ଦକ୍ଷ କରିପାରିବ ଲକ୍‌ଡାଉନ: ମନସ୍ତତ୍ତ୍ବବିତ୍‌

ଘରେ କିପରି କରିବେ ସମୟର ସଦୁପଯୋଗ

ଭୁବନେଶ୍ବର: ଏଇ ମଣିଷ ଦିନେ କହୁଥିଲା, ସମୟ ଅଣ୍ଟୁନାହିଁ। ଆଜି କିନ୍ତୁ ସମୟ ସରୁନାହିଁ। ଧନ ସମ୍ପତ୍ତି ନୁହେଁ, ବରଂ ଜୀବନ ଯେ ସବୁଠୁ ମୂଲ୍ୟବାନ ତାହା ବି ଅନେକ ଅବୁଝା ମଣିଷ ବୁଝିସାରିଛନ୍ତି। ସେଇଥିପାଇଁ ମଣିଷ ଆଜି ଘରେ ନିଜକୁ କଏଦ କରି ରଖିଛି। କରୋନା ପାଇଁ ଲକ୍‌ଡାଉନ ହୋଇନି ଯେ, ଫାଙ୍କାରେ ବସିବସି ଅନେକ ଜୀବନକୁ ନେଇ ଅନୁଶୀଳନ କରିବା ଆରମ୍ଭ କରିଦେଲେଣି। ମାତ୍ର ଅନେକ ଏବେ ବି ଗଭୀର ଚିନ୍ତାରେ ବୁଡ଼ିଛନ୍ତି। କିଛି ବ୍ୟକ୍ତିଙ୍କଠାରେ ମାନସିକ ଅସ୍ଥିରତା ଦେଖାଗଲାଣି। ବିଶେଷକରି ଯୁବବର୍ଗଙ୍କ ଆଗରେ ଲମ୍ବା ଭବିଷ୍ୟତ ପଡ଼ିଥିବା ସ୍ଥଳେ ସେମାନେ କିଭଳି ଏହି ଲକ୍‌ଡାଉନର ଉଚିତ ବ୍ୟବହାର କରିବେ ସେନେଇ ଆମେ ଲୋଡ଼ିଥିଲୁ ମନସ୍ତତ୍ତ୍ବବିତ୍‌ଙ୍କ ମତ।

ସୋସିଆଲ ମିଡିଆ ପାଇଁ ଅନ୍ତତଃ ବୋର୍‌ ହୋଇଯିବାର ଆଶଙ୍କା ଦୂର ହୋଇଛି। ମାତ୍ର କରୋନା ସମ୍ପର୍କିତ ଆବୁରୁ ଜାବୁରୁ କଥା, ଫିଲ୍ମ, ୱେବ୍‌ସିରିଜ, ଟିକ୍‌ଟକ ଓ ଗୁଲିଗପ ଚାଟିଂରେ ସମୟ ବିତାଉଥିବା ବ୍ୟକ୍ତିମାନେ ଏଥିରୁ ଆଗାମୀ ଦିନରେ ପାଇବେ କ’ଣ? ମନସ୍ତତ୍ତ୍ବବିତ୍‌ମାନେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆରେ ଘଣ୍ଟାଘଣ୍ଟା ଧରି ସମୟ ବିତାଉଥିବା ବ୍ୟକ୍ତିମାନଙ୍କୁ ଦେଖି ପରିବାର ଲୋକେ ଚିନ୍ତିତ ହୋଇପଡ଼ିବା ସ୍ବାଭାବିକ। ମାତ୍ର ମନସ୍ତତ୍ତ୍ବବିତ୍‌ ଡ.ପ୍ରତାପ ରଥଙ୍କ କହିବା ମୁତାବକ, ସୋସିଆଲ ମିଡିଆର ଯଦି ଏ ସମୟରେ ସଠିକ ଉପଯୋଗ ହୋଇପାରୁଛି ତେବେ ଅନ୍ତତଃ କେହି ଭାବିବେନି ଯେ ସେମାନେ ନିଜ ୨୧ଦିନର ଲକ୍‌ଡାଉନ ସମୟକୁ ବେକାର ‌କରିଦେଇଛନ୍ତି। ଡ. ରଥଙ୍କ କହିବା ମୁତାବକ, କିଏ କେମିତି ଜୀବନ ବଞ୍ଚିବାକୁ ଚାହୁଁଛି ତାହା ସମ୍ପୃକ୍ତ ବ୍ୟକ୍ତି ଉପରେ ନିର୍ଭର କରେ। ମାତ୍ର ଏ ସମୟ‌ର ଉପଯୋଗ କେମିତି ହେବା ଦରକାର ବୋଲି ଯଦି ଜଣେ ପଚାରିବ, ତେବେ ମୁଁ କହିବି ଏତିକି ସମୟ ଆମ ପାଇଁ ଯଥେଷ୍ଟ ନୁହେଁ। ‌ସାଂପ୍ରତିକ ଦୁନିଆ ସହ ତାଳ ଦେଇ ଚାଲୁଥିବା ଛାତ୍ରଛାତ୍ରୀ ଓ ଯୁବବର୍ଗ ବହୁତ ବଡ଼ବଡ଼ ଗଣିତର ସମାଧନ ଚଟାପଟ କରିଦେଉଥିବା ଦେଖିଛି। ମାତ୍ର ଏବେ ବି ଅନେକ ଭଲରେ ଇଂରାଜୀରେ କଥା କହିବାର କ୍ଷମତା ରଖନ୍ତି ନାହିଁ। ଯଦିଓ ଅନେକ ସାକ୍ଷାତକାରରେ ଇଂରାଜୀରେ ସାକ୍ଷାତକାର ଦେବାକୁ ପଡ଼େ, ମାତ୍ର ଆମ ଯୁବବର୍ଗ ଏଥିପାଇଁ କେତେ ପ୍ରସ୍ତୁତ ସେମାନେ ନିଜକୁ ପଚାରିବା ଦରକାର। ଯଦି ଏ ଲକ୍‌ଡାଉନ ସମୟ‌ରେ ସେମାନେ ବୋର୍‌ ହେଉଛନ୍ତି ବୋଲି କହୁଛନ୍ତି, ତେବେ ମୁଁ କହିବି ସେମାନେ ନିଜ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ଇଂରାଜୀ କଥନ ଶୈଳୀ ଶିଖିବା ପାଇଁ ଯେ କୌଣସି ଆପ୍‌ ଡାଉନଲୋଡ୍‌ କରନ୍ତୁ। ଅନେକ ଉପାଦେୟ ଆପ୍‌ ଅଛି। ଯେ କୌଣସି ଆପ୍‌ର ସୁଯୋଗ ନେଇ ଇଂରାଜୀ କହିବା ଦକ୍ଷତାକୁ ନିଶ୍ଚୟ ବଢ଼ାଇପାରିବେ। ଯେଉଁ ସଚେତନ ଯୁବବର୍ଗଙ୍କ ପାଇଁ ଲମ୍ବା ଭବିଷ୍ୟତ ପଡ଼ିଛି ସେମାନେ ଏ ଲକ୍‌ଡାଉନ ସମୟରେ ନିଜକୁ ଦକ୍ଷ କରାଇବାର ଭରପୂର ସୁଯୋଗ ରହିଛି। ହୁଏତ ଲକ୍‌ଡାଉନ ସମୟ ଚାଲିଯିବା ପରେ ଆପଣ ଭାବିବେ ଆଉ ଟିକେ ସମୟ ମିଳିଥାଆନ୍ତା କି?

