତିକି ଯେଉଁ କମ୍ପାନି ଏସବୁ ପ୍ରସ୍ତୁତ କରନ୍ତି, ତାହା ସମ୍ପୃକ୍ତ ବିଭାଗ ନଜରରେ ଥାଏ। ଖାଦ୍ୟ ସୁରକ୍ଷା ବିଭାଗର ପ୍ରମାଣପତ୍ର ବିନା କମ୍ପାନି ତା’ର ଉତ୍ପାଦ ବିକ୍ରି କରିପାରେନାହିଁ। ମାତ୍ର ସୋଡ଼ା ବିକ୍ରି କ୍ଷେତ୍ରରେ ଏଭଳି ନିୟମ ନାହିଁ। ବଜାରକୁ ଆସୁଥିବା ବାଟି ସୋଡ଼ା ବୋତଲରେ ବିଭିନ୍ନ ବ୍ରାଣ୍ଡର ନାଁ ଉଲ୍ଲେଖ ରହିଛି। କିନ୍ତୁ ସେସବୁ କେଉଁଠି ଉତ୍ପାଦନ ହେଉଛି, କେ‌ବେ ଉତ୍ପାଦନ ହେଲା, କେତେଦିନ ପର୍ଯ୍ୟନ୍ତ ବିକ୍ରି ହୋଇପାରିବ (ଏକ୍ସପାରି ଡେଟ୍‌) ଆଦି କୌଣସି ତଥ୍ୟ ନାହିଁ। ବିଭିନ୍ନ ସମୟରେ ବାଟି ସୋଡ଼ା ବୋତଲରୁ ମଲା ପିମ୍ପୁଡି ଭଳି ଅପଦ୍ରବ ବାହାରିଥାଏ। ମାତ୍ର ଦୋକାନୀ ଗ୍ରାହକକୁ ବୁଝାଇସୁଝାଇ ବିଦା କରିଦିଏ। ତେଣୁ ଏନେଇ କେହି ଅଭିଯୋଗ କରନ୍ତି ନାହିଁ। କିନ୍ତୁ ଉକ୍ତ ପାନୀୟ ଯେ ଶୁଦ୍ଧ, ଏହାର ପ୍ରମାଣ ପାଇବା ପାଇଁ କିଛି ରାସ୍ତା ନଥାଏ।

ସେହିଭଳି କିଛି ଅଣବ୍ରାଣ୍ଡେଡ୍‌ ପାଣି କମ୍ପାନି ମଧ୍ୟ ବଜାରକୁ ପାଣି ବୋତଲ ଛାଡ଼ୁଛନ୍ତି। ବେଳେବେଳେ ଅନ୍ୟ ନାମୀ କମ୍ପାନି ଲୋଗୋ ବ୍ୟବହାର କରି ନକଲି ପାଣି ବଜାରକୁ ଆସୁଛି। ମାତ୍ର ନିୟମିତ ଯାଞ୍ଚ ହେଉନାହିଁ। ଫଳରେ ଗ୍ରାହକମାନେ ଅପମିଶ୍ରିତ ବା ଅଶୁଦ୍ଧ ପାନୀୟ ପିଇବାକୁ ବାଧ୍ୟ ହେଉଛନ୍ତି। ତେବେ ଏସଂପର୍କରେ ଖୋର୍ଦ୍ଧା ଜିଲ୍ଲା ଖାଦ୍ୟ ସୁରକ୍ଷା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ୍‌ ପଟେଲ ଯେଉଁ କଥା କହିଛନ୍ତି, ତାହା ସାଂଘାତିକ। ବାଟି ସୋଡ଼ା କେଉଁଠି ତିଆରି ହେଉଛି ବୋଲି ସେ ଜାଣିନଥିବା କହିଛନ୍ତି। ଲୋକେ ଅଭିଯୋଗ କଲେ, ଏହା ଉପରେ ଖୋଳତାଡ୍‌ ହେବ ଓ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସଫେଇ ଦେଇଛନ୍ତି। ତେଣୁ ତାଙ୍କ କହିବାନୁସାରେ ସେ ଲୋକଙ୍କ ଅଭିଯୋଗକୁ ଅପେକ୍ଷା କରିଛନ୍ତି। କମ୍ପାନି ନକଲି କି ଅସଲି, ଉତ୍ପାଦ ଭଲ କି ମନ୍ଦ, ସେଥିରେ କିଛି ଯାଏଆସେ ନାହିଁ। କେବଳ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଅସାଧୁ ବ୍ୟବସାୟୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସମାନ କଥା ଦୋହରାଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ କୁମାର ସ୍ବାଇଁ। ପିଇବା ପାଣି ଓ ବାଟି ସୋଡ଼ାକୁ ନେଇ ଲୋକଙ୍କ ଅଭିଯୋଗ ଆସି‌ଲେ, କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ସେ ଆଇନର ଭାଷା କହିଛନ୍ତି। କିନ୍ତୁ ସେଭଳି କମ୍ପାନି ସବୁ କେଉଁଠି ଓ ସେମାନଙ୍କ ଉତ୍ପାଦର ମାନ ଯାଞ୍ଚ ବାବଦରେ ସେ କିଛି କହିନଥିଳେ।

ସମ୍ବନ୍ଧିତ ଖବର