ଡ. ରଥଙ୍କ କହିବା ଅନୁଯାୟୀ, କେବଳ ଇଂରାଜୀ ନୁହେଁ, ନିଜର ରୁଚି ଥିବା ଯେକୌଣସି ବିଷୟକୁ ଯଦି ନିଜର ପେସା କରିବାକୁ ଭବିଷ୍ୟତରେ ଚାହୁଁଥିବେ ସେ ସଂକ୍ରାନ୍ତ ଭିଡିଓ ଦେଖି ନିଜକୁ ଦକ୍ଷ କରିପାରିବେ। ଯେବେ ଇଣ୍ଟରନେଟ୍‌ର ସୁବିଧା ଏତେ ନଥିଲା ସେତେବେଳେ କୌଣସି ବିଷୟରେ ପ୍ରାକ୍ଟିକାଲ୍‌ ଜ୍ଞାନ ନେବା ପାଇଁ ବହୁ କସରତ କରିବାକୁ ପଡ଼ୁଥିଲା। ଏବେ କିନ୍ତୁ କୌଣସି ବିଷୟ ବୁଝିବା ପାଇଁ ବିଭିନ୍ନ ‘ଆପ୍‌’ ଗାଇଡ୍‌ ରୂପେ ଆପଣଙ୍କ ହାତ ପାପୁଲିରେ ଉପଲବ୍ଧ। ନିଜ ଜ୍ଞାନର ପ୍ରାକ୍ଟିକାଲ୍‌ ଉପଲବ୍ଧି ମଧ୍ୟ ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରୁ ନେଇପାରିବେ। ଏ ସମୟରେ ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ଅନେକ ବାରଣ କରୁଥିବା ଦେଖିବାକୁ ମିଳୁଛି। ଏହାର ଏକମାତ୍ର କାରଣ ହେଲା, ସୋସିଆଲ ମିଡିଆର ଦୂରୁପୋଯୋଗ। ମାତ୍ର ଆମେ ଧ୍ୟାନ ‌ରଖିବାକୁ ହେବ ଯେ, ଦୁନିଆ ଦ୍ରୁତ ଗତିରେ ବଦଳୁଛି। ଯଦି ଆମେ ସମୟର ସଠିକ ଉପଯୋଗ ନକରିବା, ହୁଏତ ଆମକୁ ପସ୍ତାଇବାକୁ ପଡ଼ିପାରେ। ତେଣୁ ସମୟ ସହ ତାଳ ଦେଇ ଚାଲିବା ପାଇଁ ହେଲେ ସୋସିଆଲ ମିଡିଆକୁ ନିଜର ଉନ୍ନତି ପାଇଁ କାମରେ ଲଗାଇବାକୁ ପଡ଼ିବ। ଆଉ ଯଦି କେବଳ ମନୋରଂଜନର ମାଧ୍ୟମ ଭାବେ ଆଦରି ନେଇ ସମୟ ନଷ୍ଟ କରିବେ, ଏଥିରେ ପ୍ରତିଯୋଗୀଙ୍କଠାରୁ ବହୁ ପଛରେ ରହିଯିବାର ଆଶଙ୍କା ରହିଛି। ‌ତେଣୁ ଏହି ସମୟକୁ ଚତୁରତାର ସହ ଦକ୍ଷତା ହାସଲର ସମୟ ବୋଲି ବିଚାରିନେବା ହିଁ ବୁଦ୍ଧିମାନର ବିଚାର ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର